Below header

ବିଗ୍‌ବସ୍‌ରେ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରକୁ ନେଇ ଆଲୋଚନା କଲେ ପ୍ରତିଯୋଗୀ, ଦେଖନ୍ତୁ ଭାଇରାଲ ଭିଡିଓ

କଲର୍ସର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଏବେ ୧୩ ତମ ସଂସ୍କରଣ ଚାଲୁ ରହିଛି। ଏହି ରିଆଲିଟି ଶୋ’ ସବୁବେଳେ କଳି ଝଗଡ଼ାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ଏକ ନୂଆ କଥାକୁ ନେଇ ପ୍ରଶଂସା ସାଉଣ୍ଟିଛି। ଜାତୀୟସ୍ତରର ଏହି ଲୋକପ୍ରିୟ ଶୋ’ରେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଅର୍କକ୍ଷେତ୍ର କୋଣାର୍କକୁ ନେଇ ସେଲିବ୍ରିଟିମାନେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ କୌଣସି ଜାତୀୟସ୍ତରର ଶୋ’ରେ ଜଗନ୍ନାଥ ମନ୍ଦିରକୁ ପ୍ରଶଂସା କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ସମେତ ସମଗ୍ର ଓଡ଼ିଶାବାସୀ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି।

ଦେଖନ୍ତୁ ଭିଡିଓ:

ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଶୋ’ର ଏକ ଭିଡିଓରେ ବିଗ୍‌ବସ୍‌ ପ୍ରତିଯୋଗୀମାନେ ଶ୍ରୀମନ୍ଦିରର ଛପନ ଭୋଗ ଓ କୋଣାର୍କ ମନ୍ଦିର ଅପୂର୍ବର କାରୁକାର୍ଯ୍ୟ ବିଷୟରେ ଆଲୋଚନା କରୁଥିବା ଦେଖାଯାଇଛି। ଭିଡିଓରେ ଶୋ’ର ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା, ପାରସ୍‌ ଛାବ୍ରା, ଆରତୀ ସିଂ, ସେଫାଳୀ ଜରିଓ୍ଵଲା ଓ ମାହିରା ଶର୍ମା ବସି କୋଣାର୍କ ଓ ଜଗନ୍ନାଥ ମନ୍ଦିର ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଛି।
ସିଦ୍ଧାର୍ଥ କୋଣାର୍କ ମନ୍ଦିରରେ ପ୍ରଥମ ସୂର୍ଯ୍ୟକିରଣ ପଡ଼େ ବୋଲି ବୁଝାଉଛନ୍ତି। ରାଜସ୍ଥାନର ବ୍ରହ୍ମା ମନ୍ଦିର ଭଳି ଓଡ଼ିଶାର କୋଣାର୍କ ମନ୍ଦିର ମଧ୍ୟ ଅଦ୍ୱିତୀୟ ବୋଲି ସେ ବୁଝାଉଛନ୍ତି।

ପରେ ସେଫାଳୀ ଜରିଓ୍ଵାଲା ଶ୍ରୀମନ୍ଦିର କଥା କହୁଛନ୍ତି। ଏହା ଶୁଣି ସିଦ୍ଧାର୍ଥ ଖୁବ୍‌ ଉତ୍ସାହିତ ହୋଇ ଶ୍ରୀମନ୍ଦିରର ଛପନ ଭୋଗର ପ୍ରଶଂସା କରିଥିଲେ। ତାଙ୍କୁ ଛପନ ଭୋଗ ଖୁବ୍‌ ଭଲ ଲାଗେ ବୋଲି କହିଛନ୍ତି ସିଦ୍ଧାର୍ଥ। ଆରତୀ ଛପନ ଭୋଗକୁ ନେଇ ପ୍ରଶ୍ନ କରିବାରୁ ସିଦ୍ଧାର୍ଥ ତାଙ୍କୁ ଏ ବିଷୟରେ କହିଛନ୍ତି ଯେ ପ୍ରତିଦିନ ଜଗନ୍ନାଥଙ୍କ ନିକଟରେ ଛପନ ପ୍ରକାର ଭୋଗ ଲାଗିଥାଏ।

No photo description available.

ତା ପରେ ପାରସ ଛାବ୍ରା ମହାପ୍ରସାଦର ପ୍ରସ୍ତୁତି ଶୈଳୀ ବୁଝାଇଥିଲେ। ପାରସ କହିଥିଲେ ଯେ ଶ୍ରୀମନ୍ଦିରର ରୋଷଶାଳାରେ ଗୋଟିଏ ଉପରେ ଗୋଟିଏ ହାଣ୍ଡି ସ୍ଥାପନ କରାଯାଇ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ଦେଖିବାକୁ ମିଳିଛି। ତେବେ କୌଣସି ରିୟାଲିଟି ଶୋ’ରେ ଓଡ଼ିଆ ସଂସ୍କୃତି ପରମ୍ପରାର ପ୍ରତୀକ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଆଲୋଚନା ହୋଇଥିବାରୁ ଏହି ଭିଡିଓକୁ ଓଡ଼ିଶାର ଭକ୍ତଗଣ ପ୍ରବଳ ମାତ୍ରାରେ ସେୟାର କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.