Below header

ହଂକଂରେ କୋଭିଡ୍‌ ହାହାକାର! ଶବ ରଖିବାକୁ ମିଳୁନି ଟିକିଏ ବି ଜାଗା; ୪ ଗୁଣା ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ ମାମଲା

କରୋନା ଭାଇରସ୍ ମହାମାରୀର ପ୍ରଭାବ ସାରା ବିଶ୍ୱରେ ଧ୍ୱଂସର ତାଣ୍ଡବ ରଚିଛି। ଏଥିଯୋଗୁ ହଂକଂରେ ଏବେ ସ୍ଥିତି ବିଗିଡ଼ିବାରେ ଲାଗିଛି। ପରିସ୍ଥିତି ଏମିତି ରହିଛି ଯେ ଏଠାରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ରଖିବା ପାଇଁ ଟିକିଏ ଜାଗା ସୁଦ୍ଧା ନାହିଁ। ହସ୍ପିଟାଲ ଏବଂ ସାର୍ବଜନିକ ଶବଗୃହଗୁଡ଼ିକରେ ନାନା ଅସୁବିଧାକୁ ସାମ୍ନା କରିବାକୁ ପଡ଼ୁଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ହଂକଂର ଅଧିକାଂଶ ବାସିନ୍ଦା କରୋନା ଭାଇରସ୍‌ ବିରୋଧରେ ଟିକା ନେଇ ନାହାନ୍ତି। ଲଗାତାର ବଢ଼ୁଥିବା ସଂକ୍ରମଣ ମାମଲାକୁ ନଜରରେ ରଖି ଅଧିକାରୀମାନେ ଲକ୍‌ଡାଉନ ସମ୍ଭାବନାକୁ ମଧ୍ୟ ଏଡ଼ାଇ ନାହାନ୍ତି।

ସହରର ପବ୍ଲିକ ଡାକ୍ତର ଆସୋସିଏସନ ମୁଖ୍ୟ ଟୋନି ଲିଙ୍ଗ କହିଛନ୍ତି ଯେ ହସ୍ପିଟାଲର ଆକ୍ସିଡେଣ୍ଟ ଏବଂ ଇମରଜେନ୍ସି ରୁମ୍‌ରୁ ଏକାଧିକ ମୃତଦେହକୁ ଶବଗୃହ ନେଇଯିବା ପାଇଁ ଅପେକ୍ଷା କରାଯାଇଛି। ସେ କହିଛନ୍ତି, ଏହି ଶରୀରଗୁଡ଼ିକୁ ବର୍ତ୍ତମାନ ସଂଗ୍ରହ କରିବା ପାଇଁ ଅଧିକ ସମୟ ଆବଶ୍ୟକ, କାହିଁକି ନା, ସଂସାଧନ ବହୁତ ସୀମିତ। ସାମ୍ପ୍ରତିକ ପରିସ୍ଥିତି ପାଇଁ କାର୍ଯ୍ୟବଳ ଏବଂ ଷ୍ଟୋରେଜ୍‌ର କ୍ଷମତା ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ନିକଟରେ ଟିକାକରଣ ସଂଖ୍ୟା ବଢ଼ିଥିବା ସତ୍ତ୍ୱେ ହଂକଂରେ ଟିକା ନେଉ ନ ଥିବା ଲୋକଙ୍କ ସଂଖ୍ୟା ଅଧିକ ରହୁଛି। ରିପୋର୍ଟ ମୁତାବକ, ଅନେକ ଲୋକ ପାର୍ଶ୍ୱ ପ୍ରତିକ୍ରିୟା ଭୟ ଏବଂ ଅବହେଳା ଯୋଗୁ ଟିକାକରଣ କରାଉ ନାହାନ୍ତି। ୨୦୨୦ର ସରକାରୀ ଆକଳନ ଅନୁଯାୟୀ, ହଂକଂରେ ପ୍ରତି ମାସରେ ହାରାହାରି ୪,୦୦୦ ଲୋକଙ୍କ ମୃତ୍ୟୁ ଘଟୁଛି। ସହରରେ କୋଭିଡ ସଂକ୍ରମଣର ୧ ଲକ୍ଷ ୭୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସି ସାରିଛି। ହଂକଂରେ ମୁଖ୍ୟତଃ ଭାଇରସର ‘ଓମିକ୍ରନ୍’ ଭାରିଆଣ୍ଟର ମାମଲା ବୃଦ୍ଧି ପାଉଛି। ଦୈନିକ ମାମଲା ଏକ ସପ୍ତାହରେ ଚାରି ଗୁଣା ବୃଦ୍ଧି ପାଇଛି, ଯାହାକି ପୂର୍ବରୁ ୭୫୦୦ ଥିଲା।

ସହରର ସ୍ୱାସ୍ଥ୍ୟ ସଂରକ୍ଷଣ କେନ୍ଦ୍ରର ପ୍ରଧାନ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି କି, ପ୍ରତି ତିନି ଦିନରେ ମାମଲା ଦ୍ୱିଗୁଣିତ ହେଉଛି। ଆମକୁ ଲାଗୁଛି ମାମଲା ଏବେ ବଢ଼ିବା ଜାରି ରହିବ। ସୋମବାର ସହରରେ ୮୭ ଲୋକଙ୍କ ମୃତ୍ୟୁ ଘଟିଛି, ଯେଉଁଥିରୁ ୬୭ ଜଣ କୋଭିଡ୍‌ ରୋଧୀ ଟିକା ନେଇ ନ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ସରକାର ଏପରି ଉପାୟ ଲାଗୁ କରି ପାରନ୍ତି, ଯାହା ଅଧୀନରେ ଲୋକମାନଙ୍କୁ ଘରେ ରହିବାକୁ କୁହାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.