ବାଇକ ଆରୋହୀଙ୍କ ବେକରେ ପଶିଲା ବାଉଁଶ, ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର (କେନ୍ୟୁଜ୍) : ବାଇକ ଆରୋହୀଙ୍କ ବେକରେ ଗଳିଗଲା ବାଉଁଶ । ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ବେକରେ ବାଉଁଶ ପଶି ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ଘସିପୁରା ଜାମୁବାହାଲି ଗାଁର ସାନୁ ତିରିଆ । ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚୋରଗାଡିଆ ଛକଠାରେ ଠିଆ ହୋଇଥିବା ଏକ ବାଉଁଶ ବୋଝେଇ ପିକଅପ୍‌ ଭ୍ୟାନକୁ ବାଇକ ଧକ୍କା ଦେଇଥିଲା । ଏହି ସମୟରେ ସାନୁଙ୍କ ବେକରେ ବାଉଁଶ ପଶିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକକୁ ସ୍ଥାନାନ୍ତର କରାଯାଇଛି ।