Below header

ଚୀନ୍‌ରେ ଅସମ୍ଭାଳ କୋଭିଡ୍‌ ପରିସ୍ଥିତି: ଆସନ୍ତା ସପ୍ତାହରେ ୩ କୋଟି ୭୦ ଲକ୍ଷ ଲୋକ ହୋଇପାରନ୍ତି ସଂକ୍ରମିତ

ନୂଆଦିଲ୍ଲୀ : ଚୀନ୍‌ର କରୋନା ସଂକ୍ରମଣ ଅତି ଭୟାବହ ରୂପ ନେଇଛି। ବର୍ତ୍ତମାନ ଚାଲିଥିବା ସଂକ୍ରମଣ ଲହର ସପ୍ତାହକ ମଧ୍ୟରେ ଶୀର୍ଷ ଛୁଇଁବ ବୋଲି ଗ୍ଲୋବାଲ ହେଲ୍‌ଥ ଇଣ୍ଟେଲିଜେନ୍ସ ସଂସ୍ଥା ‘ଏୟାରଫିନିଟି’ ରିପୋର୍ଟ କରିଛି। ଆସନ୍ତା ସପ୍ତାହରେ ଗୋଟିଏ ଦିନରେ ୩ କୋଟି ୭୦ ଲକ୍ଷ ଲୋକ ସଂକ୍ରମିତ ହୋଇ ପାରନ୍ତି। ଯାହାକି ଦିନକରେ ଏଯାଏ ଆସିଥିବା ସର୍ବାଧିକ ଦୈନିକ ସଂକ୍ରମଣ ହେବ । ଯାହା ସାରା ବିଶ୍ୱର ସର୍ବାଧିକ ଦୈନିକ ସଂକ୍ରମଣର କାହିଁ କେତେ ଗୁଣ । ଚୀନରେ ହାହାକାର ସ୍ଥିତି । ଟେଷ୍ଟ କିଟ୍‌ ନାହିଁ କି ଜ୍ୱର ପାଇଁ ଔଷଧ ନାହିଁ । ଲୋକଙ୍କୁ ମରଣ ମୁହଁକୁ ଠେଲି ଦିଆଯାଉଛି। ଏପରିକି ସଂକ୍ରମିତଙ୍କୁ ଅଫିସ ଆସିବାକୁ କୁହାଯାଉଛି । ଯାହାର ତୀବ୍ର ପ୍ରତିବାଦ କରୁଛନ୍ତି ଲୋକ।

ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ହେଉଛନ୍ତି । ଶହ ଶହ ମୃତ୍ୟୁବରଣ କରୁଥିଲେ ବି ତଥ୍ୟ ଲୁଚାଉଛି ଚୀନ୍‌ । ଆଗାମୀ ସପ୍ତାହରେ ଆହୁରି ଗମ୍ଭୀର ହେବ ସ୍ଥିତି । ପିକ୍‌ ଛୁଇଁପାରେ କରୋନା ସଂକ୍ରମଣ । କୋଭିଡର ସବୁ ରେକର୍ଡ ଭାଙ୍ଗିବ ଚୀନ୍‌ । ଗତକାଲି ମାତ୍ର ୩ ହଜାର ୭୦୦ ଲୋକ ସଂକ୍ରମିତ ହୋଇଥିବା ଏବଂ କାହାର ମୃତ୍ୟୁ ହୋଇନଥିବା ଦର୍ଶାଇଛି ଡ୍ରାଗନ। ଏପଟେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ । ସମ୍ଭାବ୍ୟ କୋଭିଡ୍‌ ମୁକାବିଲା ପାଇଁ ପୂରା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିସେମ୍ବର ମାସ ୨୦ ଦିନ ଭିତରେ ଚୀନରେ ୨୦ କୋଟି ଲୋକ କରୋନା ସଂକ୍ରମିତ ହେବା ଆଶଙ୍କା କରାଯାଉଥିଲା । ଯାହାକି ଚୀନ୍‌ ଲୋକସଂଖ୍ୟାର ପାଖାପାଖି ୧୮ ପ୍ରତିଶତ । ଅନ୍ତର୍ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ, ଡିସେମ୍ବର ୨୦ ତାରିଖରେ ୩୭ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ । କିନ୍ତୁ ଚୀନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦର୍ଶାଇଥିଲା ସେଦିନ ବାହାରିଥିଲେ ମାତ୍ର ୩ହଜାର ୪୯ ପଜିଟିଭ୍‌ । ଡିସେମ୍ବର ୧ରୁ ୨୦ ତାରିଖ ଭିତରେ ୨୪କୋଟି ୮୦ ଲକ୍ଷ ସଂକ୍ରମିତ ହୋଇଥିବା କୁହାଯାଉଛି । ବିଶେଷଜ୍ଞ ଆକଳନ କରୁଛନ୍ତି, ଚୀନରେ ଆସନ୍ତା ୩ ମାସରେ କରୋନାର ୩ଟି ଲହର ଆସିପାରେ । ଏବେ ପ୍ରଥମ ଲହର ଚାଲିଛି । ଏହାର ପିକ୍‌ ଜାନୁଆରୀ ମଧ୍ୟଭାଗରେ ଆସିପାରେ ।

ଚୀନ୍‌ ସରକାରଙ୍କ ଜିରୋ କୋଭିଡ୍‌ ନୀତି ଯୋଗୁଁ ଏଭଳି ସାଂଘାତିକ ସ୍ଥିତି ଆସିଛି ଏବଂ ସଂକ୍ରମଣର ବଡ଼ ଲହର ଆଗରେ ସରକାର ଅସହାୟ ହୋଇପଡ଼ିଛନ୍ତି। ଅତି ପ୍ରବଳ ଚାପରେ ଥିବା ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ମଧ୍ୟ କର୍ତ୍ତୃପକ୍ଷ ନାକେଦମ ହୋଇଛନ୍ତି। ଚୀନ୍‌ର ବେଜିଂ, ସିଚୁଆନ, ହୁୱେଇ, ହୁନାନ ଏବଂ ସାଂଘାଇରେ ସ୍ଥିତି ଅତି ଖରାପ ରହିଥିବାରୁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ୨୫ ତାରିଖ ଦିନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି। ଏହି ବୈଠକରେ କୋଭିଡ୍‌ ମୁକାବିଲା ରଣନୀତିକୁ ଆହୁରି ବ୍ୟାପକ କରାଯିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଚୀନ୍‌ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.