ସମ୍ପର୍ଣ୍ଣ ହେଲା ପ୍ରଭୁ ଗୋପୀନାଥ ଦେବଙ୍କ ନାଗା ନୃତ୍ୟ ପରମ୍ପରା, ହୁଏ ଭକ୍ତ ଓ ଭଗବାନଙ୍କ ମିଳନ

କୂଳକୂଳ ହୋଇ ଯାଉଛି ପୂଣ୍ୟତୟା ଭାର୍ଗବୀ ନଦୀ । ନଦୀ କୂଳରେ ଅବସ୍ଥିତ ହରିପୁର ଗାଁ । ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଗୋପୀନାଥ ଦେବ । ପୁରୀ ଗଜପତି ପୁରୁଷୋତ୍ତମଦେବ ଏହି ମନ୍ଦିର ନିର୍ମାଣ କରିଥିଲେ । ପୁରୀ ଶ୍ରୀମନ୍ଦିର ଭଳି ରୀତି ନୀତି ଏଠାରେ ମଧ୍ୟ ପାଳନ କରାଯାଏ । ସକାଳୁ ସୂର୍ଯ୍ୟ ପୂଜା ଏବଂ ଦ୍ଵାରପାଳ ପୂଜା ମଧ୍ୟାହ୍ନରେ ଖେଚୁଡ଼ି ଧୂପ ଏବଂ ସଂଧ୍ୟାରେ ଆଳତି ଧୂପ କରାଯାଏ । ବର୍ଷ ତମାମ ଠାକୁରଙ୍କ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଏ । ନଟବର ବେଶ, ପୁଷ୍ପବେଶ, ଗଜ ଉଦ୍ଧାରଣ ବେଶ, ଚନ୍ଦନ ବେଶ ଏବଂ ଭଉଁରୀ ବେଶ ପାଳନ କରାଯାଏ ।

ପବିତ୍ର ବୈଶାଖ ମାସ ଅକ୍ଷୟ ତୃତୀୟା ଠାରୁ ପ୍ରଭୁ ଗୋପୀନାଥ ଦେବଙ୍କୁ ମନ୍ଦିରରୁ ଅଣାଯାଏ । ନୈାକାରେ ଗୋଟିପୁଅ ନୃତ୍ୟର ତାଳେ ତାଳେ ପ୍ରଚଣ୍ଡ ରୈାଦ୍ର ତାପରୁ ରକ୍ଷା ପାଇବା ପାଇଁ ଦୀର୍ଘ ଏକୋଇଶ ଦିନ ପର୍ଯ୍ୟନ୍ତ ଚାପ ଖେଳାଯାଏ । ଚନ୍ଦନ ଯାତ୍ରାରେ ପ୍ରଭୁ ଚାପ ଖେଳିଥାନ୍ତି । ତେବେ ପ୍ରଭୁଙ୍କର ସେହି ଭକ୍ତ ନିଦର୍ଶନ ସ୍ଵରୁପ ପାଇଁ ହରିପୁର ଗାଁରେ ନାଗା ନୃତ୍ୟ ପରିବେଷଣ କରାଯାଏ । ଯାହା ଭକ୍ତ ଓ ଭଗବାନଙ୍କୁ ଏକତାର ଡ଼ୋରିରେ ବାନ୍ଧି ରଖେ ।

ପରିଶେଷରେ ଭଉଁରୀ ଯାତ୍ରା ଦିନ ଦୋଳ ବିମାନରେ ପ୍ରଭୁ ଗୋପୀନାଥ ଗ୍ରାମ ପରିକ୍ରମା କରିବା ପାଇଁ ଆସିଥାନ୍ତି । ଠାକୁରଙ୍କ ସମ୍ମୁଖରେ ଗ୍ରାମର ଯୁବକମାନଙ୍କ ଦ୍ୱାରା ନାଗା ନୃତ୍ୟ ପରିବେଷଣ କରାଯାଇଥାଏ । ଏହି ନାଗାର ଓଜନ ପ୍ରାୟ ଏକ କ୍ଵିଂଟାଲରୁ ଅଧିକ ହୋଇଥାଏ । ଏହାକୁ ସେମାନେ ମସ୍ତକରେ ପରିଧାନ କରି ନୃତ୍ୟ ପରିବେଷଣ କରିଥାନ୍ତି । ଠାକୁର ଗ୍ରାମ ପରିକ୍ରମା କରୁଥିବା ସମୟରେ ତାଙ୍କ ସମ୍ମୁଖରେ ଏକ ବିରାଟ ସଲଟଣ ଦେଖିବାକୁ ମିଳିଥାଏ ।

କିନ୍ନର ନର୍ତକୀ ସାଙ୍ଗକୁ ଏଠାରେ ପୁରୀର ସାହି ଯାତର ଝଲକ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କର ବେଶ ଭିଡ଼ ଜମିଥାଏ । ହରିପୁର ଗୋପୀନାଥ ଦେବଙ୍କ ଏହି ଯାତ୍ରାକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଆମ ପରମ୍ପରାର ଝଲକ । ଆଧୁନିକତାର ଚାପରେ ମଧ୍ୟ ଲୋକେ ପରମ୍ପରାକୁ ଭୁଲି ନଥିବାର ନିଆରା ନିଦର୍ଶନ ଏହି ଯାତ୍ରା ।

Leave A Reply

Your email address will not be published.