Below header

ନେତାଜୀଙ୍କ ଅସ୍ଥି ରହିଛି ଜାପାନ ମନ୍ଦିରରେ, ଡିଏନ୍‌ଏ ଟେଷ୍ଟ ପାଇଁ ଦାବି

ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଜଣେ ଏମିତି ବଳିଷ୍ଠ ନେତା ଥିଲେ ତାଙ୍କୁ ଓ ତାଙ୍କ ସାହସକୁ ସାରା ବିଶ୍ୱ ମାନିଥିଲା । ତେବେ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ନେତାଜୀଙ୍କ ମୃତ୍ୟୁ ରହସ୍ୟ ସେହିଭଳି ବରଦା ଭିତରେ ରହିଯାଇଛି । କେତେବେଳେ ସେ ବଞ୍ଚିଛନ୍ତି ତ ଆଉ କେତେ ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଚର୍ଚ୍ଚା ହୁଏ । କେବଳ ଆମ ଦେଶର ଲୋକେ ନୁହନ୍ତି, ତାଙ୍କ ପରିବାରବର୍ଗ ମଧ୍ୟ ଏ ନେଇ ସନ୍ଦେହ ଭିତରେ ରହିଛନ୍ତି । ତେଣୁ ସେମାନେ ଗୋଟିଏ ଦାବି ଅନେକ ଦିନ ଧରି ଦୋହରାଇ ଚାଲିଛନ୍ତି । ଜାପାନର ଟୋକିଓରେ ଥିବା ରେଁକୋଜି ମନ୍ଦିରରେ ସୁଭାଷ ବୋଷଙ୍କ ଅସ୍ଥି ସାଇତା ହୋଇ ରଖା ଯାଇଛି । ଏହାର ଡିଏନ୍‌ଏ ଟେଷ୍ଟ ହେଲେ ଏହା ପ୍ରକୃତରେ ନେତାଜୀଙ୍କର କି ନାହିଁ ତାହା ସ୍ପଷ୍ଟ ହେବ । ପୁଣିଥରେ ଏହି ଦାବିକୁ ଦୋହରାଇଛନ୍ତି ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ ।

NETAJI-2
୨୦୦୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରେଁକୋଜି ମନ୍ଦିରରେ ଥିବା ନେତାଜୀଙ୍କ ଅବଶେଷରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି

ଚନ୍ଦ୍ର କୁମାର କହିଛନ୍ତି ଯେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ନେତାଜୀଙ୍କ ୩୦୦ରୁ ଅଧିକ ଫାଇଲ୍‌ ଉପରେ ଯାଞ୍ଚ ଓ ତର୍ଜମା କରି ସାରିଲାଣି । ତଥାପି ସ୍ପଷ୍ଟ ହେଉନାହିଁ କି ତାଙ୍କର ମୃତ୍ୟୁ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ହୋଇଛି ବୋଲି । ତାୟହୋକୁରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏସବୁର ଯାଞ୍ଚ ପାଇଁ ତିନିଟି କମିଶନ୍‌ ମଧ୍ୟ ବସି ସାରିଛି । ହେଲେ ତଥାପି କିଛି ସ୍ପଷ୍ଟ ହୋଇ ପାରିନାହିଁ । କାରଣ ପ୍ରଥମ ଦୁଇଟି କମିଶନ୍‌ ନେତାଜୀଙ୍କ ମୃତ୍ୟୁ ୧୯୪୫ ମସିହା ଅଗଷ୍ଟ ୧୮ରେ ହୋଇଛି ବୋଲି କହିଥିବା ବେଳେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ମନୋଜ ମୁଖାର୍ଜୀ ଜାପାନ ମନ୍ଦିରରେ ଥିବା ଅସ୍ଥି କଥାକୁ ଉଠାଇଛନ୍ତି । ଯାହାଫଳରେ ସେହି ଅସ୍ଥିର ଡିଏନ୍‌ଏ ଯାଞ୍ଚ କଥା ଉଠିଛି ।
ନାତି ଚନ୍ଦ୍ର କୁମାରଙ୍କ ଭଳି ନେତାଜୀଙ୍କ ଝିଅ ଅନୀତା ବୋଷ, ଯିଏକି ଏବେ ଜର୍ମାନୀରେ ରହୁଛନ୍ତି ସେ ମଧ୍ୟ ଡିଏନ୍‌ଏ ଟେଷ୍ଟ ସପକ୍ଷରେ ଅଛନ୍ତି । ଅନୀତା କହିଛନ୍ତି ଯଦି ଡିଏନ୍‌ଏ ପରୀକ୍ଷା ପରେ ଏହା ବାପାଙ୍କର ବୋଲି ଜଣାପଡ଼େ ତେବେ ଏହାକୁ ଆମେ ଗଙ୍ଗାରେ ବିସର୍ଜନ କରିବାକୁ ଚାହିଁବୁ । ତେବେ ଏତେ ସବୁ ଦାବି ପରେ ମଧ୍ୟ ଭାରତ ସରକାର ଜାପାନ ମନ୍ଦରରେ ଥିବା ଅସ୍ଥି କଥାକୁ ଗୁରୁତ୍ୱ ଦେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.