ଭାଇ ପାଇଁ କରିଥିବା ମାନସିକ ପୂରଣ ପାଇଁ ଗୋଟିଏ ପାଦରେ ୧୦୦ କିମି ଚାଲୁଛି ଦିବ୍ୟାଙ୍ଗ ଭଉଣୀ
ଭାଇର ରୋଗ ଭଲ ପାଇଁ ମାନସିକ ରଖିଥିବା ଜଣେ ଭଉଣୀ ଏମିତି କିଛି କରି ଦେଖାଇଛନ୍ତି,ଯାହାକୁ ଦେଖିଲେ ଯେ କେହି ସାବାସ୍ କହିବାକୁ ପଛାଇବ ନାହିଁ ।

ଭାଇ-ଭଉଣୀ ସମ୍ପର୍କ ଏକ ନିଆରା ସମ୍ପର୍କ । ଆଗକୁ ଆସୁଛି ଭାଇ-ଭଉଣୀ ସମ୍ପର୍କର ଅତୁଟ ବନ୍ଧନ ‘ରାଖୀ ବନ୍ଧନ’ ପର୍ବ । ଏହା ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଦେଖିବାକୁ ମିଳିଛି ମୁଜାଫରପୁର-ହାଜିପୁର ଜାତୀୟ ରାଜପଥ-୨୨ ରେ । ଭାଇର ରୋଗ ଭଲ ପାଇଁ ମାନସିକ ରଖିଥିବା ଜଣେ ଭଉଣୀ ଏମିତି କିଛି କରି ଦେଖାଇଛନ୍ତି,ଯାହାକୁ ଦେଖିଲେ ଯେ କେହି ସାବାସ୍ କହିବାକୁ ପଛାଇବ ନାହିଁ । ବୟସ ମାତ୍ର ୧୧, ପୁଣି ଦିବ୍ୟାଙ୍ଗ ।
ଦୃଢ଼ ଇଚ୍ଛାଶକ୍ତି ଓ ଭଗବାନଙ୍କ ଉପରେ ବିଶ୍ୱାସ ତାର ମାନସିକ ପୂରଣ ପାଇଁ ଯୋଗାଇଛି ଅସୀମ ସାହସ । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସେ ପ୍ରାୟ ୧୦୦ କିମି ରାସ୍ତା ପାଦରେ ଚାଲି ଚାଲି ଯାଉଛନ୍ତି । ତାହା ପୁଣି ଗୋଟିଏ ଗୋଡ଼ରେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମୁଜାଫରପୁର-ହାଜିପୁର ଜାତୀୟ ରାଜପଥ ୨୨ରେ ।
ରାଜନନ୍ଦିନୀ ହାଜିପୁର ଲାଲପୋଖର ବାସିନ୍ଦା । ଭାଇଙ୍କ ହୃତପିଣ୍ଡ ଅପରେସନ ହେବା ପୂର୍ବରୁ ସେ ଭାଇଙ୍କ ସୁସ୍ଥତା ପାଇଁ ମାନସିକ କରିଥିଲେ । ଯଦି ତାଙ୍କ ଭାଇ ଭଲ ହୋଇ ଯାଆନ୍ତି, ତେବେ ସେ ପାଦରେ ଚାଲି ଚାଲି ୧୦୦ କିଲୋମିଟର ଦୂରରେ ଥିବା ବାବା ଗରିବନାଥଙ୍କ ମନ୍ଦିରରେ ଜଳାଭିଷେକ କରିବେ ।
ଇତିମଧ୍ୟରେ ଭାଇଙ୍କ ଦେହ ଭଲ ହୋଇଯାଇଛି । ମାନସିକ ପୂରଣ ପାଇଁ ଏବେ ସେ ପହଲଜୋ ଘାଟରୁ ଗଙ୍ଗା ପାଣି ଉଠାଇ ଜଳାଭିଷେକ କରିବାକୁ ବାବାଙ୍କ ମନ୍ଦିର ଅଭିମୁଖେ ଚାଲିଛନ୍ତି । ସାଙ୍ଗରେ ଅ ଛନ୍ତି ତାଙ୍କର ବାପା । ଭାଇର ଦେହ ଭଲ ପାଇଁ ଭଉଣୀର ଏପରି ନିଷ୍ଠା ସମାଜରେ ଭାଇ-ଭଉଣୀ ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ।