Below header

ସି ସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାଶଙ୍କୁ ଆଗୁଆ ଜାମିନ, ସର୍ତ୍ତ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ ହେଉଥିବା ମାମଲାରେ ସି ସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାଶଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ପୂର୍ବରୁ ଏହି ମାମଲାରେ ହାଇକୋର୍ଟ ପ୍ରଶାନ୍ତ ଦାଶଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଇଡି ମାମଲାର ତ୍ୱରିତ ଶୁଣାଣି ପାଇଁ ପ୍ରଶାନ୍ତ ଦାଶ ଅଦାଲତଙ୍କୁ ସହଯୋଗ କରିବେ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସିସୋର ଇଡି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତ ଓ ବିଚାର ପ୍ରକ୍ରିୟାରେ ଆବେଦନକାରୀ ସହଯୋଗ ନ କଲେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ସ୍ୱତଃସ୍ପୃର୍ତ୍ତ ବାତିଲ ହୋଇଯିବ ।

ସର୍ତ୍ତ ଖିଲାପ କଲେ ମାମଲାର ବିଚାର କରୁଥିବା କୋର୍ଟ ଆବେଦନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ । ଏଭଳି ନିର୍ଦ୍ଦେଶନାମା ଦେଇ ହାଇକୋର୍ଟରେ ବିଚାରଧୀନ ଥିବା ମାମଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଅଦାଲତ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଏହି ମକଦ୍ଦମା ପରିଚାଳନା କରୁଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସିସୋର୍‌ ଚିଟଫ୍‌ଣ୍ଡ କମ୍ପାନିର କଳାଧନ ଖୋଳତାଡ଼ କରୁଥିଲା ଇଡି । ପୂର୍ବରୁ ସ୍ଥାବର ଓ ଅସ୍ଥାବର ମିଶାଇ ୨୫୮କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । ପୁଣି ଅନୁସନ୍ଧାନ ଜାରି ରହିଥିବା ବେଳେ ଅନ୍ୟ ଦୁଇଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬.୫ କୋଟି ଟଙ୍କା ଟ୍ରାନ୍ସଫର୍‌ ହୋଇଥିବା ଜଣାପଡ଼ିଥିଲା । ସେଥିରୁ ୫.୬୭କୋଟି ଟଙ୍କା ଜବତ ହୋଇପାରିଥିଲା ।

ଚିଟଫଣ୍ଡ କାରବାର ନେଇ ୨୦୧୨ରେ ସିସୋର୍‌ କମ୍ପାନି ଉପରେ କ୍ରାଇମବ୍ରାଞ୍ଚ ଚଢ଼ଉ କରିଥିଲା । ଏହା ପରେ ୨୦୧୩ରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ମାମଲାର ତଦନ୍ତଭାର ନେଇଥିଲା । ୨୦୧୩ ଜୁନ୍‌ ୧୯ରେ ସିସୋର୍‌ କମ୍ପାନି ମାଲିକ ପ୍ରଶାନ୍ତ ଦାଶଙ୍କୁ ମୁମ୍ବାଇରୁ ଗିରଫ କରିଥିଲା ଇଓଡବ୍ଲୁ । ୨୦୧୪ରେ ସିସୋର୍‌ ମାମଲାର ତଦନ୍ତ ହାତକୁ ନେଇଥିଲା ସିବିଆଇ । ଇଓଡବ୍ଲୁ ସିସୋର୍‌ କମ୍ପାନିର ୧୨୭ କୋଟି ଟଙ୍କାର ବ୍ୟାଙ୍କ ଜମା, ନଗଦ ୮୬ ଲକ୍ଷ ଟଙ୍କା, କମ୍ପାନି ମୋହର ଥିବା ବିପୁଳ ସୁନା ଓ ରୁପା ଟଙ୍କା, ୨୦୪ ଏକର ଜମି, ୨୨ଟି ଚାରି ଚକିଆ ଗାଡ଼ି, ବିଭିନ୍ନ ସ୍ଥାନରେ ଥିବା କୋଠା ଓ ଶିଳ୍ପସଂସ୍ଥାକୁ ମଧ୍ୟ ଜବତ କରିଥିଲା ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.