ରାଜଧାନୀରେ ହଷ୍ଟେଲ ମାଳ ମାଳ: କେଉଁଠି ସୁବିଧା ତ ଆଉ କେଉଁଠି ଅସୁବିଧା

ରାଜଧାନୀ ଭୁବନେଶ୍ୱର ଏବେ ସ୍ମାର୍ଟ ହୋଇଯାଇଛି। ଫଳରେ ଏବେ ସମସ୍ତେ ସ୍ମାର୍ଟ ସିଟି ବୋଲି କହୁଛନ୍ତି। ଭୁବନେଶ୍ୱର ସ୍ମାର୍ଟ ହେବା ସହ ଏଠାରେ ଶିକ୍ଷା ବ୍ୟବସ୍ଥା ବି ଧୀରେ ଧୀରେ ଉନ୍ନତି କରୁଛି। ବିଭିନ୍ନ କୋଚିଂ ସେଣ୍ଟର, ଇନ୍‌ଷ୍ଟିଚ୍ୟୁଟ୍‌, ଅଫିସ୍‌, ମଲ୍‌ ସଂଖ୍ୟା ବି ଧୀରେ ଧୀରେ ବଢ଼ୁଛି। ଫଳରେ ଦିନେ ଛୋଟ ଥିବା ସହର ଏବେ କାୟା ବିସ୍ତାର କରି ବୃହତ୍‌ ସହର ଆଡ଼କୁ ମୁହାଁଉଛି। ପିଲାମାନେ ଚାକିରି ଆଶାରେ ବି ରାଜଧାନୀକୁ ଚାଲି ଆସୁଛନ୍ତି। ଫଳରେ ଜନବସତି ବି ବଢ଼ୁଛି। ତେବେ ଭୁବନେଶ୍ୱରରେ ଏବେ ସବୁଠୁ ଅଧିକ ବୋଧେ ଛାତ୍ରଛାତ୍ରୀଙ୍କ ସମାଗମ ଦେଖିବାକୁ ମିଳୁଛି। କିଏ ପାଠ ପଢ଼ିବାକୁ ଆସିଛି ତ ଆଉ କିଏ କମ୍ପିଟେଟିଭ୍‌ ପାଇଁ ପ୍ରସ୍ତୁତ ହେବାକୁ।

ପାଠ ପଢ଼ୁଥିବାରୁ ଓ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରୁଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ହଷ୍ଟେଲ। ଘରର ଭଡ଼ା ଅଧିକ ଥିବାରୁ କମ୍‌ ଦାମ୍‌ରେ ସେମାନେ ହଷ୍ଟେଲରେ ରହିବାକୁ ପସନ୍ଦ କରୁଛନ୍ତି। ଫଳରେ ଗୋଟିଏ ରୁମ୍‌ରେ ସେୟାରିଂ ବେଡ୍‌ରେ ନିଜ ଭବିଷ୍ୟତ ଗଢ଼ୁଛନ୍ତି ବର୍ତ୍ତମାନର ଛାତ୍ରଛାତ୍ରୀ। ଏଣୁ ଏବେ ଭୁବନେଶ୍ୱରରେ ଛତୁ ଫୁଟିଲା ଭଳି ବଢ଼ି ଚାଲିଛି ହଷ୍ଟେଲ। ଖାସ୍‌ କରି ଝିଅଙ୍କ ହଷ୍ଟେଲ ସଂଖ୍ୟା ଏଠାରେ ଅଧିକ। ପୁଅଙ୍କ ତୁଳନାରେ ଝିଅମାନେ ସାଧାରଣ ଓ କୌଣସି ଖରାପ ଅଭ୍ୟାସ ନଥିବାରୁ ଘର ମାଲିକମାନେ ସେମାନଙ୍କୁ ଘର ଦେବାକୁ ସୁରକ୍ଷିତ ମଣୁଛନ୍ତି।

ଏବେ ଭୁବନେଶ୍ୱରର ଗଳିକନ୍ଦିରେ ମାଳ ମାଳ ଲେଡିଜ୍‌ ହଷ୍ଟେଲ। ଦୁଇ ଚାରିଟି ଘର ଛାଡ଼ି ଦେଖିବାକୁ ମିଳୁଛି ଟୁ-ଲେଟ୍‌ର ବୋର୍ଡ। ସେ ପୁଣି କେବଳ ଝିଅ ଓ କର୍ମଜୀବି ମହିଳାଙ୍କ ପାଇଁ। ପରିବାରକୁ ଭଡ଼ା ଦେବା ଅପେକ୍ଷା ବ୍ୟାଚଲରଙ୍କୁ ଭଡ଼ା ଦେଲେ ପଇସା ବି ଅଧିକ ଆଉ ଖର୍ଚ୍ଚ କମ୍‌ ଥିବାରୁ ମାଲିକ ମାନେ ଏଥିପାଇଁ ଅଧିକ ଇଚ୍ଛୁକ ରହୁଛନ୍ତି। ଆଉ ଛୁଟି ହେଲେ ପିଲା ବି ଘରକୁ ଚାଲିଯିବେ, ଫଳରେ ଇଲେକ୍ଟ୍ରିକ୍‌ ଓ ପାଣି ବିଲ୍‌ ବି ବଞ୍ଚିଯିବ। ଏଣୁ ସବୁ ଦୃଷ୍ଟିରୁ ପିଲାଙ୍କୁ ହଷ୍ଟେଲ କରି ଘର ଭଡ଼ା ଦେଇ ଦେଲେ ଭଲ ବୋଲି ଘର ମାଲିକମାନେ ଏବେ ବୁଝିସାରିଲେଣି।

ମାଳ ମାଳ ହୋଇ ଗଢ଼ି ଉଠିଥିବା ଏହି ହଷ୍ଟେଲ ପିଲାଙ୍କ ଅବସ୍ଥା କିନ୍ତୁ ଭାରି ଶୋଚନୀୟ। କେଉଁଠି ଗୋଟିଏ ରୁମ୍‌ରେ ଗାଈ ଗୋରୁ ଭଳି ୫-୬ ପିଲା ରହୁଛନ୍ତି ତ ଆଉ କେଉଁଠି ବାଥ୍‌ରୁମ୍‌ ସୁବିଧା ନାହିଁ। ସେଥିରେ ପୁଣି ପରିଷ୍କାର ପରିଚ୍ଛନ୍ନତାର ଅଭାବ। ମାସକୁ ମାସ ମୋଟା ଅଙ୍କର ଭଡ଼ା ଆଦାୟ କରିସାରିବା ପରେ ପିଲାଙ୍କ ସୁବିଧା କଥା କୌଣସି ମାଲିକ ଦେଖୁ ନାହାନ୍ତି। ସେହିପରି ହଷ୍ଟେଲର ଆଉ ଏକ ବଡ଼ ସମସ୍ୟା ହେଉଛି ରୋଷେଇ। ହଷ୍ଟେଲରେ ଗୋଟିଏ ରୁମ୍‌ରେ ୫-୬ ଜଣ ପିଲା ରହୁଥିବା ବେଳେ ରୋଷେଇ ବି ସେହି ରୁମ୍‌ରେ କରିବାକୁ ପଡ଼ୁଛି। ଫଳରେ ଘର ଶୋଇବା ଯୋଗ୍ୟ ରହୁନାହିଁ। କମ୍‌ ପଇସା ପଡ଼ୁଥିବାରୁ ପକେଟ୍‌କୁ ଜଗି ପିଲାଙ୍କୁ ବାଧ୍ୟ ହୋଇ ରୁନ୍ଧି ହୋଇ ଗୋଟିଏ ରୁମ୍‌ରେ ରାନ୍ଧିବାଢ଼ି ଖାଇବା ସହ ରହିବାକୁ ବି ପଡ଼ୁଛି। ଏଥିପାଇଁ ଅଭିଯୋଗ ଶୁଣିବାକୁ ବି କେହି ନାହାନ୍ତି।

ସେହିପରି ରାଜଧାନୀର କିଛି ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ବି ନାହିଁ। ଝିଅମାନେ କେତେବେଳେ ରୁମ୍‌କୁ ଗଲେ ଆସିଲେ, ତା’ର ହିସାବ ରଖିବାକୁ ବି କେହି ନାହାନ୍ତି। ଏହାର ଫାଇଦା ଉଠାଇ ଝିଅମାନେ ବି ବେଳେ ବେଳେ ସାଙ୍ଗସାଥୀଙ୍କ ସହ ବାହାରେ ରହିଯାଉଛନ୍ତି। କେହି ଜାଣିପାରୁନାହାନ୍ତି। ଫଳରେ ପରେ ବିଭିନ୍ନ ଘଟଣା ଦୁର୍ଘଟଣା ଘଟୁଛି।

କିଛି ଭଲ ହଷ୍ଟେଲ ବି ଅଛନ୍ତି:

ଅନ୍ୟପଟେ ଏବେ ବି ସହରରେ ଏମିତି କିଛି ଲେଡିଜ୍‌ ହଷ୍ଟେଲ ଅଛି ଯେଉଁଠାରେ ପିଲାଙ୍କ ଦାୟିତ୍ୱରେ ଜଣେ ମହିଳା ନିୟୋଜିତ ଅଛନ୍ତି। ଯିଏ ହଷ୍ଟେଲର ସୁବିଧା ଅସୁବିଧା ବୁଝିବା ସହ ପିଲାଙ୍କ ଖବର ବି ରଖୁଛନ୍ତି। ଫଳରେ ସୁରୁଖୁରୁରେ ହଷ୍ଟେଲ ଚାଲିଛି।

ସମାଧାନ ବାଟ:

ତେବେ ଅଧିକାଂଶ ହଷ୍ଟେଲରେ ଏତେ ସବୁ ସମସ୍ୟାର ମୁଖ୍ୟ କାରଣ ହେଉଛି ପରିଚାଳନାର ଅଭାବ। ଯଦି ପ୍ରତ୍ୟେକ ହଷ୍ଟେଲ ପୋଲିସ ଷ୍ଟେସନ୍‌ରେ ନିଜ ରେଜିଷ୍ଟ୍ରେସନ୍‌ କରାନ୍ତେ, ତେବେ ସହରରେ କେତେ ଲେଡିଜ୍‌ ହଷ୍ଟେଲ ରହିଛି ତାହାର ସଠିକ୍‌ ହିସାବ ପୋଲିସ ପାଖରେ ରହିପାରନ୍ତା। ଏଥିସହ ହଷ୍ଟେଲରେ ରେଜିଷ୍ଟର ମେଣ୍ଟେନ୍‌ ହେବାର ଆବଶ୍ୟକତା ବି ରହିଛି। ଏହା ଦ୍ୱାରା କିଏ କେତେବେଳେ କୁଆଡ଼େ ଗଲା, ତାହାର ସଠିକ୍‌ ହିସାବ ମାଲିକ ପାଖରେ ରହିପାରିବ। ଫଳରେ ପିଲା ବି ସୁରକ୍ଷିତ ରହିବେ ଆଉ ମାଲିକ ବି ଅଚିନ୍ତାରେ।

Also Read: ବଢ଼ିଲା ଅମୁଲ କ୍ଷୀର ଦର, ଆଜିଠୁ ଲିଟର ପିଛା ଦେବାକୁ ହେବ ଆଉ ଅଧିକ ୨ ଟଙ୍କା

Leave A Reply

Your email address will not be published.