ଏମିତି ଜଣେ ମାଆ ଯିଏ ୨୧ ବର୍ଷ ହେଲା କରିଆସୁଛି ପୁଅର ସେବା, ଗାଧୋଇବା ଠାରୁ ନେଇ ଶୁଆଇଦେବା ପର୍ଯ୍ୟନ୍ତ ସବୁ କରୁଛି

ମାତୃତ୍ୱ ଦିବସ ପୂର୍ବରୁ ଆମେ ଆଜି ଏମିତି ଜଣେ ମାଆକୁ ଦେଖାଇବୁ ଯିଏ ଦୀର୍ଘ ବର୍ଷ ହେଲା ନିସ୍ୱାର୍ଥପରତା ଭାବେ କରୁଛି ପୁଅର ସେବା । ବୟସ ଦେଖୁନି କି ନିଜର ଅବସ୍ଥା ଦେଖୁନି କେବଳ କରିଚାଲିଛି ପୁଅର ସେବା ।

ଉଦଳା (କେନ୍ୟୁଜ) : ସେ ମାଆ, ଯିଏ ତାର ପଣତରେ ଆଡେଇଦିଏ ପିଲାର ସବୁ ବିପଦ । ସେ ମାଆ ଯିଏ ନିଜେ ନ ଖାଇ ତା ଛୁଆ ପେଟରେ ଆହାର ଦିଏ । ସେ ମାଆ ଯିଏ ବାପାଙ୍କୁ ଲୁଚାଇ ପଇସା ଦିଏ । ସେ ମାଆ ଯିଏ ତାର ପିଲା ଘରକୁ ନଫେରିବା ଯାଏଁ ଶୋଇବାକୁ ଯାଏନି । ସେ ମାଆ ଯାହାର ସ୍ନେହ ଓ ମମତା ଆଗରେ ସବୁ କିଛି ତୁଛ । ସେ ମାଆ ଯାହାର ମମତା ଅତୁଳନୀୟ । ସେ ମାଆ ଯାହାର ଋଣ କେହି ପୁଅ ଝିଅ ସୁଝି ପାରିବେନି । ସେ ମାଆ ଯାହା ବିନା ଘର ଲାଗେ ଅନ୍ଧାର । ହଁ ଇଏ ସେହି ମାଆ ଯିଏ ୧୦ ମାସ ୧୦ ଦିନ ଗର୍ଭରେ ଧରି କରିଚାଲିଥାଏ କାମ । ଦଶ ମାସ କଷ୍ଟ ଯନ୍ତ୍ରଣା ସହି ତାର ପିଲାକୁ ସେ ଜନ୍ମ କରାଏ । ସେହି ମାଆର ଋଣକୁ କେହି କେବେ ଚାହିଁଲେ ବି ସୁଝି ପାରିବନି । ବୁଢ଼ି ହେବା ଯାଏ ତାର ପିଲା ପାଇଁ ଯିଏ ଚିନ୍ତା କରେ ସେ ହେଉଛି ମାଆ । ଆଜି ସେହି ମାଆ ବିଷୟରେ କଥା ହେବା । ତେବେ ମାଆର ମହତ୍ତ୍ୱ ବୁଝିବାକୁ ପ୍ରତି ବର୍ଷ ମେ ମାସ ୧୧ ତାରିଖରେ ପାଳନ କରାଯାଏ ମଦର୍ସ ଡେ । ଅର୍ଥାତ୍‌ ଆସନ୍ତା କାଲି ହେଉଛି ବିଶ୍ୱ ମାତୃତ୍ୱ ଦିବସ । ମାଆର ଋତ ତ କେହି ସନ୍ତାନ ସୁଝି ପାରିବେନି କିନ୍ତୁ ମାଆକୁ ଟିକେ ଖୁସି ଦେବା ପାଇଁ ଏହି ଦିନକୁ ପାଳନ କରନ୍ତି ପିଲାମାନେ ।

ତେବେ ମାତୃତ୍ୱ ଦିବସ ପୂର୍ବରୁ ଆମେ ଆଜି ଏମିତି ଜଣେ ମାଆକୁ ଦେଖାଇବୁ ଯିଏ ଦୀର୍ଘ ବର୍ଷ ହେଲା ନିସ୍ୱାର୍ଥପରତା ଭାବେ କରୁଛି ପୁଅର ସେବା । ବୟସ ଦେଖୁନି କି ନିଜର ଅବସ୍ଥା ଦେଖୁନି କେବଳ କରିଚାଲିଛି ପୁଅର ସେବା । ଦେଖନ୍ତୁ କେମିତି ମାଆ ର ପଣତକାନି ରେ ଲୁଚାଇ ଦେଉଛି ପୁଅକୁ । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଚୁଳିଆପୋଷି ଗାଁର ଏ ହେଉଛନ୍ତି ସବିତା ଦାସ । ସ୍ୱାମୀ ଭାସ୍କର ଦୋକାନରେ କାମ କରି ପରିବାର ଚଳାନ୍ତି । ପରିବାର କହିଲେ ତିନି ଝିଅ ଓ ଗୋଟିଏ ପୁଅ । ସବିତା ଓ ଭାସ୍କରଙ୍କ ପରିବାର ବେଶ ହସଖୁସିରେ କଟୁଥିଲା । ସେହି ଖୁସି ଭିତରେ ଜନ୍ମ ହୋଇଥିଲା ପୁଅ ମହେଶ୍ୱର । ହେଲେ ସେହି ଖୁସି ଜନ୍ମର ଗୋଟିଏ ବର୍ଷ ପରେ ପରିବାର ମଧ୍ୟରେ ଆଣିଦେଲା ଦୁଃଖ । ମହେଶ୍ୱରଙ୍କ ବୟସ ଏବେ ୨୧ । ନା କଥା କହି ପାରନ୍ତି ନା ଚାଲି ପାରନ୍ତି । ତେବେ ପୁଅ ଦିବ୍ୟାଙ୍ଗ ହେଲେ ମଧ୍ୟ କେବେବି ପରିବାର ଲୋକେ ସ୍ନେହ ଓ ମମତାରୁ ଉଣା କରି ନାହାଁନ୍ତି । ଦିବ୍ୟାଙ୍ଗ ମହେଶ୍ୱରଙ୍କ ପରେ ତାଙ୍କର ତିନି ଭଉଣୀ ଅଛନ୍ତି । ତେବେ ମହେଶ୍ୱର ଙ୍କ ମାଆ ସବିତା ଦିନରାତି ତାଙ୍କର ସେବା କରିଚାଲିଛନ୍ତି । କେବେବି ଭାବି ନାହାଁନ୍ତି ତାଙ୍କ ପୁଅ ଦିବ୍ୟାଙ୍ଗ ବୋଲି । ନିଜର ତିନି ଝିଅଙ୍କୁ ଯେତିକି ଭଲ ପାନ୍ତି ତା ଠାରୁ ଅଧିକ ନିଜ ଦିବ୍ୟାଙ୍ଗ ପୁଅକୁ ଭଲ ପାଇଥାନ୍ତି । ସତରେ ମାଆର ଭଲ ପାଇବା ଏକ ନିଚ୍ଛକ ଉଦାହରଣ ।

ପୁଅ ଭଲ ହେଉ କି ମନ୍ଦ ହେଉ ମାଆର ମମତା ସମସ୍ତ ଙ୍କ ପାଇଁ ସମାନ ରହିଥାଏ । ଭଲ ଭାବରେ ଦେଖନ୍ତୁ ମାଆ ନିଜର ଦିବ୍ୟାଙ୍ଗ ପୁଅକୁ କେମିତି ଖୁଆଇ ଦେଉଛି, ନିଜର ପଣତକାନିରେ ପୋଛି ଦେଉଛି । ପୁଣି ଗେଲ୍ଲ କରି ମୁଣ୍ଡ କୁଣ୍ଡାଇ ଗୀତ ଗାଇ ଗାଇ ଶୁଆଇ ଦେଉଛି । ସବିତା ଝିଅ ମାନଙ୍କ ଅପେକ୍ଷା ପୁଅକୁ ଅଧିକ ଭଲପାନ୍ତି । ପୁଅର ଖାଇବା, ଗାଧୋଇବା ଓ ଝାଡା ପରିସ୍ରା ଠୁ ଆରମ୍ଭ କରି ସବୁ କିଛି ନିଜ ପୁଅ ପାଇଁ କରିଥାନ୍ତି ସବିତା।

ଜନ୍ମ ଦେଇଛି ତା ପାଇଁ ତ କର୍ତ୍ତବ୍ୟ କରିବି । ଏ ପରି କହିଛନ୍ତି ସବିତା । ଆଜି ପର୍ଯ୍ୟନ୍ତ ନିଜର ଦିବ୍ୟାଙ୍ଗ ପୁଅ ପାଇଁ କିଛିରେ ହେଳା କରି ନାହାଁନ୍ତି ସବିତା । ନିଜର ଗରିବୀ ପଣିଆ ଓ ପୁଅର ଏପରି ଅବସ୍ଥାରେ କେବେବି ଭାଙ୍ଗି ନାହାଁନ୍ତି ସବିତା । ସ୍ୱାମୀ ଭାସ୍କର ଯାହା କିଛି ରୋଜଗାର କରନ୍ତି ଅଭାବୀ ପରିବାର ଭାବେ ଚଳିଯାନ୍ତି । ନିଜର ଯେତେ ଦୁଃଖ ଥିଲେ ମଧ୍ୟ ପୁଅ ପାଇଁ ସେ ଦୁଃଖକୁ ପଥର କରି ଦେଇଛନ୍ତି । ଆଜିର ଦୁନିଆରେ ସେ ହେଉଛନ୍ତି ଭିନ୍ନ ଏକ ମାଆ । ସତରେ ମାଆର ଅନାବିଳ ଭଲ ପାଇବା ଅନ୍ୟ ମାଆଙ୍କ ପାଇଁ ଉଦାହରଣ ହେଉଛନ୍ତି ସବିତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.