ମଧ୍ୟପ୍ରଦେଶ: ଭୋଟିଂ ପରେ ଇଭିଏମ୍ ଓ କର୍ମଚାରୀଙ୍କୁ ଧରି ଫେରୁଥିଲା ବସ୍, ହଠାତ୍ ଲାଗିଗଲା ନିଆଁ
୨୦୨୪ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୯ଟି ଆସନରେ ମଧ୍ୟ ମତଦାନ ହୋଇଥିଲା । ତେବେ ବର୍ତ୍ତମାନ ଏକ ଖବରରୁ ଜଣାପଡ଼ିଛି ଯେ ଭୋଟିଂ ସମାପ୍ତ ହେବା ପରେ ରାଜ୍ୟର ବେତୁଲରେ ବଡ଼ ଦୁର୍ଘଟଣା ଘଟିଛି ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୯ଟି ଆସନରେ ମଧ୍ୟ ମତଦାନ ହୋଇଥିଲା । ତେବେ ବର୍ତ୍ତମାନ ଏକ ଖବରରୁ ଜଣାପଡ଼ିଛି ଯେ ଭୋଟିଂ ସମାପ୍ତ ହେବା ପରେ ରାଜ୍ୟର ବେତୁଲରେ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ମତଦାନ ପରେ ଇଭିଏମ୍ ଏବଂ ପୋଲିଂ କର୍ମଚାରୀଙ୍କୁ ଧରି ଫେରୁଥିବା ଏକ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା ।
ଏହି ବସ୍ ବେତୁଲ ଜିଲ୍ଲାର ୬ଟି ମତଦାନ କେନ୍ଦ୍ରରୁ ଭୋଟ୍ ସାମଗ୍ରୀ ଧରି ଫେରୁଥିଲା । ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀଙ୍କ କହିଛନ୍ତି ଯେ ବସ୍ଟି ୬ଟି ମତଦାନ କେନ୍ଦ୍ରର ଭୋଟ୍ ସାମଗ୍ରୀ ଏବଂ କର୍ମଚାରୀଙ୍କୁ ଧରି ବେତୁଲ ଆସୁଥିଲା । ଜିଲ୍ଲାର ସାଇଖେଡ଼ା ଥାନା ଅଧୀନ ବିସନୁର ଓ ପୌନି ଗୋଲା ଗ୍ରାମ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ।
ରାତି ପ୍ରାୟ ୧୧ଟା ସମୟରେ ବସ୍ରେ ନିଆଁ ଲାଗିଥିବା ସୂଚନା ରହିଛି । ଜିଲ୍ଲାପାଳ କହିଛନ୍ତି ଯେ ଘଟଣାର ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ । ସେଠାରୁ ଯାହା ନିର୍ଦ୍ଦେଶ ମିଳିବ, ତାହାକୁ ପାଳନ କରାଯିବ ।
ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ବେତୁଲ, ମୁଲତାଇ ଏବଂ ଆଠନେରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯଦିଓ ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଲା ବେଳକୁ ବସ୍ଟି ସମ୍ପୂର୍ଣ୍ଣ ଜଳିସାରିଥିଲା । ତେବେ ଡ୍ରାଇଭର ଜଳନ୍ତା ବସ୍ରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ ।
ଦୁର୍ଘଟଣାରେ ସମସ୍ତ କର୍ମଚାରୀ ମଧ୍ୟ ସୁରକ୍ଷିତ ଅଛନ୍ତି । ଗତକାଲି ଏହି ବସ୍ରେ ଇଭିଏମ୍ ମେସିନ୍, ଭିଭିପାଟ୍ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଥିଲା । ସେଥିମଧ୍ୟରୁ ୨ଟି ମତଦାନ କେନ୍ଦ୍ରର ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ଅନ୍ୟ ୪ଟି ମତଦାନ କେନ୍ଦ୍ରର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ପୋଲିଂ କର୍ମଚାରୀଙ୍କୁ ଅନ୍ୟ ବସ୍ ଯୋଗେ ପଠାଇବା ସହ ଅବଶିଷ୍ଟ ସାମଗ୍ରୀକୁ ସୁରକ୍ଷିତ ଭାବରେ ବେତୁଲ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ । ଏହାପରେ ସେମାନେ ଫେରି ଆସିଥିଲେ ।