ପାକିସ୍ତାନ ଅଧିକୃତ କାଶ୍ମୀର ଲୋକେ ଆନ୍ଦୋଳନ କରୁଛନ୍ତି, ଭାରତରେ ମିଶିବା ପାଇଁ ଆଗ୍ରହୀ !

ପିଓକେରେ ଆର୍ଥିକ ସ୍ଥିତି ଅତି ଶୋଚନୀୟ । ଏଠାକାର ବିକାଶ ପ୍ରତି ଆଦୌ ଧ୍ୟାନ ଦେଇ ନାହିଁ ପାକିସ୍ତାନ । ତେଣୁ ପାକିସ୍ତାନ ବିରୋଧରେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ରହିଛି ।

ବର୍ଷ ବର୍ଷ ଧରି ଜମ୍ମୁ କାଶ୍ମୀର ଭାରତକୁ ଏକ କ୍ଷତ ଭଳି ଯନ୍ତ୍ରଣା ଦେଇ ଆସୁଥିଲା । ସ୍ୱାଧୀନତା ସମୟରେ ବ୍ରିଟିଶ ଶାସକ ଏମିତି ଏକ କେଁ ରଖି ଦେଇ ଗଲେ ଯେ ଯାହାର ସମାଧାନ ହୋଇ ପାରୁନଥିଲା । ସେମାନେ କାଶ୍ମୀରକୁ ଭାଗ ଭାଗ କରି ଅଧା ଭାରତରେ ଆଉ ଅଧା ପାକିସ୍ତାନରେ ରଖି ଦେଇଗଲେ । ପୁଣି କିଛି ରହିଗଲା ଚୀନ୍‌ ଅଧୀନରେ । ତେବେ ଭାରତ ହାତରେ ୫୫ ଭାଗ ଅଞ୍ଚଳ ଥିବା ବେଳେ ପାକିସ୍ତାନ ହାତରେ ୩୦ ଏବଂ ଚୀନ୍‌ ଅଧୀନରେ ୧୫ ପ୍ରତିଶତ ଅଞ୍ଚଳ ରହିଛି । ୧୯୪୭ରେ ଭାରତ-ପାକିସ୍ତାନ ଭାଗ ହେବା ପରେ ହିଁ କାଶ୍ମୀରକୁ ନେଇ ଦୁଇ ଦେଶ ଭିତରେ ସବୁ ବେଳେ ବିବାଦ ଲାଗି ରହିଲା । କେତେଥର ଯୁଦ୍ଧ ବି ହେଲା । ଶେଷରେ ୧୯୭୧ ଯୁଦ୍ଧ ପରେ ଶିମଳା ରାଜିନାମ ଅନୁସାରେ ଦୁଇ ଦେଶ ଭିତରେ ଟଣାଗଲା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ବା ‘ଏଲଓସି’ । ଏସବୁ ପରେ ମଧ୍ୟ ପାକିସ୍ତାନ ଏବଂ ପାକ୍‌ ଅଧିକୃତ କାଶ୍ମୀରରୁ ସବୁ ସମୟରେ ଆତଙ୍କବାଦୀ ଆସି ଭାରତ ଅଧିକୃତ କାଶ୍ମୀରରେ ଆତଙ୍କରାଜ ଚଳାଇଲେ । ପୃଥିବୀର ଭୂସ୍ୱର୍ଗରେ ବହି ଚାଲିଲା ରକ୍ତର ନଦୀ । ପାକିସ୍ତାନ ପ୍ରୋତ୍ସାହନରେ ଏବେବି ଜାରି ରହିଛି ଅନୁପ୍ରବେଶ ଓ ଆତଙ୍କରାଜ । ଲକ୍ଷ୍ୟ ଥିଲା ଏଭଳି ଆତଙ୍କ ଖେଳାଇ ଭାରତ ଅଧିକୃତ କାଶ୍ମୀରକୁ ପାକିସ୍ତାନରେ ମିଶାଇବା । ଲୋକେ କାଶ୍ମୀର ଛାଡ଼ି ଅନ୍ୟ ସ୍ଥାନକୁ ପଳାଇଗଲେ । ବିଶେଷ କରି କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍‌ କଲେ ଆତଙ୍କବାଦୀ । ପରେ କାହାକୁ ବି ଛାଡ଼ିଲେନି । ରଚିଲେ ଗୋଟିଏ ପରେ ଗୋଟିଏ ସଂହାର ଲୀଳା । ଏସବୁ ଭିତରେ ୧୯୯୯ରେ ହେଲା କାରଗିଲ ଯୁଦ୍ଧ । ଯେଉଁଥିରେ ପାକିସ୍ତାନକୁ ମାତ୍‌ ଦେଲେ ଭାରତୀୟ ବୀର ଯବାନ୍‌ । ହେଲେ ଛିଡ଼ିଲା ନାହିଁ ବିବାଦର ଗଣ୍ଠି ।

ଧାରା ୩୭୦ ଅନୁସାରେ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦିଆଯାଇଥିଲା । ଏଠାକାର ସ୍ଥାୟୀ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ନିୟମ କାନୁନ କରିବାର ସ୍ୱାଧୀନତା ଦିଆଯାଇଥିଲା ଏହି ଧାରା ଅନୁସାରେ । ହେଲେ ଏହାକୁ ଉଚ୍ଛେଦ କରାଯାଇ କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଘୋଷଣା କରାଯାଇଛି । ଏହି ଘଟଣା ପରେ ବିବାଦ ଉପରେ ଅନେକାଂଶରେ ପୂର୍ଣ୍ଣଚ୍ଛେଦ ପଡ଼ିଛି କହିଲେ ଭୁଲ ହେବ ନାହିଁ ।

ଏବେ ଆସିଛି ପାକିସ୍ତାନ ଅଧିକୃତ କାଶ୍ମୀର କଥା । ଯାହା ପାକିସ୍ତାନ ଅଧୀନରେ ରହିଥିଲେ ମଧ୍ୟ ଆଜାଦ କାଶ୍ମୀର ଭାବେ ପରିଚିତ ହେଉଛି । ଏଠାରେ ନିଜସ୍ୱ ସରକାର ରହିଥିଲେ ମଧ୍ୟ ସବୁ କିଛି ପାକିସ୍ତାନ ଇସାରାରେ ଚାଲେ । ତେବେ ଅନେକ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି ଏହି ଅଞ୍ଚଳବାସୀ । । ଏଠାକାର ଲୋକେ ଏବେ ନିଜର ମୌଳିକ ସମସ୍ୟାଗୁଡ଼ିକାର ସମାଧାନ ପାଇଁ ଆନ୍ଦୋଳନ କରୁଛନ୍ତି । ଆଉ ସ୍ୱର ଉଠିଲାଣି ପାକିସ୍ତାନ ଅଧୀନରେ ରହିବା ଅପେକ୍ଷା ଭାରତରେ ସାମିଲ ହେବାକୁ ।

ପିଓକେରେ ସ୍କୁଲ, କଲେଜ ସଂଖ୍ୟା ଖୁବ୍‌ କମ୍‌ । ଏଠାକାର ଲୋକେ ରୋଜଗାର ପାଇଁ ବିଦେଶ ଯାଇ ଶ୍ରମିକ ଭାବେ କାମ କରନ୍ତି । ଆଉ କିଛି ଆଫଗାନିସ୍ତାନ ସେନାରେ ଭର୍ତ୍ତି ହୋଇଛନ୍ତି । ଆର୍ଥିକ ସ୍ଥିତି ଅତି ଶୋଚନୀୟ । ଏଠାକାର ବିକାଶ ପ୍ରତି ଆଦୌ ଧ୍ୟାନ ଦେଇ ନାହିଁ ପାକିସ୍ତାନ । ତେଣୁ ପାକିସ୍ତାନ ବିରୋଧରେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ରହିଛି ।

ଏପଟେ ଜମ୍ମୁ କାଶ୍ମୀରରୁ ୩୭୦ ଧରା ଉଠିବା ପରେ ଏଠାକାର ବିକାଶ କାର୍ଯ୍ୟ ଏବେ ପିଓକେ ବାସିନ୍ଦାଙ୍କୁ ପ୍ରଭାବିତ କରିଛି । ତେଣୁ ସେଠାରେ ଆନ୍ଦୋଳନ ଜୋର ଧରିଛି ଏବଂ ଭାରତରେ ମିଶିବା ନେଇ ଏକ ଆଗ୍ରହ ଦାନା ବାନ୍ଧୁଛି । ଏମିତିକି ସେଠାକାର ଲୋକେ ଭାରତର ଜାତୀୟ ପତାକା ଧରି ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଏସବୁ ଭିତରେ ବିଜେପି ସରକାରର ଅମିତ ଶାହଙ୍କ ଠାରୁ ଆରମ୍ଭ କରି ଏସ୍‌ ଜୟଶଙ୍କର ଓ ଅନ୍ୟ ମନ୍ତ୍ରୀମାନେ ସିଧାସଳଖ କହିଲେଣି କି ପାକ୍‌ ଅଧିକୃତ କାଶ୍ମୀର ହେଉଛି ଭାରତର ଅଙ୍ଗ । ଆମେ ତାକୁ ଫେରାଇ ଆଣିବୁ । ରାଜନାଥ ସିଂହ କହିଛନ୍ତି କି ସେନା ଲଗାଇ ପିଓକେକୁ ଭାରତରେ ସାମିଲ କରିବା ଦରକାର ନାହିଁ । ସେଠାକାର ଲୋକେ ହିଁ ନିଜେ କହିବେ ଭାରତରେ ମିଶିବା ପାଇଁ ।

ଏବେ ଦେଖିବାର କଥା ଏସବୁ ରାଜନୈତିକ ଧୂଆଁବାଣ ନା ସତରେ ଏଭଳି କିଛି ଘଟୁଛି । କାରଣ ପିଓକେରେ ଚାଲିଥିବା ଆନ୍ଦୋଳନ ଭାରତ କରାଉଛି ବୋଲି ପାକିସ୍ତାନ ଦାବି କରୁଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.