Below header

ଲୋକଙ୍କୁ ଭୁଆଁ ବୁଲାଇ ଲୁଟିନେଲେ ୫ କୋଟି, ମୋବାଇଲ୍‌ ଆପ୍‌ ମାଧ୍ୟମରେ କଲେ ଏଭଳି ଲୁଟ୍‌

ଏକ ପ୍ରାଇଭେଟ୍‌ ସଂସ୍ଥା ଆକର୍ଷଣୀୟ ଅଫର ଦେଖାଇ,ମୋବାଇଲ ଆପରେ ଲୁଟି ନେଇଛି କୋଟି କୋଟି ଟଙ୍କା । ସଂସ୍ଥାର ଅଫର ଦେଖି ଫଶି ଯାଇଛନ୍ତି ନୟାଗଡ଼ ଜିଲ୍ଲାର ଶହ ଶହ ଲୋକ ।

ବର୍ତ୍ତମାନ ସାଇବର ଠକଙ୍କ ଉତପାତ୍‌ ବଢ଼ି ଚାଲିଛି । ଆଉ ଏହି ଠକମାନେ ଆପ୍‌ ମାଧ୍ୟମରେ ଲୁଟ କରନ୍ତି ଏହା ତ ଆପଣମାନେ ଜାଣିିଥିବେ । କିନ୍ତୁ ଏକା ସାଙ୍ଗରେ ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଲୋକ ସାଇବର ଠକାମୀର ଶିକାର ହୋଇଛନ୍ତି । ଆପଣମାନେ ନିଶ୍ଚିତ ଭାବୁଥିବେ ଯେ ଏତେ ଲୋକ ସାଇବର ଠକାମୀର ଶିକାର ହେଲେ କିପରି । ତେବେ ଆପଣମାନଙ୍କୁ କହି ରଖିବାକୁ ଚାହିଁବୁ କି ଏକ ଆପ୍‌ ମାଧ୍ୟମରେ ହିଁ ଅନେକ ଲୋକ ଏଭଳି ଠକାମୀର ଶିକାର ହୋଇଛନ୍ତି ।

ତେବେ ବର୍ତ୍ତମାନ ସାଇବର ଅପରାଧ ଓ ସୁରକ୍ଷା ସମ୍ପର୍କିତ ସଚେତନତା ଅଭିଯାନ ଚାଲିଥିବାବେଳେ ଅନ୍ୟପଟେ ନୟାଗଡ଼ରେ ମୋବାଇଲ ଆପ୍‌ ଯୋଗେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଲୁଟ ହୋଇଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି । ଯାହାକୁ ନେଇ ସୃଷ୍ଟି ହୋଇଛି ହଇଚଇ । ଏକ ପ୍ରାଇଭେଟ୍‌ ସଂସ୍ଥା ଆକର୍ଷଣୀୟ ଅଫର ଦେଖାଇ,ମୋବାଇଲ ଆପରେ ଲୁଟି ନେଇଛି କୋଟି କୋଟି ଟଙ୍କା । ସଂସ୍ଥାର ଅଫର ଦେଖି ଫଶି ଯାଇଛନ୍ତି ନୟାଗଡ଼ ଜିଲ୍ଲାର ଶହ ଶହ ଲୋକ । ୫ ହଜାର ଟଙ୍କା ଡ଼ିପୋଜିଟ କଲେ ମାସକୁ ମିଳିବ ୫୫ ହଜାର ଟଙ୍କା ଏବଂ ୧୫ ହଜାର ଟଙ୍କା ଡ଼ିପୋଜିଟ କଲେ ମିଳିବ ଲକ୍ଷାଧିକ ଟଙ୍କା । ଏଭଳି ଲୋଭ ଦେଖାଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଠକ ସଂସ୍ଥା, ଜମାକାରୀଙ୍କ ଟଙ୍କା ଲୁଟ କରି ଆପ୍‌ ବନ୍ଦ କରି ଛୁ ମାରିଛି ।

ଏହି ସଂସ୍ଥା ନୟାଗଡ଼ ଜିଲ୍ଲାର ଏଜେଣ୍ଟ ମାଧ୍ୟମରେ ସଭା ସମିତି କରି, ଆପରେ ଲୋକଙ୍କୁ ଯୋଡି ଆକର୍ଷଣୀୟ ଅଫର ଦେଖାଇ ଚେନ୍‌ ସିଷ୍ଟମ ମାଧ୍ୟମରେ ଜିଲ୍ଲାର ଶହ ଶହ ଲୋକଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଛି । ଆଉ ବଡ଼ କଥା ହେଉଛି ଏହି ଲୁଟର ଶିକାର ହୋଇଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି । ଲୋକ ଲଜ୍ଜା ଭୟରେ କେହି ଅଭିଯୋଗ କରିବାକୁ ଚାହୁଁ ନାହାନ୍ତି । ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହେବା ପରେ ମାଷ୍ଟରମାଇଣ୍ଡ ଦୁଇ ଭାଇକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ନୟାଗଡ଼ ଗାୟତ୍ରୀ କଲୋନୀର ଅରୁଣ ଦାଶ ଓ ଅମୁଲ୍ୟ ଦାଶଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଉଭୟ ୨ ଭାଇ ଗିରଫ ହେବେ ବୋଲି ସୂଚନା ରହିଛି । ତଦନ୍ତ ଚାଲିଛି କାର୍ଯ୍ୟାନୁଷ୍ଠାନ ହେବ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ନୟାଗଡ SDPO ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି ।

ବାରମ୍ବାର ଏଭଳି ଠକାମୀର ଶିକାର ହେଉଥିଲେ ମଧ୍ୟ ଲୋକମାନେ ସତର୍କ ହେଉ ନାହାନ୍ତି । କିଏ ଝିଅ ବାହାଘର ପାଇଁ ଟଙ୍କା ସଞ୍ଚୟ କରି ରଖିଥିଲା ତ ଆଉ କିଏ ନିଜର ଦୋକାନ କରିବ ବୋଲି । ଅନେକ ଲୋକ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିଥିଲେ । କିନ୍ତୁ ଠକାମୀର ଶିକାର ହେବା ପରେ ଏହି ଲୋକଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ହତାଶ ହୋଇ ପୋଲିସର ଦ୍ୱାରସ୍ତ ହୋଇଛନ୍ତି । ତେବେ ସମ୍ପୃକ୍ତ ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.