Below header

ଆଣ୍ଠୁରେ ଆଘାତ କାରଣରୁ ପାରା ଅଲିମ୍ପିକ୍ସରୁ ନାମ ଫେରାଇବା ଚିନ୍ତା କରିଥିଲେ ଶରଦ, ଭଗବତ ଗୀତା ପଢି ମିଳିଲା ପ୍ରେରଣା

ଆଣ୍ଠୁରେ ଆଘାତ କାରଣରୁ ପାରା ଅଲିମ୍ପିକ୍ସ ଟି ୪୨ ହାଇ ଜମ୍ପ ଫାଇନାଲରୁ ନିଜ ନାମ ଫେରାଇ ନେବାକୁ ଚିନ୍ତା କରୁଥିଲେ ଶରଦ କୁମାର । ମାତ୍ର ପରିବାର ସହ ଆଲୋଚନା ପରେ ଫାଇନାଲ୍ ମୁକାବିଲାର ଗୋଟିଏ ରାତି ପୂର୍ବରୁ ଭଗବଦ ଗୀତା ପଢିବାରୁ ତାଙ୍କ ଚିନ୍ତା ଦୂର ହୋଇଥିଲା ଏବଂ ଫାଇନାଲ୍ ମୁକାବିଲାରେ ଦମଦାର ପ୍ରଦର୍ଶନ କରି କାଂସ୍ୟ ପଦକ ନିଜ ନାମରେ କରିଛନ୍ତି।

ଶରଦ କହିଛନ୍ତି, କାଂସ୍ୟ ପଦକ ଜିତି ବହୁତ ଭଲ ଲାଗୁଛି କାରଣ ମୋତେ ସୋମବାର ଅଭ୍ୟାସ୍ ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା। ମୁଁ ପୂରା ରାତି କାନ୍ଦିଥିଲି ଏବଂ ନାଁ ଫେରାଇ ନେବାକୁ ଚିନ୍ତା କରୁଥିଲି। ଗତ କାଲି ରାତିରେ ପରିବାର ସହ କଥା ହେଲି। ବାପା ମୋତେ ଭଗବଦ ଗୀତା ପଢିବାକୁ କହିଥିଲେ ଏବଂ ମୋତେ କହିଲେ ତୁ ଯାହା କରି ପାରିବୁ ତାହା ଉପରେ ଧ୍ୟାନ କେନ୍ଦ୍ରିତ କର, ଯାହା ଉପରେ ତୋର ନିୟନ୍ତ୍ରଣ ନାହିଁ ସେ କଥା ଚିନ୍ତା କରନାହିଁ। ମୁଁ ବାପାଙ୍କ କଥା ଶୁଣିବା ପରେ ଭଗବଦ ଗୀତା ପଢିଥିଲି। ଆଘାତକୁ ଭୁଲି ପ୍ରତିଯୋଗିତାକୁ ଏକ ଯୁଦ୍ଧ ଭଳି ନେଲି ଏବଂ ଆଜି ପଦକ ଜିତିବାରେ ସଫଳ ହେଲି।

ପାଟନାରେ ଜନ୍ମିତ ୨୯ ବର୍ଷୀୟ ଶରଦଙ୍କୁ ସୋମବାର ଆଣ୍ଠୁରେ ଆଘାତ ଲାଗିଥିଲା। କିନ୍ତୁ ଶରଦ ମଙ୍ଗଳବାର ଟୋକିଓ ପାରା ଅଲିମ୍ପିକ୍ସରେ ୧.୮୩ ମିଟର ଡେଇଁ କାଂସ୍ୟ ପଦକ ଜିତିଛନ୍ତି। ଦିଲ୍ଲୀର ମୋର୍ଡେନ ସ୍କୁଲ ଓ କିରୋଡିମଲ କଲେଜ୍‌ରୁ ପ୍ରଶିକ୍ଷଣ ନେଇଥିବା ଶରଦ ଜବାହାରଲାଲ ନେହେରୁ ୟୁନିଭର୍ସିଟିରୁ ଅନ୍ତର୍ଜାତୀୟ ବିଷୟରେ ମାଷ୍ଟର ଡିଗ୍ରୀ ନେଇଥିଲେ। ଦୁଇ ବର୍ଷ ବୟସରେ ପୋଲିଓର ନକଲି ଡୋଜ୍ ଦିଆଯିବାରୁ ଶରଦଙ୍କ ବାମ ଗୋଡ ପାରାଲିସିସ୍ ହୋଇ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.