Below header

ଔପନ୍ୟାସିକା ଅନୁରାଧା ରାୟଙ୍କୁ ଜାତୀୟସ୍ତରୀୟ ନୀଳିମାରାଣୀ ସାହିତ୍ୟ ସମ୍ମାନ ଏବଂ ହରପ୍ରସାଦ ଦାସଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସକାଳୁ ସକାଳୁ କିଟ୍‌ ବିଶ୍ୱବିଦ୍ୟାଳୟ ପରିସର ହୋଇ ଉଠିଥିଲା ଚଳଚଞ୍ଚଳ । ସାହିତ୍ୟ ଦୁନିଆର ପ୍ରସିଦ୍ଧ ଲେଖକ, କଥାକାର, ପ୍ରକାଶକ ଆଉ ପାଠକଙ୍କ ଭିଡ଼ରେ ଉଛୁଳି ଉଠିଥିଲା କିଟ୍‌ର ୬ ନମ୍ବର କ୍ୟାମ୍ପସ୍‌ । ଅବସର ଥିଲା କାଦମ୍ବିନୀ ସାହିତ୍ୟ ମହୋତ୍ସବ ଏବଂ କାଦମ୍ବିନୀ ପତ୍ରିକା ହାଟ। ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ତରଫରୁ ଆୟୋଜିତ ଏହି ସାରସ୍ୱତ ମେଳାରେ ଭାଷା ଓ ସାହିତ୍ୟକୁ ନେଇ ବହୁମୂଲ୍ୟ ଆଲୋଚନା ହୋଇଥିଲା । ଏହି ସାହିତ୍ୟ ମହାକୁମ୍ଭରେ ଯୋଗ ଦେଇଥିଲେ ରାଜ୍ୟ ଏବଂ ଦେଶର ବହୁ ସାହିତ୍ୟିକ, କଳାକାର ଓ ବୁଦ୍ଧିଜୀବୀ । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଅତିଥିଙ୍କ ସାରଗର୍ଭକ ଭାଷଣ ଶୁଣିଥିଲେ ।

2

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ମୃଦୁଳା ଗର୍ଗ ଏବଂ ବିଶିଷ୍ଟ ସାମ୍ବାଦିକ ରାହୁଲ ଦେବ ଯୋଗ ଦେଇଥିଲେ । ଅତିଥିଙ୍କୁ ସ୍ୱାଗତ କରିଥିଲେ କାଦମ୍ବିନୀ ଓ କୁନିକଥାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ ଏବଂ କୁନିକଥା ସମ୍ପାଦକ ଶ୍ରୀଜିତ୍‌ ଅଭିଷେକ । କିଟ୍‌ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଅତିଥିମାନେ । ପରେ ଦ୍ୱାଦଶ କାଦମ୍ବିନୀ ପତ୍ରିକା ହାଟ ଉଦ୍‌ଘାଟନ କରିଥିଲେ ପୂର୍ବତନ ମୁଖ୍ୟ ଅତିଥି ସଲମାନ୍‌ ଖୁର୍ସିଦ ।

3

ସମସ୍ତ ଅତିଥିଙ୍କୁ ପତ୍ରିକା ହାଟର ଷ୍ଟଲ ବୁଲି ଦେଖାଇଥିଲେ କାଦମ୍ବିନୀ ପ୍ରତିଷ୍ଠାତା, କାଦମ୍ବିନୀର ସମ୍ପାଦିକା ଓ କୁନିକଥାର ସମ୍ପାଦକ । ରାଜ୍ୟର କୋଣଅନୁକୋଣରୁ ଏଥିରେ ଭାଗ ନେଇଥିଲେ ବିଭିନ୍ନ ପତ୍ରପତ୍ରିକା । ପତ୍ରପତ୍ରିକାର ସମ୍ପାଦକ, କବି, ଲେଖକ ଏବଂ ପାଠକଙ୍କ ମହାମିଳନ ଦେଖିବାକୁ ମିଳିଥିଲା ପତ୍ରିକା ହାଟରେ ।

4

ପରେ ପରେ କିଟ୍‌ କନଭେନସନ୍‌ରେ ଉଦ୍‌ଘାଟିତ ହୋଇଥିଲା ସପ୍ତଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ । ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ କାଦମ୍ବିନୀ ଏବଂ କୁନିକଥାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରିଥିଲେ । ଏହାପରେ ଉନ୍ମୋଚିତ ହୋଇଥିଲା କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତଙ୍କ ଲୋକପ୍ରିୟ ଉପନ୍ୟାସ ‘ଶକୁନ୍ତଳାର ଝିଅ’ର ଇଂରାଜୀ ଅନୁବାଦ ‘ଶକୁନ୍ତଳାସ୍‌ ଡଟର୍‌’ର ।

5

ଆଜିର ଏହି ସାହିତ୍ୟ ମହାକୁମ୍ଭରେ ପୂଜ୍ୟପୂଜାର ପରମ୍ପରାକୁ ବଜାୟ ରଖିଥିଲେ ଆୟୋଜକ । ସମ୍ମାନ ଓ ସମ୍ବର୍ଦ୍ଧନା ପର୍ବରେ ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ଔପନ୍ୟାସିକା ଅନୁରାଧା ରାୟଙ୍କୁ ଜାତୀୟସ୍ତରୀୟ ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୦ ପ୍ରଦାନ କରାଯାଇଥିଲା । ମାନପତ୍ର, ଉପଢୌକନ, ପଟ୍ଟଚିତ୍ର ଏବଂ ପାଞ୍ଚଲକ୍ଷ ଟଙ୍କା ଅର୍ଥରାଶିରେ ପୁରସ୍କୃତ କରାଯାଇଛି ଅନୁରାଧା ରାୟଙ୍କୁ ।
ସେହିପରେ ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୦ରେ ସମ୍ମାନିତ କରାଯାଇଛି । କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୦ରେ ସମ୍ମାନିତ ହୋଇଥିଲେ ‘ଶତଦ୍ରୁ’ର ସମ୍ପାଦକ ଉପେନ୍ଦ୍ର ପ୍ରସାଦ ନାୟକ । ଏଥି ସହିତ କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୦ରେ ସମ୍ବର୍ଦ୍ଧିତ ହୋଇଛନ୍ତି ପ୍ରିୟବ୍ରତ ଦାସ, ବିନୋଦିନୀ ଦେବୀ, ଭୂପେନ ମହାପାତ୍ର ଏବଂ ରାଜେଶ୍ୱରୀ ଦଳବେହେରା । ମଞ୍ଚାସୀନ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।

6

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ମୁଖ୍ୟତଃ ଭାଷାକୁ ନେଇ ବର୍ତ୍ତମାନ ସମୟରେ ଯେଉଁଭଳି ସଙ୍କଟ ସୃଷ୍ଟି ହୋଇଛି ତାରି ଉପରେ ଅତିଥିମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ନିଜ ନିଜ ମାତୃଭାଷାକୁ ସମୃଦ୍ଧ କରିବା ପାଇଁ କାଦମ୍ବିନୀ ମଞ୍ଚରେ ଚାଲିଥିଲା ଆଲୋଚନା । ଏ କ୍ଷେତ୍ରରେ କାଦମ୍ବିନୀର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ଅତିଥି ।

PATRIKA

ଏଇ ସାହିତ୍ୟ ମହୋତ୍ସବ କେବଳ ବୟସ୍କଙ୍କ ପାଇଁ ନଥିଲା । ଏଥିରେ ଥିଲା କିଶୋର ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଅନ୍ତିମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ଦଳଗତ ନୃତ୍ୟ ପ୍ରତିଯୋଗିତା ‘କୁନାକୁନି ମେଳା’ । ଏଥିରେ ରାଜ୍ୟର ବିଭିନ୍ନ ଭାଗରୁ ଶିଶୁ ଓ କିଶୋର ପ୍ରତିଭାଙ୍କୁ ନେଇ ୨୦ଟି ଦଳ ଅଂଶଗ୍ରହଣ କରି ନୃତ୍ୟ ପ୍ରଦର୍ଶନ କରିଥିଲେ । ଶ୍ରେଷ ତିନିଟି ଦଳଙ୍କୁ ଅର୍ଥ ପୁରସ୍କାର ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ମିଳିଥିଲା ସାନ୍ତ୍ୱନାମୂଳକ ପୁରସ୍କାର । ବହୁ ସଂଖ୍ୟାରେ କବି, ଲେଖକ, କଳାକାର ଏବଂ ସାଧାରଣ ଲୋକ ଏହି ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ମଜା ନେଇଥିଲେ ।

KUNAKUNI MELA-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.