Below header

ଗାଁରେ ପାଠପଢି ୟୁଏସଏରେ ଡାକ୍ତର, ଜନ୍ମମାଟି ପାଇଁ ବାଛିନେଲେ ଏହି ରାସ୍ତା

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଂଚଳର ଯୁବା ଡାକ୍ତର ତଥା ଶିଶୁ ବିଶେଷଜ୍ଞ ଡ. ସପ୍ତଦୀପା ସଂଘମିତ୍ରା । ଯାହାଙ୍କ ଇଛାଥିଲା ଜନ୍ମମାଟି ପାଇଁ କିଛି କରିବେ।

ଯାଜପୁର(କେନ୍ୟୁଜ୍): ଗାଁରେ ପାଠପଢି ଆମେରିକାରେ ଡାକ୍ତର। ଇଛାଥିଲା ଜନ୍ମମାଟି ପାଇଁ କିଛି କରିବେ। ଗ୍ରାମାଂଚଳରେ ରହୁଥିବା ଶିଶୁ ଓ ମହିଳାମାନେ ପ୍ରାୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ହୋଇଥାନ୍ତି । ଏଣୁ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସହ ପରାମର୍ଶ ଲୋଡା ହୋଇଥାଏ । ସୁଯୋଗ ସୃଷ୍ଟି ହେବାରୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଂଚଳର ଯୁବା ଡାକ୍ତର ତଥା ଶିଶୁ ବିଶେଷଜ୍ଞ ଡ. ସପ୍ତଦୀପା ସଂଘମିତ୍ରା ଏହାକୁ ହାତ ଛଡା କରିନାହାନ୍ତି । ସ୍ଥାନୀୟ ଜନକଲ୍ୟାଣ ହାଇସ୍କୁଲରେ ଅନୁଷ୍ଠିତ ସ୍ୱାସ୍ଥ୍ୟସେବା ଶିବିର ଓ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଜ୍ଞତା ଓ ଅନୁଭୂତି ବାଂଟିଛନ୍ତି ।

ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଚାଲିଛି ମହିଳା ମାନଙ୍କୁ ସଚେତନ । ସ୍ତନ କର୍କଟ ରୋଗରୁ ରକ୍ଷା ପାଇବା ସହ ମାସିକ ଋତୁସ୍ରାବ ସମୟରେ କିପରି ସତର୍କତା ଅବଲମ୍ବନ କରିବାକୁ ହେବ ସେ ନେଇ ସଚେତନ କରୁଛନ୍ତି ଯୁବା ମହିଳା ଡାକ୍ତର । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଚାରିବାଟିଆ ଗ୍ରାମର ବିଜୟ ସାହୁ ଓ ସୁକାନ୍ତି ପଟ୍ଟନାୟକଙ୍କ ଝିଅ ହେଉଛନ୍ତି ଡ. ସପ୍ତଦୀପା ସଂଘମିତ୍ରା ।

ସପ୍ତଦୀପା ଗାଁରେ ପାଠପଢି କଟକରେ ଏମବିବିଏସ, ଦିଲ୍ଲୀରେ ସ୍ନାତୋକତର ସାରି ୟୁଏସଏର ମିନୋସେଟା ଠାରେ ଥିବା ହାରବାର୍ଡ ମେଡିକାଲ ସ୍କୁଲ ଓ ୟୁନିଭରସିଟିରେ ଡାକ୍ତରି ପାଠ ପଢୁଛନ୍ତି । ସେ ଜଣେ ଶିଶୁ ବିଶେଷଜ୍ଞ । ଇଛାଥିଲା ଜନ୍ମମାଟି ପାଇଁ କିଛି ସେବା କାର୍ଯ୍ୟ କରିବା । ଗ୍ରାମାଂଚଳରେ ରହୁଥିବା ଶିଶୁ ଓ ମହିଳାମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସହ ପରାମର୍ଶ ଲୋଡା ।

ୟୁଏସଏ-ଇଣ୍ଡିଆ ବ୍ୟୁଟିଫୁଲ ମାଇଣ୍ଡସ୍ ୟୁଥ୍ ମେନଟରିଙ୍ଗ ଫାଉଣ୍ଡେସନ ଓ ଫ୍ଲୋରାର ମିଳିତ ଉଦ୍ୟମରେ ସୁଯୋଗ ସୃଷ୍ଟି ହେବାରୁ ସେ ଛଣ୍ଡିଖୋଲ ସ୍ଥିତ ଜନକଲ୍ୟାଣ ହାଇସ୍କୁଲରେ ସ୍ୱାସ୍ଥ୍ୟ ସେବା ସହ ସଚେତନତା ଶିବିର ଆୟୋଜନ କରି ସେବା ଯୋଗାଇଛନ୍ତି । ଏନେଇ ତାଙ୍କ ପରିବାର ଲୋକେ ମଧ୍ୟ ଗର୍ବ ଅନୁଭବ କରିଛନ୍ତି ।

ଚଣ୍ଡିଖୋଲ ଅଂଚଳର ପ୍ୟାଡ ଗାର୍ଲ ଭାବେ ପରିଚିତ ବୈଶାଖୀ ଜେନା । ସେ ଫ୍ଲୋରା ନାମକ ସାନିଟାରୀ ପ୍ୟାଡ୍ ତିଆରି କରିବା ସହ ସ୍କୁଲ କଲେଜ ଓ ଏସଏଚଜି ମହିଳାମାନଙ୍କୁ ସଚେତନ କରି ଚର୍ଚ୍ଚାକୁ ଆସିଥିଲେ । ଦୁହେଁ ଚଣ୍ଡିଖୋଲ ଅଂଚଳର ହୋଇଥିବାରୁ ଏହି ଫାଉଣ୍ଡେସନ ଜରିଆରେ ସ୍ୱାସ୍ଥ୍ୟ ସଚେତନତା କ୍ୟାମ୍ପେନ ଆରମ୍ଭ କରିଛନ୍ତି ।

ବିଶେଷ କରି ଯୁବତୀ ଓ ମହିଳାମାନଙ୍କ ଠାରେ ଦେଖା ଯାଉଥିବା ବ୍ର୍ରେଷ୍ଟ କ୍ୟାନସର, ମାସିକ ଋତୁତ୍ସାବ ଅନିୟମିତତା ସଂପର୍କରେ ସଚେତନ କରିବେ । ଏଥିସହ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯିବ । ତେବେ ଚଣ୍ଡିଖୋଲ ଜନ କଲ୍ୟାଣ ହାଇସ୍କୁଲରୁ ଏହି କ୍ୟାମ୍ପେନ ଆରମ୍ଭ ହୋଇଛି । ଏହି ଶିବିରରେ ଯୋଗଦେଇଥିବା ମହିଳାମାନେ ଉପଯୁକ୍ତ ପରାମର୍ଶ ପାଇ ସେମାନଙ୍କ ଦୈନନ୍ଦିନ ଜୀବନରେ ବେଶ କାମରେ ଆସିବ ବୋଲି କହିଛନ୍ତି ।

ତେବେ ଏହି ଫାଉଣ୍ଡେସନର ପ୍ରୟାସ ଗ୍ରାମାଂଚଳରେ ରହୁଥିବା ଛାତ୍ରଛାତ୍ରୀ ଓ ମହିଳାମାନଙ୍କ ପାଇଁ ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.