କାଳ ସାଜିଛି କଳାପଥର: ମାଟି ଅତଡ଼ା ଧସିବା ଘଟଣା, ୨୪ ଘଣ୍ଟା ପରେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଯାଜପୁର ଡଙ୍କାରି ପାହାଡ଼ର କଳାପଥର ଖାଦାନରେ ଅଘଟଣ । ମାଟି ଅତଡ଼ା ଧସିବା ଫଳରେ ପାଖା ପାଖି ପ୍ରାୟ ଶହେ ଟ୍ରିପ କଳାପଥର ଖସି ପଡ଼ିଛି । ଆଉ ଏହାରି ଭିତରେ ଜଣେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଶ୍ରମିକ ନିଖୋଜ ଥିବା ଆଶଙ୍କା କରାଯାଉଛି । ପେଟ ପାଇଁ ଖଦାନରେ କାମ କରୁଥିବା ବେଳେ ଗତକାଲି ଏଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା ।

ଯାଜପୁର (କେନ୍ୟୁଜ): ଯାଜପୁର ଡଙ୍କାରି ପାହାଡ଼ର କଳାପଥର ଖାଦାନରେ ଅଘଟଣ । ମାଟି ଅତଡ଼ା ଧସିବା ଫଳରେ ପାଖା ପାଖି ପ୍ରାୟ ଶହେ ଟ୍ରିପ କଳାପଥର ଖସି ପଡ଼ିଛି । ଆଉ ଏହାରି ଭିତରେ ଜଣେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଶ୍ରମିକ ନିଖୋଜ ଥିବା ଆଶଙ୍କା କରାଯାଉଛି । ପେଟ ପାଇଁ ଖଦାନରେ କାମ କରୁଥିବା ବେଳେ ଗତକାଲି ଏଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା ।

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ରହିଛି ଡଙ୍କାରୀ କଳାପଥର ଖାଦାନ । ତେବେ ଏଠାରେ ବଡ଼ ଧରଣର ପଥର ଅତଡା ଧସି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ସନ୍ଦେହ ଏବେ ସମଗ୍ର ସହରରେ ଆଲୋଡନ ଖେଳାଇ ଦେଇଛି । ସୂଚନା ମୁତାବକ, ଗତକାଲି ସକାଳୁ ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ ପାହାଡ଼ର ଏକ ଲିଜ କ୍ୱାରିରେ ୱାଗନ ଡ୍ରିଲ କରାଯାଉଥିବା ବେଳେ ଏକ ବଡ଼ ଧରଣର ପଥର ଅତଡା ଧସିଥିଲା । ଯାହାଫଳରେ ଏଥିରେ କାର୍ଯ୍ୟରତ ଏକାଧିକ ଶ୍ରମିକଙ୍କ ସହ ତଳେ ଥିବା ମେସିନ ଉପରେ ପଥର ପଡି ସଭିଏଁ ଚାପି ହୋଇରହିଛନ୍ତି ।

ପଥର ତଳେ ଜଣେ ଶ୍ରମିକଙ୍କ ମୃତ ଦେହ ରହିଥିବା ଦେଖିବାକୁ ମିଳିଥିବାବେଳେ, ଆଉ କିଛି ଶ୍ରମିକ ଚାପି ହୋଇଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଧର୍ମଶାଳା ତହସିଲ ପ୍ରଶାସନ, ଜେନାପୁର ପୋଲିସ ଓ ଖଣି ବିଭାଗର ଅଧିକାରୀ ପହଁଚି ମେସିନ ସାହାଯ୍ୟରେ ପଥର ହଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଗତ ୨୪ ଘଣ୍ଟା ହେଲା ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ପୂର୍ବରୁ ଏଠାରେ ଥିବା ପଥର ଖାଦାନ ଗୁଡିକରେ ଏଭଳି ଦୁର୍ଘଟଣା ଘଟି ବହୁ ନିରୀହ ଶ୍ରମିକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଖବର ପାଇ ଧର୍ମଶାଳାର ବହୁ ନେତା ନେତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଶ୍ରମିକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ତେବେ ପ୍ରଶ୍ନ ଊଠିଛି ପେଟ ପାଇଁ ଖଦାନରେ କାମ କରୁଥିବା ଏହି ଶ୍ରମିକ ଜୀବନ କଣ ଏତେ ଶସ୍ତା । ବାରମ୍ବାର ଦୁର୍ଘଟଣା ଘଟି ବହୁ ନିରୀହ ଶ୍ରମିକଙ୍କ ଜୀବନ ଯାଉଥିବାବେଳେ କାହିଁକି ଏଦିଗରେ କୌଣସି ପଦକ୍ଷପ ଗ୍ରହଣ କରାଯାଉନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.