ଏବେ ବି ବଞ୍ଚିଛି ଅଲ୍କାଏଦାର ମୁଖ୍ୟ ଦୁର୍ଦ୍ଦାନ୍ତ ଆତଙ୍କବାଦୀ! ସାମ୍ନାକୁ ଆସିଲା ୬୦ ମିନିଟ୍ର ଭିଡିଓ
ବଞ୍ଚିଛି ଅଲକାଏଦାର ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଲ ଜବାହିରୀ। ଅଲକାଏଦାର ଅଫିସିଆଲ ଚ୍ୟାନେଲ As-Sahab media ୯/୧୧ ଆତଙ୍କୀ ଆକ୍ରମଣର ବର୍ଷ ପୂର୍ତ୍ତି ଅବସରରେ ଟେଲିଗ୍ରାମ୍ ଚ୍ୟାନେଲରେ ଅଲ ଜବାହିରୀର ଏକ ୬୦ ମିନିଟ୍ର ଭିଡିଓ ଜାରି କରିଛି। ଏହି ଭିଡିଓ ଡକ୍ୟୁମେଣ୍ଟାରୀ ଷ୍ଟାଇଲରେ ଜାରି କରାଯାଇଛି ଓ ଏହାର ଟାଇଟଲ ରହିଛି ‘Jerusalem will not be Judaized’।
ସୂଚନାଯୋଗ୍ୟ ଯେ ଓସାମା ବିନ୍ ଲାଡେନ୍ ପରେ ଅଲକାଏଦାର କାର୍ଯ୍ୟଭାର ସମ୍ଭାଳୁଥିବା ଅଲ ଜବାହିରୀ ଗତ କିଛି ଦିନ ହେଲା ଅଣ୍ଡରଗ୍ରାଉଣ୍ଡ ଥିଲା। ନଭେମ୍ବର ୨୦୨୦ରେ ଜବାହିରୀ ରୋଗାଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା। ତା’ ପରଠାରୁ ତା’ ସମ୍ବନ୍ଧରେ କୌଣସି ସୂଚନା ସାମ୍ନାକୁ ଆସିନଥିଲା। ଏଣୁ ସମସ୍ତେ ଭାବି ନେଇଥିଲେ ଯେ ବୋଧେ ସତରେ ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀର କାହାଣୀ ଶେଷ ହୋଇଛି। କିନ୍ତୁ ଏବେ ସାମ୍ନାକୁ ଆସି ସମସ୍ତଙ୍କୁ ଚମକାଇ ଦେଇଛି ଜବାହିରୀ। ସାମ୍ନାକୁ ଆସିଥିବା ଭିଡିଓରେ ଜବାହିରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦେଖାଯାଇଛି।
ରିପୋର୍ଟ ମୁତାବକ, ୧୧ ସେପ୍ଟେମ୍ବର ସକାଳୁ ଟେଲିଗ୍ରାମ୍ ଚ୍ୟାନେଲରେ ଲଗାତାର ଅଲକାଏଦାର ଅଫିସିଆଲ ଚ୍ୟାନେଲ As-sahab media ରେ ‘Coming Soon’ ପ୍ରୋମୋ ଚଲାଯାଇଥିଲା। ଏହା ପରେ ପ୍ରଥମେ ଅଲ ଜବାହିରୀ ଲିଖିତ ୮୫୨ ପୃଷ୍ଠାର ପୁସ୍ତକକୁ ଟେଲିଗ୍ରାମ୍ ଚ୍ୟାନେଲରେ ରିଲିଜ କରାଯାଇଥିଲା। ଏହି ପୁସ୍ତକରେ ସେ ଅଲକାଏଦାର ଭବିଷ୍ୟତକୁ ନେଇ ତଥା ପୂର୍ବରୁ ଘଟାଇଥିବା କାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ପୁସ୍ତକ ଏପ୍ରିଲ ୨୦୨୧ରେ ଲେଖାଯାଇଥିବା ଦାବି କରାଯାଉଛି। ପରେ ଅଲ ଜବାହିରୀର ୬୦ ମିନିଟ୍ର ଭିଡିଓ ଜାରି କରାଯାଇଥିଲା। ଭିଡିଓରେ ୨୦୨୦ରେ ନିହତ ହୋଇଥିବା କେତେକ ଆତଙ୍କବାଦୀଙ୍କୁ ସେ ମନେ ପକାଇଥିବା ଦେଖାଯାଇଛି।