Below header

ସ୍କୁଲ ଡ୍ରପଆଉଟ, ପୁଣି ୮ ହଜାର ଟଙ୍କାରେ ଚାକିରି, ଆଉ ଏବେ ଭାରତର ସବୁଠୁ ଯୁବ ଅରବପତି

ପିଲାବେଳେ ସ୍କୁଲ ଯିବା ସମୟରେ ଆପଣ ଅନେକ ଦୁଷ୍ଟାମୀ କରିଥିବେ। ଅନେକ ଥର ସ୍କୁଲ ବନ୍ଦ କରିବା, ସ୍କୁଲ ନ ଯାଇ ସାଙ୍ଗମାନଙ୍କ ସହ ଚେସ୍ ଖେଳିବା, ପୁଣି ଉପସ୍ଥାପନ କମ୍ ହେବା କାରଣରୁ ବୋର୍ଡ ପରୀକ୍ଷା ଦେଇନପାରିବା ଏମିତି ଅନେକଙ୍କ ସହିତ ହୋଇଥିବ। ଆଉ ଏହି କାରଣରୁ ପୁଣି ସ୍କୁଲ ଡ୍ରପ୍ ଆଉଟ୍ ହେବା। ଏମିତି ଘଟଣା ଅଳ୍ପେ ବହୁତେ କିଏ ନିଜ ନିଭାଇଥିବା ବେଳେ ଆଉ କିଛି ଆମେ ଫିଲ୍ମ କାହାଣୀରେ ନିଶ୍ଚିତ ଦେଖିଥିବା। କିନ୍ତୁ ଏମିତି ଜଣେ ବ୍ଯକ୍ତି ରହିଛନ୍ତି, ଯାହାଙ୍କ ଜୀବନରେ ଏହା ସତକାହାଣୀ ହୋଇଛି। ସେ ହେଉଛନ୍ତି ଭାରତର ସବୁଠୁ ଯୁବ ଅରବପତି ନିଖିଲ କାମତଙ୍କର।

ନିଖିଲ କାମତଙ୍କ ବୟସ ବର୍ତ୍ତମାନ ୩୪ ବର୍ଷ। ଏହି ବୟସରେ ସେ ଦେଶର ସବୁଠୁ ଯୁବ ଅରବପତି ପାଲଟିଛନ୍ତି। ନିଖିଲ କାମତ ବ୍ରୋକରେଜ୍ ଫର୍ମ ଜେରୋଧାର ସହ ସଂସ୍ଥାପକ ଏବଂ ସିଆଇଓ। ଆଜି ଜେରୋଧା ଦେଶର ସବୁଠୁ ବଡ ବ୍ରୋକରେଜ୍ ଫର୍ମ କମ୍ପାନୀ। ନିଖିଲ କାମତ ୨୦୧୦ ମସିହାରେ ଏହାର ଆରମ୍ଭ କରିଥିଲେ।

ମାତ୍ର ୧୪ ବର୍ଷ ବୟସରେ ନିଖିଲଙ୍କ ମନରେ ବ୍ଯବସାୟ କରିବାର ଆଇଡିଆ ଆସିଥିଲା। ସେ ନିଜ ସାଙ୍ଗଙ୍କ ସହ ମିଶି ପୁରୁଣା ଫୋନ କିଣାବିକା ଆରମ୍ଭ କରି ଦେଇଥିଲେ। ମା ଏହା ଜାଣିବା ପରେ ସମସ୍ତ ଫୋନକୁ ଟଏଲେଟ୍ରେ ଫ୍ଲସ୍ ମାରି ଦେଇଥିଲେ ଓ କାମତଙ୍କ ଏହି ବିଜନେସ୍ ବନ୍ଦ ହୋଇ ଯାଇଥିଲା।

ଗତ ଦିନରେ ଏକ ସାକ୍ଷାତକାରରେ ନିଖିଲ କାମତ କହିଥିଲେ, ତାଙ୍କୁ ସ୍କୁଲର ପାରମ୍ପରିକ ପଢା ପ୍ରତି ମନ ଲାଗୁନଥିଲା। ତାଙ୍କର ଚେସ୍ ପ୍ରତି ଅହେତୁକ ମୋହ ଥିଲା। ପୁରୁଣା ଫୋନ୍ କିଣିବା-ବିକିବା କାମ ସେ ୧୪ ବର୍ଷରୁ ଆରମ୍ଭ କରିଥିଲେ ମଧ୍ୟ ଏହା ତାଙ୍କର ପ୍ରଥମ ବିଜନେସ୍ ଥିଲା ।
ନିଖିଲ କାମତଙ୍କ ଜୀବନରେ ସେହି ସମୟରେ ଏକ ଗୁରୁତ୍ଵପୂର୍ଣ୍ଣ ମୋଡ୍ ନେଇଥିଲା ଯେବେ ତାଙ୍କୁ କମ ଉପସ୍ଥାପନ କାରଣରୁ ବୋର୍ଡ ପରୀକ୍ଷା ଦେବାକୁ ରୋକା ଯାଇଥିଲା। ଏହା ପରେ ସେ ସ୍କୁଲ ଛାଡି ଦେଇଥିଲେ। ପୁଅର ଏମିତି ଆବଭାବରେ ମା-ବାପା ଚିନ୍ତିତ ଥିଲେ। ସ୍କୁଲ ଡ୍ରପ୍ ଆଉଟ୍ ହେବା ପରେ କଣ କରିବେ ନିଖିଲ କିଛି ବୁଝି ପାରୁନଥିଲେ।

ସ୍କୁଲରୁ ଡ୍ରପ୍ ଆଉଟ୍ ହେବା ପରେ ନିଖିଲ ଏକ କଲ୍ସେଣ୍ଟରରେ ମାସିକ ୮୦୦୦ ଟଙ୍କାରେ ଚାକିରି କରିଥିଲେ। ଏହି ଚାକିରି ପାଇବା ପାଇଁ ନିଖିଲଙ୍କୁ ନକଲି ଜନ୍ମ ପ୍ରମାଣପତ୍ରର ସାହାରା ନେବାକୁ ପଡିଥିଲା। କାରଣ ସେହି ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲା। ନିଖିଲ ନିଜର ଏହି ରୋଚକ କାହାଣୀ ହ୍ୟୁମାନ ଅଫ ବମ୍ବେ ସହ ଆଲୋଚନା ବେଳେ କହିଛନ୍ତି।

nikhili
photo credit: Mint

କଲ୍ ସେଣ୍ଟରରେ କାମ କରିବା ବେଳେ କାତମଙ୍କ ସେୟାର ବଜାର ପ୍ରତି ରୁଚି ବଢିବାରେ ଲାଗିଥିଲା। ସେ ୧୮ ବର୍ଷ ବୟସରେ ସେୟାର ବଜାରରେ ପାଦ ଦେଇଥିଲେ। ଆରମ୍ଭରେ ସେ କଲ୍ ସେଣ୍ଟରର ମ୍ୟାନେଜର ସମେତ କର୍ମଚାରୀଙ୍କ ଟଙ୍କା ସେୟାର ବଜାରରେ ଲଗାଇଥିଲେ। ଯେଉଁମାନେ ଭରସା ରଖି ନିଖିଲଙ୍କୁ ପଇସା ଦେଇଥିଲେ ସେମାନଙ୍କୁ ସେ ଭଲ ରିଟର୍ଣ୍ଣ ବି ଦେଇଥିଲେ।

ଏହା ପରେ ୨୦୧୦ରେ ନିଖିଲ କାମତ ନିଜର ବଡ ଭାଇ ନୀତିନ କାମତଙ୍କ ସହିତ ମିଶି ବ୍ରୋକରେଜ୍ ଫର୍ମ ଜେରୋଧା ଆରମ୍ଭ କରିଥିଲେ। ଏହା ପରଠୁ ସେ ଆଉ କେବେ ପଛକୁ ଫେରି ଚାହିଁନଥିଲେ। ୨୦୨୦ରେ ଫୋବର୍ସ ଏହି ଦୁଇ ଭାଇଙ୍କୁ ଭାରତର ୧୦୦ ସବୁଠୁ ଧନୀ ଲୋକଙ୍କ ତାଲିକାରେ ସାମିଲ କରିଛି।

ଜେରୋଧା ବ୍ୟତୀତ ନିଖିଲ ନିଜର ବଡ ଭାଇଙ୍କ ସହ ମିଶି ଏସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ True Beacon ଆରମ୍ଭ କରିଥିଲେ। ନିଖିଲଙ୍କ ଅନୁଯାୟୀ, କରୋନା ସଙ୍କଟ କାରଣରୁ ୨୦୨୦ରେ ସେୟାର ବଜାର ପାଇଁ ଖରାପ ସମୟ ଥିଲା। ମାତ୍ର ଏହି ସମୟରେ ତାଙ୍କ ଫର୍ମ ପ୍ରାୟ ୨୦ ହଜାର ନୂତନ ଗ୍ରାହକ ଯୋଡିଥିଲେ। ଏବେ ଜେରୋଧାରେ ପ୍ରାୟ ୪୦ ଲକ୍ଷ ପଞ୍ଜୀକୃତ ଗ୍ରାହକ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.