Below header

ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ଘରୋଇ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ଉପରେ ହୋଇପାରେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ ନିର୍ମଳା ସୀତାରମଣ । କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନ ମାନେ ମଧ୍ୟ ଉପସ୍ଥିତ ରହିବେ । ଭର୍ଚୁଆଲ୍‌ ମାଧ୍ୟମରେ ବସିବ ବୈଠକ। ବୈଠକରେ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ, ସଚିବ, ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ଅର୍ଥ ସଚିବ ମାନେ ଯୋଗଦେବେ ।

ଅର୍ଥନୀତିକୁ ବୃଦ୍ଧି କରିବାରେ ଘରୋଇ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା ହେବ । ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଓ ଅନୁକୂଳ ପୁଞ୍ଜିନିବେଶ ବାତାବରଣ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ବ୍ୟବସାୟିକ ସୁବିଧା ସୁଯୋଗ ସୃଷ୍ଟି, ଆବଶ୍ୟକୀୟ ସଂସ୍କାର ଆଣିବା ଓ ନିବେଶକ ମନୋବୃତ୍ତିକୁ ପ୍ରୋତ୍ସାହନ ଦେବା ଆଦି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି ।

ମହାମାରୀ ସମୟରେ ଓଡ଼ିଶାରେ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି । ରାଜ୍ୟର ଦୁଇଟି ମେଗା ପ୍ରୋଜେକ୍ଟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ । କେନ୍ଦ୍ରାପଡା ଜିଲ୍ଲାରେ ମିତ୍ତଲଙ୍କ ସହଯୋଗୀ ସଂସ୍ଥା ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ (AMNS) ବର୍ଷକୁ ୧୨ ମିଲିଅନ ଟନ୍‌ ଷ୍ଟିଲ ପ୍ଲାଣ୍ଟ କରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହ MOU ହୋଇଛି । ସେହିଭଳି ଜଗତସିଂହପୁରରେ ୧ ଲକ୍ଷ କୋଟି ଟଙ୍କା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ JSW । ମେଗା ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଲକ୍ଷ୍ମୀ ନାରାୟଣ ମିତ୍ତଲ ଓ ସଜ୍ଜନ ଜିନ୍ଦଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.