Below header

ଆଜିଠୁ ସଂସଦ ଶୀତ ଅଧିବେଶନ, ଫୋକସରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତ ଅଧିବେଶନ। ପ୍ରଥମ ଦିନ ଲୋକସଭାରେ ଆଗତ ହେବ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍‌ । ସେହିପରି ରାଜ୍ୟସଭାରେ ଡ୍ୟାମ ସୁରକ୍ଷା ବିଲ ୨୦୧୯ ଉପରେ ଆଲୋଚନା ହେବ । ଏପଟେ ଖେରି ହିଂସା, ଏମଏସପି, ଦରଦାମ ବୃଦ୍ଧି, ଭାରତ-ଚୀନ୍‌ ଏଲଏସି ଭଳି ବହୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ବିରୋଧୀ।

ଏଥିସହିତ ବିଜେଡି ଉଠାଇବ ଓଡ଼ିଶାରେ ଉସୁନା ଚାଉଳ କିଣିବା, ମହିଳା ଆରକ୍ଷଣ ବିଲ୍‌ ଓ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ଅନୁମତି ଦେବା ଆଦି ପ୍ରସଙ୍ଗ । ଗତକାଲି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କହିଛନ୍ତି ଦଳ କୃଷି ଆଇନ ଉଚ୍ଛେଦ ବିଲ୍‌କୁ ସମର୍ଥନ କରୁଛି। ଏହା ସହ ଏମଏସପିର ଗ୍ୟାରେଣ୍ଟି ନେଇ ଆଇନ ପ୍ରଣୟନ କରିବାକୁ ସେ ମଧ୍ୟ ସମର୍ଥନ କରିଛନ୍ତି ।

ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଓଡ଼ିଶାରେ ଉସୁନା ଚାଉଳ କିଣିବାକୁ ମନାକରି ଦିଆଯାଇଥିବାରୁ ବିଜେଡ଼ି ଏହି ପ୍ରସଙ୍ଗକୁ ସଂସଦର ଶୀତ ଅଧିବେଶନରେ ଜୋରଦାର ଉଠାଇବ। ଓଡ଼ିଶାରେ ୨୮ଲକ୍ଷ ମେଟ୍ରିକ ଟନ ବଳକା ଚାଉଳକୁ ନିଗମ କିଣୁ ନଥିବାରୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହ ମହିଳା ସଂରକ୍ଷଣ ବିଲ୍‌ ଓ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ ଉଠାଇବ ବିଜେଡ଼ି। ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ନିୟମ ଅନୁଯାୟୀ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.