Below header

ଫୁଲବଡ଼ି ତିଆରି କରି ପୋଷୁଛନ୍ତି ପେଟ, ଜିଲ୍ଲା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ପ୍ରଥମ ଥର ଦେଖିଲେ ଏହା ସମସ୍ତଙ୍କ ମନ କିଣିନିଏ । କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । ଶତାଧିକ ଲୋକେ ଫୁଲବଡ଼ି ତିଆରି କରି, ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରି ପରିବାର ପ୍ରତିପୋଷଣ କରି ପାରୁଛନ୍ତି ।

କେନ୍ଦୁଝରର ପ୍ରସିଦ୍ଧ ଫୁଲବଡ଼ି । ଦେଖିବାକୁ ଫୁଲପରି, ହାଲୁକା ଓ ଖାଇବାକୁ ଭାରି ମଜା । ପ୍ରଥମ ଥର ଦେଖିଲେ ଏହା ସମସ୍ତଙ୍କ ମନ କିଣିନିଏ । କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । ଶତାଧିକ ଲୋକେ ଫୁଲବଡ଼ି ତିଆରି କରି, ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରି ପରିବାର ପ୍ରତିପୋଷଣ କରି ପାରୁଛନ୍ତି । ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ ହୁଏ ଏହି ଫୁଲବଡ଼ି ।

କେନ୍ଦୁଝର ସହରର ଆଟୋପୁର ଅଞ୍ଚଳ । ଶୀତଦିନେ ସକାଳୁ ସକାଳୁ ଉଠି ମହିଳାମାନେ ଫୁଲବଡ଼ି ତିଆରିରେ ଲାଗିପଡନ୍ତି । କିଏ ବିରି ବାଟେ ତ ଆଉ କିଏ ବିରି ଫେଣାଇବା କାମ କରନ୍ତି, ତ ଅନ୍ୟ କିଏ ଖସା ଉପରେ ଫୁଲବଡ଼ି ପକାଇଥାନ୍ତି । ଫୁଲବଡ଼ି ବିକ୍ରି କରି ଲୋକମାନେ ବେଶ୍ ଦୁଇପଇସା ରୋଜଗାର କରିପାରୁଛନ୍ତି ।

ଗୋଟିଏ ଦିନ ପୂର୍ବରୁ ପାଣିରେ ଭିଜା ହୋଇଥିବା ବିରିକୁ ବାଟି ପ୍ରଥମେ ଚିକ୍କଣ କରାଯାଏ । ଏହାପରେ ଏହାକୁ ଶିଳରେ ଭଲଭାବେ ଫେଣାଯାଏ । ଦୁଇଥର ଫେଣାଯାଇଥିବା ଏହି ବିରିକୁ ଖସା ଉପରେ ଫୁଲ ଭଳି ମୋଡ଼ାଯାଏ । ମହିଳାମାନଙ୍କର ଏହି ‘‘ବଡ଼ିମୋଡ଼ା’’କାର୍ଯ୍ୟ କୌଣସି କଳା ଠାରୁ କମ୍ ନୁହେଁ । ଏହା ଖରାରେ ଶୁଖିବା ପରେ ଏହି ଫୁଲବଡ଼ିକୁ ତେଲରେ ଭାଜି ପରସାଯାଏ । ଫୁଲବଡ଼ି ଦେଖିବାକୁ ଯେତିକି ସୁନ୍ଦର, ଏହାର ସ୍ବାଦ ସେତିକି ନିଆରା । ଆଟୋପୁର ଅଞ୍ଚଳର ଶତାଧିକ ପରିବାର ଫୁଲବଡ଼ି ତିଆରି କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଯାହା ଜିଲ୍ଲା ପାଇଁ ସୃଷ୍ଟି କରିଛି ଏକ ସ୍ବତନ୍ତ୍ର ପରିଚୟ । ଅତିଦୁଃଖର ସହ ବଡ଼ି ପ୍ରସ୍ତୁତକାରୀ କହିଛନ୍ତି ଯେ ତାଙ୍କୁ ସରକାରଙ୍କ ତରଫରୁ କୌଣସି ସହାୟତା ମିଳୁ ନାହିଁ, ସରକାର ଯଦି ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ସେମାନେ ଏହି ବଡ଼ି ବ୍ୟବସାୟ କୁ ବଡ଼ ଆକାରରେ କରି ଅଧିକ ଦି ପଇସା ରୋଜଗାର କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି ।

ବର୍ଷା ଦିନରେ ବଡ଼ି ପ୍ରସ୍ତୁତ ହୋଇ ପାରୁ ନଥିବାବେଳେ ସେହି ସମୟରେ ସେମାନେ ଯେଉଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଥିରୁ ମୁକ୍ତି ପାିଇ ପାରନ୍ତେ । ତେବେ କେନ୍ଦୁଝରର ଏହି ବଡ଼ିକୁ ଖାଇବା ପାଇଁ ଲୋକଙ୍କ ମନରେ ବେଶ ଆଗ୍ରହ ଦେଖାଯାଏ । ଦୂର ଦୂରାନ୍ତରରୁ ଲୋକମାନେ ଆସି ଏହି ବଡ଼ି କିଣି ଘରକୁ ନେଇ ଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.