Below header

ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ: ଆଜି ହେବ ଶବ ବ୍ୟବଚ୍ଛେଦ, ହତ୍ୟା ନା ଆତ୍ମହତ୍ୟା ଆସିବ ରିପୋର୍ଟ

(କେନ୍ୟୁଜ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ଘଟଣାରେ ତନାଘନା ଚାଲିଛି । ତଦନ୍ତ ଭିତରେ ସବୁଠୁ ବଡ଼ ପ୍ରଶ୍ନ କାହିଁକି ସେ ଆତ୍ମହତ୍ୟା କଲେ ? ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ କଣ୍ଟାବାଞ୍ଜିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଯାଇଛନ୍ତି ୩ ଜଣ ଅଫିସର । ସେମାନଙ୍କୁ ତଦନ୍ତରେ ସହଯୋଗ କରୁଛନ୍ତି ୧୦ ଜଣିଆ ଫୋରେନସିକ୍‌ ଓ ସାଇବର ଏକ୍ସପର୍ଟ ଟିମ୍‌ । ସବୁ ଦିଗକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକା କମିଶନଙ୍କ ଗାଇଡଲାଇନ୍‌ ଅନୁସାରେ ତଦନ୍ତ କରାଯାଉଛି ।

ଆଜି ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ କରାଯିବ । ମୃତଦେହକୁ ବଲାଙ୍ଗିର ଭୀରଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଶବାଗାରରେ ରଖାଯାଇଛି । ବୁର୍ଲା ଭୀରସାର ଓ ବଲାଙ୍ଗିର ମେଡିକାଲର ୩ ଜଣିଆ ଡାକ୍ତରୀ ଟିମ୍‌, ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ସମେତ ପରିବାର ଲୋକଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁଙ୍କର ପୋଷ୍ଟମର୍ଟମ କରାଯିବ । ଏସମସ୍ତ ଘଟଣାର ହେବ ଭିଡିଓଗ୍ରାଫି ।

ସେପଟେ ଗତକାଲି କଣ୍ଟାବାଞ୍ଜି ଯାଇ ତଦନ୍ତ କରିଥିଲେ ସମ୍ବଲପୁର ରେଞ୍ଜ ଡିଆଇଜି ଅନସୂୟା ଜେନା । ପ୍ରାଥମିକ ତଦନ୍ତ ପରେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ର ଓ୍ଵାର୍ଡର ଅକ୍ଷୟ ମହାନ୍ତିଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ସସପେଣ୍ଡ କରାଯାଇଛି । ଗତକାଲି କଣ୍ଟାବାଞ୍ଜି ଜେଲ୍‌ ଭିତରୁ ଗୋବିନ୍ଦ ସାହୁଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜେଲ୍‌ ଡାଇନିଂ ହଲ୍‌ ପଛ ପଟରେ ଥିବା ଝରକାରେ ଗାମୁଛା ଲଗାଇ ସେ ଝୁଲି ପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.