୮ ବର୍ଷର ଝିଅକୁ ସାଙ୍ଗରେ ଧରି ଜିଅଁନ୍ତା ଜଳିଗଲା ତାନ୍ତ୍ରିକ

ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଘଟିଛି ଏକ ଏମିତି ଘଟଣା ଯାହା ମଣିଷ ସମାଜକୁ ଏକ ଶକ୍ତ ଧକ୍କା ଦେଇଛି । ଆଜିର ସମାଜରେ ବି ଏଭଳି ଘଟଣା ଘଟୁଛି କହିଲେ ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଜଣେ ତାନ୍ତ୍ରିକ ଏକ 8 ବର୍ଷର ବାଳିକାକୁ ଧରି ଜୀବନ୍ତ ଜଳି ଯାଇଛନ୍ତି ଏବଂ ଏହି ଘଟଣାରେ ଉଭୟଙ୍କର ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକ ଜଣକ ଏପରି କାହିଁକି କଲେ ବର୍ତ୍ତମାନ ସୁଦ୍ଧା ଏହା ଜଣା ପଡିନାହିଁ । ଶୁକ୍ରବାର ସକାଳ ପ୍ରାୟ 10 ଟା ସମୟରେ ବଖାସର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି ।

ଜଳିଯାଇଥିବା ଝିଅର ବାପାଙ୍କ କହିବା ଅନୁଯାୟୀ ଘରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ତାଙ୍କ ଝିଅ ନିଜର ଜଣେ ସମ୍ପର୍କୀୟ ଭଉଣୀ ସହିତ ନିଜର ଆଉ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ତାନ୍ତ୍ରିକ କିସ୍ତୁରାମ ଜୋର ଜବରଦସ୍ତ ଝିଅର ହାତକୁ ଧରିଥିଲେ । ତା’ପରେ ସେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଗର୍ତ୍ତ ଭିତରକୁ ଡେଇଁପଡି ଉଭୟଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ।

ତେବେ ସେହି ଝିଅ ଓ ତାନ୍ତ୍ରିକକୁ ଜୀବନ୍ତ ଜଳୁଥିବା ଦେଖି ତାଙ୍କ ସହିତ ଯାଇଥିବା ଭଉଣୀ ପରିବାର ଲୋକଙ୍କୁ ଜଣାଇଲେ କିନ୍ତୁ ପରିବାର ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ସୂଚନା ଅନୁଯାୟୀ ତାନ୍ତ୍ରିକ କିସ୍ତୁରାମ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଗର୍ତ୍ତରେ ଶୁଖିଲା ଘାସ କୁଟା ଇତ୍ୟାଦି ପକାଇ ରଖିଥିଲା ଯାହାଦ୍ୱାରା ନିଆଁ ପଡିବା ମାତ୍ରେ ସଙ୍ଗେସଙ୍ଗେ ଜଳିଉଠିବ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ତାନ୍ତ୍ରିକର ମାନସିକ ସ୍ଥିତି ଠିକ ନଥିଲା ଏବଂ ସେ ତନ୍ତ-ମନ୍ତ୍ର ମଧ୍ୟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.