Below header

ପିତାଙ୍କ ହତ୍ୟାର ବଦ୍‌ଲା ନେବାକୁ ଛାଡ଼ିଲେ ୨୨ ଲକ୍ଷର ଚାକିରି, ବନିଗଲେ ଆଇପିଏସ୍‌ ଅଫିସର

ପରିଶ୍ରମର ଫଳ ସବୁବେଳେ ମିଠା। କିନ୍ତୁ ଏହି ପରିଶ୍ରମ ଯେ କେତେ କଷ୍ଟଦାୟକ ତାହା କେବଳ ଜଣେ ଭୁକ୍ତଭୋଗୀ ହିଁ ଜାଣେ। ସଫଳତାର ଅନେକ କାହାଣୀ ଆପଣ ପଢ଼ିଥିବେ ଓ ଶୁଣିଥିବେ ମଧ୍ୟ। ସେଭଳି ଏକ କାହାଣୀ ହେଉଛି ଆଇପିଏସ୍ ନୀରଜ କୁମାର ଜାଡଉନ‌ଙ୍କର। ପିତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରର ପ୍ରତିଶୋଧ ନେବାକୁ ଆଇପିଏସ୍‌ ବନିଛନ୍ତି ନୀରଜ। ତାଙ୍କ ଆଇପିଏସ୍‌ ହେବାର କାହାଣୀ ବେଶ୍‌ ରୋଚକ। ଆଇପିଏସ୍‌ ହେବାକୁ ନିରଜ ଯେଉଁଭଳି ସଂଘର୍ଷ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ନିଶ୍ଚୟ ଭାବେ ପ୍ରେରଣାଦାୟକ।

ips

୨୦୧୫ ବ୍ୟାଚ୍‌ର ଆଇପିଏସ୍‌ ନୀରଜ। ୨୦୦୮ରେ ତାଙ୍କ ପିତାଙ୍କୁ ହତ୍ୟା କରାଗଲା। ପିତାଙ୍କ ହତ୍ୟା ମାମଲାରେ ପୋଲିସର ସାହାଯ୍ୟ ଲୋଡ଼ିବାରୁ ପ୍ରତିବଦଳରେ ମିଳିଲା ନିର୍ଯାତନା। ଏଣୁ ପୋଲିସ ଉପରେ ଦୋଷ ଦେବା ଅପେକ୍ଷା ସେ ପୂରା ସିଷ୍ଟମ୍‌କୁ ବଦଳାଇବାକୁ ନିଷ୍ପତ୍ତି ନେଲେ। କିନ୍ତୁ ପଢ଼ିବାକୁ ଥିଲା ସମୟର ଅଭାବ। କାରଣ ନୀରଜ ଆଇଆଇଟି ପାସ୍‌ କରି ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିରି କରୁଥିଲେ। ପରିବାରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ଥିବାରୁ ଚାକିରି ଛାଡ଼ିବା ଅସମ୍ଭବ ଥିଲା। ତଥାପି ସେ ଚେଷ୍ଟା ଜାରି ରଖିଥିଲେ। ମାତ୍ର କେତେବେଳେ ନିରାଶ ମିଳିଲା ତ ଆଉ କେତେବେଳେ ହେଲେ ଅକୃତ କାର୍ଯ୍ୟ। ତଥାପି ସେ ହାର ମାନି ନଥିଲେ।

IPS

୨୦୧୦, ୨୦୧୧ ରେ ଦୁଇ ଥର ବିଫଳ ହେବା ପରେ ତୃତୀୟ ଥର ବେଳକୁ ତାଙ୍କ ବୟସ ଗଡ଼ିଯାଇଥିଲା। ଏଣୁ ଭାବିଥିଲେ ଆଉ ବୋଧେ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେଇପାରିବେ ନାହିଁ। କିନ୍ତୁ ସୌଭାଗ୍ୟବଶତଃ ସେହି ବର୍ଷ ହିଁ ଆଇପିଏସ୍‌ ପ୍ରାର୍ଥୀଙ୍କ ବୟସ ସୀମାକୁ ୩୨ ବର୍ଷ କରିଦିଆଗଲା। ଏହି ଶେଷ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁନଥିଲେ ନୀରଜ। ଏଣୁ ୨୨ ଲକ୍ଷ ଟଙ୍କା ପ୍ୟାକେଜ୍‌ ଚାକିରି ଛାଡ଼ି ଆଇପିଏସ୍‌ ପାଇଁ ପ୍ରସ୍ତୁତି ଚଳାଇଲେ। ଆଉ ଶେଷରେ ପାଇଲେ ସଫଳତା। ୧୪୦ ନମ୍ବର ର‍୍ୟାଙ୍କ୍‌ ରଖି ଆଇପିଏସ୍‌ ଅଫିସର ବନିଗଲେ ନୀରଜ।

IPS

ଆଇପିଏସ୍‌ ଅଫିସର ହେବା ପରେ ସେ ପିତାଙ୍କ ମୃତ୍ୟୁରେ ସାମିଲ ଥିବା ଦୋଷୀଙ୍କୁ ଗିରଫ କରିଥିଲେ। ଏଥିସହ ସମସ୍ତ ଅପରାଧକୁ ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଏଥିପାଇଁ ୬ ଥର ତାଙ୍କ ଉପରେ ଆକ୍ରମଣ ହୋଇଛି। ଏମିତିକି ତାଙ୍କ ସରକାରୀ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ନିଜ ଲକ୍ଷ୍ୟ ପଥରୁ କେବେ ବି ବିଚ୍ୟୁତ ହୋଇ ନାହାନ୍ତି ନିରଜ। ଏବେ ବି ଜଣେ ଦାୟିତ୍ୱସମ୍ପନ୍ନ ଅଫିସର ଭାବେ ସେ ନିଜ କାର୍ଯ୍ୟ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.