Below header

ଓଡ଼ିଶା ବିଧାୟକଙ୍କୁ ଆଶ୍ୱସ୍ତି, ବିଧାୟକଙ୍କ ବିରୋଧରେ ଆସିଥିବା ପିଟିସନକୁ ଗ୍ରହଣ କଲେ ନାହିଁ ଦିଲ୍ଲୀ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):   ଅଫିସ ଅଫ୍‌ ପ୍ରଫିଟ ମାମଲାରେ ଓଡ଼ିଶା ବିଧାୟକମାନଙ୍କୁ ଆଶ୍ୱସ୍ତି। ସେମାନଙ୍କ ବିରୋଧରେ ଆସିଥିବା ପିଟିସନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଅନେକ ବିଧାୟକ କିଛି ସଂସ୍ଥାରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ରହିଥିଲେ। ଏହାକୁ ବୈଧ କରିବାକୁ ଓଡ଼ିଶା ସରକାର ଅଫିସ ଅଫ୍‌ ପ୍ରଫିଟ ଆଇନ-୨୦୧୬ ରେ ସଂଶୋଧନ ଆଣିଥିଲେ। ୨୦୧୬ ମସିହା ଜାନୁଆରୀରେ ଏହା ଲାଗୁ ହୋଇଥିଲା। ଏନେଇ ଚଳିତବର୍ଷ ମେ ମାସରେ ଆବେଦନକାରୀ ଓଡ଼ିଶା ରାଜ୍ୟପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ରାଜ୍ୟପାଳଙ୍କୁ ଏସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନଙ୍କ ମତାମତ ନେବାକୁ ଅନୁରୋଧ କରିଥିଲେ ଆବେଦନକାରୀ। କିନ୍ତୁ ରାଜ୍ୟପାଳ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଦିଲ୍ଲା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ ।

ତେବେ ଦିଲ୍ଲୀ ହାଇକୋର୍ଟ ଏହି ପିଟିସନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କାରଣ ଓଡ଼ିଶା ବିଧାନସଭା ଏବଂ ଓଡ଼ିଶା ରାଜ୍ୟପାଳ ଦିଲ୍ଲୀ ହାଇକୋର୍ଟଙ୍କ ନ୍ୟାୟିକ କ୍ଷମତା ପରିସରରେ ଆସୁ ନାହାନ୍ତି। ପିଟିସନ ଆହୁରି ଦର୍ଶାଇଥିଲେ ଯେ, ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ କରାଯାଉ। ଏହା ଉପରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ସୁପ୍ରିମକୋର୍ଟ ପୂର୍ବରୁ ୨୦୦୩ରେ ଏକ ରାୟ ଦେଇଥିଲେ। ଯେଉଁଥିରେ ଉଲ୍ଲେଖ ରହିଛି, ବାର୍‌ ଆସୋସିଏସନ୍‌ କିମ୍ବା ବାର୍‌ କାଉନସିଲ୍‌ ଅଦାଲତ ବର୍ଜନ କିମ୍ବା ଆନ୍ଦୋଳନ ପାଇଁ ଆହ୍ଵାନ କରି ପାରିବେ ନାହିଁ। ବିରଳରୁ ବିରଳତମ କ୍ଷେତ୍ରରେ ଗୋଟିଏ ଦିନ ପାଇଁ ଆନ୍ଦୋଳନ ହେଲେ କୋର୍ଟ ଅଣଦେଖା କରି ପାରିବେ।

ଦିଲ୍ଲୀ ହାଇକୋର୍ଟ ପୁଣି କହିଛନ୍ତି, ସବୁ ଆଇନଜୀବୀ କୌଣସି କାର୍ଯ୍ୟବନ୍ଦରେ ସାମିଲ ହେବା ପାଇଁ ଦୃଢ଼ ଭାବରେ ମନା କରିବା ଉଚିତ। ଏଥିପାଇଁ ବାର୍‌ ଆସୋସିଏସନ୍‌ ଓ ବାର୍‌ କାଉନସିଲ୍‌ କୌଣସି ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ବହିଷ୍କାର କରି ପାରିବେ ନାହିଁ। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟର ନକଲ କଳିଙ୍ଗ ଟିଭିର ହସ୍ତଗତ ହୋଇଛି। ଗତ ୨୩ ତାରିଖରେ ଏହି ରାୟ ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ସଞ୍ଜୀବ ସଚଦେବ ଶୁଣାଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.