Below header

ପାଇଖାନା ଟାଙ୍କି ସଫା ବେଳେ ବାହାରିଲା ବିଷାକ୍ତ ଗ୍ୟାସ୍‌, ଘର ମାଲିକଙ୍କ ପୁଅ ସହ ୩ ସଫେଇ କର୍ମଚାରୀ ମୃତ

ଉତ୍ତର ପ୍ରଦେଶର ଚନ୍ଦୌଲିରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ଦିନଦୟାଲ ନଗରରେ ପାଇଖାନା ଟାଙ୍କି ସଫା ବେଳେ ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଘର ମାଲିକଙ୍କ ପୁଅ ଏବଂ ୩ ସଫେଇ କର୍ମଚାରୀ ।

ଉତ୍ତର ପ୍ରଦେଶର ଚନ୍ଦୌଲିରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ଦିନଦୟାଲ ନଗରରେ ପାଇଖାନା ଟାଙ୍କି ସଫା ବେଳେ ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଘର ମାଲିକଙ୍କ ପୁଅ ଏବଂ ୩ ସଫେଇ କର୍ମଚାରୀ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚିଥିଲା ଏବଂ ପାଇଖାନା ଟାଙ୍କିରୁ କୌଣସି ପ୍ରକାରେ ୪ ଜଣଙ୍କୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ, ଏହି ଘଟଣା ମୁଗଲସରାୟ କୋତଓ୍ଵାଲିର ଦିନଦୟାଲ ନଗରସ୍ଥିତ ୨୦ ନମ୍ବର ଓ୍ଵାର୍ଡରେ ଘଟିଛି । ଗତ ରାତିରେ ଏଠାରେ ଭରତ ଜାୟସଓ୍ଵାଲଙ୍କ ଘରେ ପାଇଖାନା ଟାଙ୍କି ସଫା ହେଉଥିଲା । ଏଥିରେ ୩ ଜଣ କର୍ମଚାରୀ ନିୟୋଜିତ ଥିଲେ । ଯେତେବେଳେ ଜଣେ ସଫେଇ କର୍ମୀ ଟାଙ୍କି ଭିତରକୁ ଯାଇଥିଲେ, ହଠାତ୍‌ ସେ ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ବେହୋସ୍‌ ହୋଇଯାଇଥିଲେ ।

ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣଙ୍କ ପରେ ଜଣେ ଯାଇଥିଲେ । କିନ୍ତୁ ସମସ୍ତେ ବିଷାକ୍ତ ଗ୍ୟାସ୍‌ ଯୋଗୁ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ୩ ଜଣ ସଫେଇ କର୍ମୀଙ୍କ ପରେ ଘର ମାଲିକ ଭରତ ଜାୟସଓ୍ଵାଲଙ୍କ ପୁଅ ମଧ୍ୟ ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ । କିଛି ସମୟ ପରେ ସେ ମଧ୍ୟ ବେହୋସ୍‌ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।

ଏ ନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ସମସ୍ତଙ୍କୁ ଟାଙ୍କି ଭିତରୁ ବାହାର କରି ହସ୍ପିଟାଲ ପଠାଇଥିଲା । ହେଲେ ସେତେବେଳକୁ ୪ ଜଣଙ୍କର ହିଁ ମୃତ୍ୟୁ ହୋଇସାରିଥିଲା । ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ମୁତାବକ, ଯେଉଁ ପାଇଖାନା ଟାଙ୍କି ସଫା କରାଯାଉଥିଲା, ତାହା ୧୫ ବର୍ଷ ପୁରୁଣା ଥିଲା । ଏପଟେ ଏକାସାଙ୍ଗରେ ୪ ଜଣଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.