Below header

ଯାଜପୁର ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଓଡିଶାର ଏକ ନମ୍ବର ଜିଲ୍ଲା ହେବ ବୋଲି କହିଲେ ନବୀନ

ଭୁବନେଶ୍ବର(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର। ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଯାଜପୁର ଦିନେ ଓଡିଶାର ରାଜଧାନୀ ଥିଲା । ଧର୍ମ, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ର ଥିଲା। ହିନ୍ଦୁ ଧର୍ମ ପରି ବୌଦ୍ଧ ଧର୍ମର ମଧ୍ୟ ବିକାଶ ହୋଇଥିଲା । ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଏବେ ସାରା ବିଶ୍ବର ବୌଦ୍ଧ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମା ବିରଜାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ହେଉଛି ଶକ୍ତି ପୀଠ। ଏହାର ଗୌରବମୟ ଇତିହାସ ରହିଛି । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି କଳା, ସାହିତ୍ୟ, ସଂସ୍କୃତି, କୃଷି, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ବତନ୍ତ୍ର ପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ଆଜି ଯାଜପୁରର ନୂଆ ପରିଚୟ ହୋଇଛି। ମୋର ଦୃଢ ବିଶ୍ବାସ, ଯାଜପୁର ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇ ସମସ୍ତଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା  ନଳିନୀପ୍ରଭା ଜେନା, ବିଧାୟକ  ସୁନନ୍ଦା ଦାସ ପ୍ରମୁଖ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜର ଅଭିଭାଷଣ ରଖି କହିଥିଲେ ଯେ ଯାଜପୁର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଆଶୀର୍ବାଦ ଓ ଭଲପାଇବା ଅଛି । ଯାଜପୁର ଆଜି ବିକାଶ କ୍ଷେତ୍ରରେ ସୁନାମ କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯାଜପୁରରେ କଳିଙ୍ଗ ନଗର ଷ୍ଟିଲ କମ୍ପ୍ଲେକ୍‌ସ ଓ ମେଡିକାଲ କଲେଜ ହେବା ସହିତ ଯୋଗାଯୋଗ କ୍ଷେତ୍ରରେ ଯାଜପୁରର ଦ୍ରୁତ ବିକାଶ ହୋଇପାରିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀପ୍ରୀତିରଂଜନ ଘଡାଇ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ  ଅଶୋକ ବଳ ପ୍ରମୁଖ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.