କଣାସରେ ବେଧଡକ ଚାଲିଛି ଗଞ୍ଜେଇ ଚାଷ

କଣାସ(କେନ୍ୟୁଜ) : ଚାଲିଛି ବେଆଇନ ଗଞ୍ଜେଇ ଚାଷ । ନା କାହାକୁ ଡର ଅଛି ନା ଭୟ । ବେଲଗମ୍ ଭାବେ ଚାଲିଛି ଏହି ଚାଷ । ପୁରୀ ଜ଼ିଲ୍ଲା କଣାସର ଅନେକ ସ୍ଥାନରେ ହେଉଛି ବେଆଇନ  ଗଞ୍ଜେଇ ଚାଷ । ନିଛାଟିଆ ଗହୀର ବିଲରେ ପୋଟଳ, ବାଇଗଣ, କଲରା ଚାଷ କଡେ କଡେ ହୋଇଛି ଗଞ୍ଜେଇ ଚାଷ । ବୁଦା ବୁଦା କରି ଶହ ଶହ ଗଞ୍ଜେଇ ଗଛ ଭର୍ତ୍ତି । ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିବା ଅସମ୍ଭବ ।

ପୁରା ପ୍ଲାନିଂରେ କରାଯାଉଛି ଏହି ଗଞ୍ଜେଇ ଚାଷ । ଗଞ୍ଜେଇ ମାଫିଆ ମାନେ ପ୍ଲାନିଂ କରି ଚାଷ କରୁଥିବା ବେଳେ, ଏପଟେ ନିଘୋଡ଼ ନିଦରେ ଶୋଇଛି ପୁରୀ ଅବକାରୀ ବିଭାଗ । ଏ ବିଷୟରେ ଅବକାରୀ ବିଭାଗ ନିକଟରେ ଖବର ନଥିବା ଲୋକେ ଅଭିଯୋଗ କରୁଛନ୍ତି । ତେବେ ସୂଚନା ମୁତାବକ, ଗତବର୍ଷ ବିଭିନ୍ନ ଗଣମାଧ୍ୟମରେ କଣାସ ଅଞ୍ଚଳରେ ହେଉଥିବା ଗଞ୍ଜେଇ  ଚାଷ ଉପରେ ଖବର ପ୍ରଶାରଣ କରିବା ପରେ ଆକ୍ସନ୍ ମୁଡ୍ ରେ ଥିଲା  ଅବକାରୀ ବିଭାଗ ।

ଅଭିଯୋଗ ପରେ ସିଧା ଘଟଣାସ୍ଥଳକୁ ଯାଇ ଅବକାରୀ ବିଭାଗ ପ୍ରାୟ ୨କୋଟି ଟଙ୍କାର ଗଞ୍ଜେଇ ଗଛ ଏହି ଅଞ୍ଚଳରେ ଠାବ କରିବା ସହିତ, ସେସବୁକୁ ପୋଡି ନଷ୍ଟ କରିଥିଲା । କିନ୍ତୁ ଅଭିଯୁକ୍ତ ମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଥିବା ବେଳେ, ଯଦି ଅବକାରୀ ବିଭାଗ ଏହି ବେଆଇନ ଗଞ୍ଜେଇ ଚାଷ ଉପରେ କୌଣସି ପଦକ୍ଷେପ ନ ନିଏ ତେବେ ଅବକାରୀ ବିଭାଗ ବିରୁଦ୍ଧରେ ଲୋକମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ତେବେ ସତ କହିବା ଗଲେ ଏଭଳି ଅନେକ ସମୟରେ ବେଆଇନ ଗଞ୍ଜେଇ ଚାଷ ଠାବ କରାଯାଇ ନଷ୍ଟ କରାଯାଉଛି । ଖାଲି ଏତିକି ନୁହେଁ ଅନେକ ସମୟରେ ଜବତ ହେଉଛି ବସ୍ତା ବସ୍ତା ଗଞ୍ଜେଇ । ହେଲେ ଯେଉଁ ନିଶା ମାଫିଆ ଗଞ୍ଜେଇକୁ ଚୋରା ଚାଲାଣ କରୁଛନ୍ତି କିମ୍ବା ଚାଷ କରୁଛନ୍ତି ସେମାନଙ୍କର ଦେଖା ଦର୍ଶନ ନାହିଁ । କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଛୁ ମାରୁଛନ୍ତି ମାଫିଆ । ପୋଲିସକୁ ଦେଖି ନିଜ ଜୀବନ ବଞ୍ଚାଇ ଫେରାର୍ ମାରୁଛନ୍ତି । ଯେଉଁଥିପାଇଁ କୋଟି କୋଟି ଟଙ୍କାର ଗଞ୍ଜେଇ ନଷ୍ଟ ହେଉଥିବା ସହିତ  ଜବତ ବି କରାଯଉଥିଲେ ସୁଦ୍ଧା ମାଫିଆକୁ ଧରିବାରେ ଅସଫଳ ହେଉଛି ପୋଲିସ୍ ।

 

 

Leave A Reply

Your email address will not be published.