Below header

ଆଉ ଅସହାୟ ରହିବ ନାହିଁ ମାଲକାନଗିରିର କୁନିଙ୍କ ପରିବାର, ସହାୟତା ଦେଲେ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ମାଲକାନଗିରି (କେ ନ୍ୟୁଜ୍‌) : ପୁଣି ଥରେ ମାନବିକତାର ନିଦର୍ଶନ ଦେଖାଇଛନ୍ତି କିସ୍‌ ଫାଉଣ୍ଡେସନ୍‌ ଏବଂ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଅଭିଯୋଗ ହୋଇଛି ଯେ ଦାରିଦ୍ର୍ୟ ଯୋଗୁଁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ସପ୍ତଧାରା ଗ୍ରାମର ସୋମନାଥ ଖିଲ ଆତ୍ମହତ୍ୟା କରିଛନ୍ତି । ଏହାପରେ ଅସହାୟ ହୋଇପଡ଼ିଥିବା ତାଙ୍କ ପରିବାରକୁ କିସ୍ ଫାଉଣ୍ଡେସନ୍ ସହାୟତାର ହାତ ବଢ଼ାଇଛି । ମୃତ ସୋମନାଥଙ୍କ ପତ୍ନୀ କୁନି ଖିଲ ତାଙ୍କ ୩ ଶିଶୁଙ୍କୁ ଧରି ଖୋଲା ଆକାଶ ତଳେ ଅସହାୟ ଅବସ୍ଥାରେ ପଡ଼ିଥିବା ନେଇ ଖବର ଜାଣିବା ପରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କୁନିଙ୍କ ପରିବାରକୁ ସହାୟତା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

kiit founder

ଆଜି କୁନିଙ୍କ ନିକଟକୁ ନିଜ ପ୍ରତିନିଧିଙ୍କୁ ପଠାଇ ସେମାନଙ୍କ ଦୁର୍ଦ୍ଦଶା ସଂପର୍କରେ ବୁଝିଥିଲେ । ତୁରନ୍ତ ସେମାନଙ୍କ ଚଳିବା ପାଇଁ ୨ ହଜାର ଟଙ୍କା କିସ୍ ଫାଉଣ୍ଡେସନ୍ ପକ୍ଷରୁ ପ୍ରଦାନ କରିଥିଲେ । କରୋନା କାଳ ଶେଷ ହେବା ପରେ କୁନିଙ୍କ ୩ ଶିଶୁଙ୍କୁ କିସ୍ରେ ରଖି ମାଗଣାରେ କିସ୍ ଫାଉଣ୍ଡେସନ୍ ପକ୍ଷରୁ ପାଠ ପଢ଼ାଇବା ନିମନ୍ତେ ମଧ୍ୟ ଡ. ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସେମାନଙ୍କ ଚଳିବା ପାଇଁ ମାସିକ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଫାଉଣ୍ଡେସନ୍ ପକ୍ଷରୁ ଯୋଗାଇ ଦିଆଯିବ ।

MALKANGIRI KUNI-2

ଏହା ସହିତ ଡ. ସାମନ୍ତ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଲେଖି କୁନିଙ୍କ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ସହ ଅନ୍ୟାନ୍ୟ ସରକାରୀ ଯୋଜନାରେ ସେମାନଙ୍କୁ ଥଇଥାନ କରିବା ଲାଗି ଅନୁରୋଧ କରିଛନ୍ତି । ବିକ୍ରି ହୋଇଥିବା କୁନିଙ୍କ ୪ ମାସର ଶିଶୁକୁ ଉଦ୍ଧାର କରି ତାଙ୍କୁ ହସ୍ତାନ୍ତର କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଡ. ସାମନ୍ତ ଜିଲ୍ଲାପାଳକୁ ଅନୁରୋଧ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.