ବୁଦ୍ଧଦେବଙ୍କ ରୋଜଗାରର ସବୁ ବାଟ ବନ୍ଦ ହେଲେ ସ୍ୱାଗତ କରିଛନ୍ତି ଲକ୍‌ଡାଉନ୍‌କୁ, ଜାଣନ୍ତୁ କିଏ ଏହି ବ୍ୟକ୍ତି

ଘଟଗାଁ (କେ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢ଼ୀପଦା ଗ୍ରାମର ବୁଦ୍ଧଦେବ ଦେହୁରୀ। ଦୀର୍ଘ ବର୍ଷ ହେବ ଆଖିକୁ ଦେଖାଯାଉନାହିଁ। ସେଥିଲାଗି କିଛି କାମଧନ୍ଦା କରି ପାରନ୍ତି ନାହିଁ। ହେଲେ ବଇଁଶୀ ଓ କେନ୍ଦରା ବଜାଇବାରେ ବେଶ୍‌ ପାରଙ୍ଗମ ସେ। ଦୃଷ୍ଟିହୀନ ହୋଇଥିଲେ ମଧ୍ୟ କାହାରି ଉପରେ ନିର୍ଭରଶୀଳ ହୋଇନାହାନ୍ତି। ସକାଳ ହେଲେ ବଇଁଶୀ ଓ କେନ୍ଦରା ଧରି ବାହାରି ଯାଆନ୍ତି ଘରୁ ବିଭିନ୍ନ ଗାଁ ଓ ହାଟ ବୁଲି ସୁମଧୁର ବଇଁଶୀ ଓ କେନ୍ଦେରା ବଜାଇ ଭଜନ ଗାଇ ଲୋକଙ୍କ ମନୋରଞ୍ଜନ କରନ୍ତି। ଯିଏ ଯାହା ଖୁସିରେ କିଛି ଟଙ୍କା ଦେଲେ ତ ଭଲ ନଦେଲେ ମଧ୍ୟ ମନଦୁଃଖ କରନ୍ତିନି।

ଏଥିସହ ସରକାର ପଲିଥିନ ବନ୍ଦ କରିବା ପରେ କାଗଜ ଠୁଙ୍ଗା ତିଆରି କରି ହୋଟେଲ ଓ ଦୋକାନମାନଙ୍କରେ ଦେଇ ଦି’ପଇସା ରୋଜଗାର ମଧ୍ୟ କରିଥାନ୍ତି। ସରକାରଙ୍କ ତରଫରୁ ଭିନ୍ନକ୍ଷମ  ଭତ୍ତା ଓ ରାସନ ସାମଗ୍ରୀ ମଧ୍ୟ ପାଉଛନ୍ତି। ହେଲେ ଲକଡାଉନ ଯୋଗୁ ଏବେ ଘରେ ହିଁ ରହୁଛନ୍ତି ବୁଦ୍ଧଦେବ। ଲକଡାଉନ ଯୋଗୁ ଲୋକମାନଙ୍କୁ ଭଗବାନଙ୍କ ନାମ ଶୁଣାଇ ପାରିନଥିବାରୁ ମନଦୁଃଖରେ ଅଛନ୍ତି ସେ। ତଥାପି ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି। ଆଖିକୁ ଦେଖା ଯାଉନଥିଲେ ମଧ୍ୟ ବୁଦ୍ଧଦେବ ଜଣେ ମିଷ୍ଟଭାଷୀ ହୋଇଥିବାରୁ ସମସ୍ତଙ୍କର ଅତି ଆପଣାର ମଣିଷ ହୋଇ ପାରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.