Below header

୧୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି, ସୃଷ୍ଟି ହେବ ୨ ଲକ୍ଷ ସରକାରୀ ଚାକିରି : ନବୀନ ଦେଲେ ପ୍ରତିଶୃତି

ପୁଣି ବିଜେଡି ସରକାର ଆସିଲେ ଲୋକେ ପାଇବେ ବିଜୁଳି ଦେୟରୁ ମୁକ୍ତି

(କେନ୍ୟୁଜ ବ୍ୟୁରୋ) : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ୧୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି । ପୁଣି ବିଜେଡି ସରକାର ଆସିଲେ ଲୋକେ ପାଇବେ ବିଜୁଳି ଦେୟରୁ ମୁକ୍ତି । ଯୁବଶକ୍ତି ପାଇଁ ଆସିବ ସ୍ୱତନ୍ତ୍ର ବଜେଟ । ସୃଷ୍ଟି ହେବ ୨ ଲକ୍ଷ ସରକାରୀ ଚାକିରି । ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା । ବିନା ସୁଧରେ ୧୫ ଲକ୍ଷ ଟଙ୍କା ଯାଏଁ ମିଳିବ ଋଣ । ବିଏସକେୱାଇର କାର୍ଡର ପରିସର ବୃଦ୍ଧି କରାଯିବ ।

୧୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି

ବିଜେଡି ନିର୍ବାଚନୀ ଇସ୍ତାହାରରେ ଘୋଷଣା ହୋଇଛି ୧୦୦ ୟୁନିଟ୍ ମାଗଣା ବିଜୁଳି । ବିଜେଡି କ୍ଷମତାକୁ ଫେରିଲେ ବିଜୁଳି ଦେୟରୁ ମୁକ୍ତି ପାଇବେ ରାଜ୍ୟର ଜନସାଧାରଣ । ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପରିବାରକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ୧୫୦ ୟୁନିଟ ଯାଏଁ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ୫୦ ୟୁନିଟ ପାଇଁ ରିହାତି ମିଳିବ । ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ରାଜ୍ୟରେ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟରୁ କମ ବିଜୁଳି ବ୍ୟବହାର କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଲୋକଙ୍କ ବିଜୁଳି ବ୍ୟବହାର ୧୦୦ ୟୁନିଟରୁ କମ ରହିଥାଏ । ୧୦ ପ୍ରତିଶତ ପରିବାର ୧୦୦ ରୁ ୧୫୦ ୟୁନିଟ ଭିତରେ ବିଦ୍ୟୁତ ବ୍ୟବହାର କରୁଛନ୍ତି । ତେଣୁ ମୋଟ ଉପରେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟାକୁ ବିଦ୍ୟୁତ ବୋଝ ପଡ଼ିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷକଙ୍କୁ ମଧ୍ୟ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ । ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ମଧ୍ୟ ଉତ୍ସାହିତ କରିବ – ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯୁବଶକ୍ତି ପାଇଁ ଆସିବ ସ୍ୱତନ୍ତ୍ର ବଜେଟ

ସେହିପରି ବିଜେଡି ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ଖୁସି ଖବର । ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଯୁବଶକ୍ତି ପାଇଁ ଆସିବ ସ୍ୱତନ୍ତ୍ର ବଜେଟ । ଏଥିପାଇଁ ଖର୍ଚ୍ଚ ହେବ ୧ ଲକ୍ଷ କୋଟି ଟଙ୍କା । ଆଗାମୀ ୧୦ ବର୍ଷ ପାଇଁ ଏହି ବଜେଟ ହେବ । ଏଥିସହ ସରକାର ଲାଗୁ କରିବେ ନୂଆ-ଓ ଛାତ୍ରବୃତ୍ତି । ଯେଉଁଥିରେ ବର୍ଷକୁ ଛାତ୍ରୀଙ୍କୁ ୧୪ ହଜାର ଟଙ୍କା ଏବଂ ଛାତ୍ରଙ୍କୁ ୧୨ ହଜାର ଟଙ୍କା ଦିଆଯିବ । ଏହି ସ୍କଲାରସିପ୍ କଲେଜର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ।

ମିଶନ ଶକ୍ତିର ମହିଳାଙ୍କୁ ବିନା ସୁଧରେ ୧୫ ଲକ୍ଷ ଟଙ୍କା ଯାଏଁ ମିଳିବ ଋଣ

ନିର୍ବାଚନୀ ଇସ୍ତାହାରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା କରିଛି ବିଜେଡି । ଆସନ୍ତା ୫ ବର୍ଷରେ ସବୁ ଏସଏଚଜିଙ୍କୁ ଏସଏମଇ କରାଯିବାକୁ ବିଜେଡି ପ୍ରତିଶ୍ରୁତି ଦେଇଛି । ଏଥିସହ ଆଗାମୀ ୧୦ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର କୋଟିର ସରକାରୀ ବ୍ୟବସାୟ ଦିଆଯିବ ବୋଲି ନବୀନ ନିଜ ଇସ୍ତାହାର ପତ୍ରରେ ଘୋଷଣା କରିଛନ୍ତି ।

ବିଏସକେୱାଇର କାର୍ଡର ପରିସର ବୃଦ୍ଧି କରାଯିବ

ବିଜେଡି ଜାରି କରିଥିବା ତାର ଘୋଷଣା ପତ୍ରରେ ବିଏସକେୱାଇକାର୍ଡକୁ ନେଇ ଏକ ବଡ ଘୋଷଣା କରାଯାଇଛି । ବିଏସକେୱାଇର କାର୍ଡର ପରିସର ବୃଦ୍ଧି କରାଯିବ । ପର୍ଯ୍ୟାକ୍ରମେ ସମସ୍ତେ ବିଏସକେୱାଇ କାର୍ଡର ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣାପତ୍ରରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ପ୍ରମୁଖ ସ୍କିମ୍ ବିଏସକେୱାଇ ନଵୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ୍ କରିବ । ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ୟ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ । ଆମେ ଆସନ୍ତା ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ଖର୍ଚ୍ଚର ରାଜ୍ୟ ହୋଇପାରିବା । ଏହି ସ୍ୱାସ୍ଥ୍ୟ ନିଶ୍ଚିତତା ଆମ ଜନସଂଖ୍ୟାକୁ ସଶକ୍ତ କରିବ ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବ ।

ତେବେ ୨୦୨୪ ନିର୍ବାଚନରେ ଗେମ ଚେଞ୍ଜର ହୋଇପାରେ ମାଗଣା ବିଜୁଳି ପ୍ରତିଶ୍ରୁତି। ୨୦୦୯ ନିର୍ବାଚନ ପୂର୍ବରୁ ୨ ଟଙ୍କିଆ ଚାଉଳ ଗେମ ଚେଞ୍ଚର ହୋଇଥିଲା । ସେହିପରି ୨୦୧୪ ନିର୍ବାଚନ ପୂର୍ବରୁ ଟଙ୍କିକିଆ ଚାଉଳ ଗେମ ଚେଞ୍ଜର ହୋଇଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କାର୍ଡ- BSKY ମାଗଣା ଚିକିତ୍ସା ମଧ୍ୟ ପ୍ରଭାବ ପକାଇଥିଲା । ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନ ପୋଛି ନେଇଥିଲା ବିଜେଡି । ୨୦୨୪ ନିର୍ବାଚନରେ ୧୦୦ ୟୁନିଟ ମାଗଣା ବିଜୁଳି ଗେମ୍ ଚେଞ୍ଜର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.