Below header

କହିଲେ ଯାହା କରି ଦେଖାଇଲେ, ପଶ୍ଚିମବଙ୍ଗରେ ଷ୍ଟ୍ରାଟେଜି ପ୍ରସ୍ତୁତ କରି ଟିଏମସିକୁ ଜିତାଇଲେ ପ୍ରଶାନ୍ତ କିଶୋର

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ପ୍ରଶାନ୍ତ ମ୍ୟାଜିକ୍‌ । ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଗୋଟି ଚାଳନା ଆଗରେ ଫିକା ପଡ଼ିଲା ବିଜେପିର ହାଇଭୋଲଟେଜ ପ୍ରଚାର। ବଙ୍ଗରେ ଦିଦିଙ୍କୁ ପୁଣି ଥରେ ବିଜୟ ମୁକୁଟ ପିନ୍ଧାଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର । ବିଜେପିର ଛାମୁଆ ନେତାଙ୍କ ପ୍ରଚାର, ଟିଏମ୍‌ସିର ବହୁ ନେତା ବିଜେପିରେ ଯୋଗଦେବା ସତ୍ତ୍ୱେ ପ୍ରଶାନ୍ତଙ୍କ ଗୋଟି ଚାଳନା ଆଗରେ ଧରାଶାୟୀ ହୋଇଛି ପଦ୍ମ ଦଳ। ୨୦୨୧ ବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଟିଏମସିର ରଣନୀତିଜ୍ଞ ଦାୟିତ୍ୱ ନେଇଥିଲେ ପ୍ରଶାନ୍ତ। ବଙ୍ଗବାସୀ କ’ଣ ଚାହୁଁଛନ୍ତି ତାକୁ ନେଇ ସେ ରଣନୀତି ପ୍ରସ୍ତୁତ କରିଥିଲେ । ଆଉ ପାଇଁ ନିର୍ବାଚନ ଷ୍ଟ୍ରାଟେଜି ଶେଷରେ ସଫଳ ହୋଇଛି। ଚଳିତ ବିଧାନସଭା ନିର୍ବାଚନରେ ତାମିଲନାଡୁରେ ମଧ୍ୟ ୧୦ବର୍ଷ ପରେ ଡିଏମକେକୁ କ୍ଷମତାକୁ ଆଣିବାରେ ରହିଛି ପ୍ରଶାନ୍ତ କିଶୋରଙ୍କ ଷ୍ଟ୍ରାଟେଜି।

ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମ୍‌ସିକୁ ଜିତାଇବା ସହ ନିର୍ବାଚନ ରଣନୀତିରୁ ଓହରିଛନ୍ତି ପ୍ରଶାନ୍ତ କିଶୋର । ଏହି କାର୍ଯ୍ୟରେ ଆଉ ଅଧିକ ଦିନ କାମ କରିବାକୁ ଇଚ୍ଛା ନଥିବା ସେ କହିଛନ୍ତି। ଆଗକୁ ତାଙ୍କ ଆଇ-ପିଏସି ସଂସ୍ଥାକୁ ତାଙ୍କ ସହଯୋଗୀମାନେ ପରିଚାଳନା କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ । ପ୍ରଶାନ୍ତ କିଶୋର ନିଜ ଦାୟିତ୍ୱରୁ ଓହରିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିଜେପିର ବିଜୟ ନେଇ କେତେକ ସମର୍ଥିତ ଗଣମାଧ୍ୟମ ଖବର ପ୍ରଚାର ଚଳାଇଥିଲେ ମଧ୍ୟ ବିଜେପି ଦୁଇ ଅଙ୍କ ଛୁଇଁବାକୁ କଷ୍ଟକର ହେବ ବୋଲି ୨୦୨୦ ଡିସେମ୍ବର ୨୧ ତାରିଖରେ ଟ୍ଵିଟ କରିଥିଲେ । ବିଜେପି ଭଲ ପ୍ରଦର୍ଶନ କଲେ ସେ ଓହରିଯିବେ ବୋଲି କହିଥିଲେ । ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ତାଙ୍କ ଅଡିଓ ବାର୍ତ୍ତାକୁ ନେଇ ବିବାଦ ଉଠିଥିଲା। ତେବେ ଏହାକୁ ବିଜେପି ପ୍ରାୟୋଜିତ ବୋଲି କହିଥିଲେ ପ୍ରଶାନ୍ତ।

prakash 3

୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ ପ୍ରଶାନ୍ତ । ପରେ ୨୦୧୫ରେ ବିହାରରେ ନୀତୀଶ କୁମାରଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ପରେ ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ, ପଞ୍ଜାବରେ କଂଗ୍ରେସ, ବିହାରରେ ଜେଡିୟୁ ଓ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳକୁ ବିଜୟୀ କରାଇଥିଲେ। କିଛିଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ପ୍ରଶାନ୍ତ କିଶୋରଙ୍କୁ ପ୍ରଧାନ ଉପଦେଷ୍ଟା ଭାବେ ନିଯୁକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.