ରାଜ୍ୟ ସରକାରଙ୍କ ଚେତାବନୀ, ଗୁଜବ ପ୍ରଚାର କଲେ ଅତି କଠୋର ଦଣ୍ଡ ଦିଆଯିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି । ଆଜି ଏଭଳି କରିଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନେ ରାଜ୍ୟରେ ୧୫ ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ମିଛ ପ୍ରଚାର କରୁଥିଲେ । ଏଭଳି ସମାଜ ଓ ରାଷ୍ଟ୍ରଦ୍ରୋହୀ କାର୍ଯ୍ୟ କଲେ ତାଙ୍କ ବିରୋଧରେ ଅତ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

କରୋନା ରୋଗୀ ଓ ତାଙ୍କ ପରିବାର ପ୍ରତି ସମ୍ବେଦନଶୀଳ ହୁଅ

ଆମେ ରୋଗୀକୁ ନୁହେଁ, ରୋଗକୁ ଘୃଣା କରିବା । ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କୁ ନଡରାଇ ସେମାନଙ୍କ ପରିବାରକୁ ସାହାଯ୍ୟ ଓ ସମବେଦନା ଦେବାକୁ ହେବ । ଯାହାଫଳରେ ସେମାନେ ନଡରି ରୋଗ ପରୀକ୍ଷା କରିବାକୁ ଆଗଭର ହେବେ । ନଚେତ ସେମାନେ ରୋଗ ଲୁଚାଇଲେ ତାହା ନ୍ୟମାନଙ୍କ ପାଇଁ ଘାତକ ହେବ । ତେଣୁ କରୋନା ରୋଗୀ ଓ ତାଙ୍କ ପରିବାର ପ୍ରତି ସହନଶୀଳତା ପ୍ରଦର୍ଶନ ପାଇଁ ସୁବ୍ରତ ବାଗଚୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉତ୍କଳ ଦିବସ ବାର୍ତ୍ତା ପଢ଼ିଲେ ବାଗଚୀ

ଉତ୍କଳ ଦିବସରେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତାକୁ ଏହି ଅବସରରେ ଶ୍ରୀ ବାଗଚୀ ପାଠ କରିଥିଲେ । ପୂର୍ବରୁ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାହସର ସହିତ ମୁକାବିଲା କରିଛି । ଏବେ ସେହିଭଳି ସାହସିକତା ଦେଖାଇ କରୋନାର ମୁକାବିଲା କରିବା ଲାଗି ନବୀନ ତାଙ୍କ ବାର୍ତ୍ତାରେ ଆହ୍ଵାନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.