ୟୁପି: ଯମୁନା ଏକ୍ସପ୍ରେସ୍‌ ୱେରେ ଯୁବକଙ୍କ ମୃତଦେହକୁ ୧୦ କିମି ଘୋଷାଡ଼ି ନେଲା କାର୍‌; ପୋଲିସ ଜବତ କଲା ଖଣ୍ଡବିଖଣ୍ଡିତ ଅଂଶ

ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଦିଲ୍ଲୀ କଂଝାଓ୍ଵଲା ଭଳି ଘଟଣା ସାମ୍ନାକୁ ଆସିଛି। ଯମୁନା ଏକ୍ସପ୍ରେସ୍‌ ୱେରେ ଏକ ସ୍ୱିଫ୍ଟ କାର୍‌ ଜଣେ ଯୁବକଙ୍କ ମୃତଦେହକୁ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି। ମାଣ୍ଟ ଟୋଲ ପ୍ଲାଜାରେ ଗାଡ଼ି ଅଟକିବାରୁ ସିକ୍ୟୁରିଟି ଗାର୍ଡ ପ୍ରଥମେ ଏହି ଭୟାବହ ଦୃଶ୍ୟ ଦେଖିବାକୁ ପାଇଥିଲେ, ଯାହାକି ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏ ନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ପହଞ୍ଚି ମୃତଦେହର ଖଣ୍ଡବିଖଣ୍ଡିତ ଅଂଶ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଖବରରୁ ଜଣାପଡ଼ିଛି ଯେ ମଥୁରା ଥାନା ମାଣ୍ଟ ଅଞ୍ଚଳରେ ଯମୁନା ଏକ୍ସପ୍ରେସ୍‌ ୱେରେ ଟୋଲ ଟ୍ୟାକ୍ସ କାଟିବା ପାଇଁ ଏକ ସ୍ୱିଫ୍ଟ କାର୍‌ ଅଟକିଥିଲା। ଏହି ସମୟରେ ସେଠାରେ ଛିଡ଼ା ହୋଇଥିବା ଟେଲ୍‌ କର୍ମଚାରୀଙ୍କ ନଜର କାର୍‌ ପଛପାର୍ଶ୍ୱ ଉପରେ ପଡ଼ିଥିଲା। କାରଣ, କାର୍‌ ପଛରେ ଫସି ରହିଥିଲା ଏକ କ୍ଷତବିକ୍ଷତ ମୃତଦେହ। ଏହା ଦେଖି ଲାଗୁଥିଲା ଯେପରି ଅନେକ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେବା କାରଣରୁ ମୃତଦେହଟି ଖଣ୍ଡବିଖଣ୍ଡିତ ହୋଇଯାଇଛି।

ସ୍ଥାନୀୟ ଗ୍ରାମାଞ୍ଚଳ ଏସ୍‌ପି ତ୍ରିଗୁଣ ବିଶନ କହିଛନ୍ତି, ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ଜଣାପଡ଼ିଛି ଯେ ଯମୁନା ଏକ୍ସପ୍ରେସ୍‌ ୱେର ମାଇଲ୍‌ଷ୍ଟୋନ ୧୦୬ରେ ଜୋତା, ମୋବାଇଲ ଏବଂ ଶରୀରର ଅବଶେଷ ପଡ଼ିଛି। ଆଶଙ୍କା କରାଯାଉଛି କି, ଦୁର୍ଘଟଣା ଏହି ଜାଗାରେ ହିଁ ହୋଇଛି। ପୋଲିସ ମୃତକଙ୍କ ପରିଚୟ ଖୋଜିବାରେ ଲାଗିଛି।

ସୂଚନା ମୁତାବକ, ଏକ ସ୍ୱିଫ୍ଟ କାର୍‌ (DL12 CT2125) ଆଗ୍ରାରୁ ନୋଏଡା ଅଭିମୁଖେ ଯାଉଥିବା ସମୟରେ ଏପରି ଘଟଣା ଘଟିଥିଲା। ସେପଟେ କାର୍‌ ଚାଳକ ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। ତାଙ୍କ କହିବା ହେଲା, ଯମୁନା ଏକ୍ସପ୍ରେସ୍‌ ୱେ ବହୁତ କୁହୁଡ଼ିଆ ଥିଲା। ଦୁର୍ଘଟଣା ଆଉ କେଉଁ ଗାଡ଼ିରେ ହୋଇଥିବ ଏବଂ ମୃତଦେହ ତାଙ୍କ ଗାଡ଼ିରେ ଫସି ଯାଇଥିବ ବୋଲି ସେ ପୋଲିସକୁ କହିଛନ୍ତି। ବର୍ତ୍ତମାନ ପୋଲିସ ଏକ୍ସପ୍ରେସ୍‌ ୱେରେ ଲାଗିଥିବା ସିସିଟିଭି କ୍ୟାମେରା ସହାୟତାରେ ଦୁର୍ଘଟଣାର କାରଣ ଖୋଜିବାରେ ଲାଗିପଡ଼ିଛି। କହି ରଖୁଛୁ, ଗତ ଜାନୁୟାରୀରେ ମଧ୍ୟ ଦିଲ୍ଲୀର କଂଝାଓ୍ଵଲା ଅଞ୍ଚଳରେ ଏମିତି ହିଁ ଏକ ଦୁର୍ଘଟଣା ମାମଲା ସାମ୍ନାକୁ ଆସିଥିଲା।