୨୭ ବର୍ଷରେ ପାଦ ଥାପିଲା ବୌଦ୍ଧ ଜିଲ୍ଲା: ବିକାଶ ପଥରେ ଚାଲିଥିଲେ ମଧ୍ୟ ଏବେବି ଅନେକ କ୍ଷେତ୍ରରେ ବାକି ରହିଛି ବିକାଶ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଗଠନକୁ ୨୬ ବର୍ଷ ପୂରଣ ହୋଇଛି। ଆଜି ୨୭ରେ ପାଦ ଥାପିଛି। ଓଡିଶାର କେନ୍ଦ୍ରରେ ଥିବା ଏହି ଜିଲ୍ଲା ପଶ୍ଟିମ ଓଡିଶାକୁ ଉତ୍ତର ଓଡିଶା ସହ ସଂଯୋଗ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି। ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ବଳରେ ଏବେ ବିକାଶ କ୍ଷେତ୍ରରେ ଅଗ୍ରଗତି କରୁଛି ବୌଦ୍ଧ ଜିଲ୍ଲା। ତଥାପି ଯୁବାସ୍ଥାରେ ଥିବା ଏହି ଜିଲ୍ଲାର ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ତଥା ଗମନାଗମନର ବିକାଶ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

୧୯୯୪ରେ ଜାନୁଆରୀ ୨। ଅଭିବକ୍ତ ଫୁଲବାଣୀ ଜିଲ୍ଲାରୁ ଅଲଗା କରି ସ୍ୱତନ୍ତ୍ର ପରିଚୟ ପାଇଥିଲା ବୌଦ୍ଧ ଜିଲ୍ଲା। ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ଆଦି ୩ଟି ବ୍ଲକ ଏବଂ ଗୋଟିଏ ସବ୍‌ଡିଭିଜନକୁ ନେଇ ଗଠନ କରାଯାଇଥିଲା ବୌଦ୍ଧ ଜିଲ୍ଲା। ୨୭ ବର୍ଷରେ ପାଦ ଥାପିଥିବା ବୌଦ୍ଧ, ଇତି ମଧ୍ୟରେ ୨୯ଜଣ ଜିଲ୍ଲାପାଳଙ୍କୁ ପାଇଛି। ବହୁ ବିକାଶ କାମ ହୋଇଛି। ପ୍ରତିକ୍ଷିତ ମର୍ଜାକୁଦ ଦ୍ୱୀପର ବିକାଶ ପାଇଁ ବ୍ରିଜ ର୍ନିମାଣଠାରୁ ଆରମ୍ଭ କରି ପର୍ଯ୍ୟଟନର ବିକାଶ ପାଇଁ ବହୁ ଯୋଜନା ପ୍ରସ୍ତୁତ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ର୍ନିମାଣ କାମ ଆରମ୍ଭ ହେବାକୁ ଯାଉଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଡେଲ ଡିଗ୍ରୀ କଲେଜ ସ୍ଥାପନ ହୋଇଥିବା ବେଳେ ବିଇଡି କଲେଜ ପାଇଁ ପ୍ରସ୍ତାବ ଦିଆଯାଇଛି। ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପୂରା ଦମରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି।…

ଜିଲ୍ଲାରେ ଥିବା ଉପାନ୍ତ ଦୁର୍ଗମ ଅଂଚଳକୁ ଗମନାଗମନ ସୁବିଧା ପାଇଁ ସବୁ ଦିନିଆ ରାସ୍ତା ନିର୍ମାଣ କାମ ଚାଲିଛି। ପ୍ରତି ଗରିବ ପରିବାର ପାଇଁ ବିଜୁଳି ଆଲୁଅର ବ୍ୟବସ୍ଥା କରାଯାଉଛି। ରୋଜଗାର କ୍ଷେତ୍ରରେ କର୍ମନିଯୁକ୍ତି କାର୍ଯ୍ୟକ୍ରମ ହାତକୁ ନେଇ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଯାଉଛି। ହେଲେ ବୌଦ୍ଧବାସୀଙ୍କ ବହୁ ଦିନର ସ୍ୱପ୍ନ ତଥା ପଶ୍ଚିମ ଓଡିଶାର ଲାଇଫ ଲାଇନ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗିର ରେଲୱେ ଲାଇନ ପ୍ରକଳ୍ପ ନିର୍ମାଣ କାମ ଧିମେଇ ଯାଇଛି। ଜିଲ୍ଲାରେ ଜମି ଅଧିଗ୍ରହଣରେ ବିଳମ୍ବ ପାଇଁ ବୌଦ୍ଧବାସୀଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଛି। ବୌଦ୍ଧ ପଶ୍ଚିମ ଓଡ଼ିଶା ଜିଲ୍ଲା ଭାବେ ଗଣାଯାଉଛି। କିନ୍ତୁ ଏହା ରହିଛି ଦକ୍ଷିଣାଞ୍ଚଳ ଆର୍‌ଡିସି ଅଧିନରେ। ପଶ୍ଚିମାଞ୍ଚଳରେ ସାମିଲ ପାଇଁ ବାରମ୍ବାର ଦାବି ହେଉଛି। ଆନ୍ଦୋଳନ ପରେ ବି ପଶ୍ଚିମାଞ୍ଚଳ ଆରଡିସି ଅଧିନରେ ସାମିଲ କରାଯାଉନାହିଁ।

 

You might also like