Below header

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା, ଯିଏ ପୂର୍ବରୁ ରାସ୍ତାରେ ମାଗୁଥିଲେ ଭିକ

ପାକିସ୍ତାନର ନିଶା ରାଓଙ୍କ ନାମ ଆଜିକାଲି ସାରା ବିଶ୍ବରେ ଚର୍ଚ୍ଚିତ । ନିଶା ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର(କିନ୍ନର) ଓକିଲ। ନିଶା ରାସ୍ତାରୁ ନେଇ କାଠଗଡା ପର୍ଯ୍ୟନ୍ତ ସଂଘର୍ଷ କେବଳ ନିଜ ଦମରେ କରିଛନ୍ତି। ନିଶା ଏକ ଏନଜିଓ ସହିତ ମଧ୍ୟ ଜଡିତ ଅଛନ୍ତି, ଯିଏକି ଟ୍ରାନ୍ସଜେଣ୍ଡରଙ୍କ ପାଇଁ କାମ କରିଥାଏ।

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା ରାଓ ସାରା ବିଶ୍ବ ପାଇଁ ଉଦାହରଣ ସାଜିଛନ୍ତି। ସେ କରାଚୀ ବାର ଆସୋସିଏସନରୁ ଲାଇସେନ୍ସ ହାସଲ କରିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର। ନିଶାଙ୍କ ସଂଘର୍ଷର କାହାଣୀ ସାରା ବିଶ୍ବର ଲୋକଙ୍କ ପାଇଁ ପ୍ରେରଣାଦାୟକ ପାଲଟିଛି । ଲାହୋରରେ ଜନ୍ମିତ ନିଶାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେ ନିଜ ଘର ଛାଡି ଦେଇଥିଲେ ଓ କରାଚୀରେ ପହଁଞ୍ଚିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ୟ କିନ୍ନରଙ୍କ ସହିତ ରାସ୍ତା କଡରେ ଭିକ ମାଗି ଚଳୁଥିଲେ। କିନ୍ତୁ କିଛି ଭିନ୍ନ ଓ ଭଲ କରିବାର ଚେଷ୍ଟା ତାଙ୍କ ମନରେ ସୃଷ୍ଟି ହୋଇଥିଲା। ସେ ଲ’ ଆଡମିଶନ୍ କରିଥିଲେ ଓ ସମୟ ବାହାର କରି ପାଠପଢିବା ଆରମ୍ଭ କରିଦେଇଥିଲେ।

nisha rao

ନିଶାଙ୍କୁ କରାଚୀ ବାର ଆସୋସିଏସନ୍ ଓକିଲାତି କରିବାକୁ ଲାଇସେନ୍ସ ଜାରି କରିଥିଲା। ନିଶା ଏପର୍ଯ୍ୟନ୍ତ ୫୦ଟି କେସ୍ ଲଢିସାରିଛନ୍ତି। ସେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ କାମ କରୁଥିବା ଏକ ସଂସ୍ଥା ସହିତ ମଧ୍ୟ ଜଡିତ ଅଛନ୍ତି। ଟ୍ରାନ୍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ସହ ସମାନ ଭାବରେ ଠିଆ କରାଇବାକୁ ସେ ଚାହାନ୍ତି। ସେ କହିଛନ୍ତି, ଆଗକୁ ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ବିଚାରପତି ହେବାକୁ ଚାହାନ୍ତି। ଉଲ୍ଲେଖନୀୟ ଯେ, ପାକିସ୍ତାନରେ ଟ୍ରାନ୍ସଜେଣ୍ଡରଙ୍କୁ ସାଧାରଣ ଲୋକଙ୍କ ଭାବରେ ମାନ୍ୟତା ଦେବା ପାଇଁ ୨୦୧୮ରେ ଏକ ଆଇନକୁ ମଞ୍ଜୁରୀ ଦିଆଯାଇଥିଲ। ଏହି ଆଇନରେ ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ଭେଦଭାବ ଓ ହିଂସା ପାଇଁ ଦଣ୍ଡର ନିୟମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.