ସ୍ୱାମୀ ହତ୍ୟା ଅଭିଯୋଗରେ ସଜା କାଟୁଥିଲେ ଆଉ ଜୀବନ ହାରି ଦେଲେ, ଶବ ନେଲେନି ପରିବାର ଲୋକ, ପୋଲିସ୍ କଲା ଶେଷକୃତ୍ୟ
ଝାରପଡା ଜେଲ ଭିତରେ ସଜା କାଟୁଥିବା ଜଣେ ଅନ୍ତେବାସିନୀ ସୁକାନ୍ତି ଦାସ ଆଜି ସକାଳେ ଜେଲ ଭିତରେ ଜୀବନ ହାରି ଦେଇଥିଲେ ।
ଭୁବନେଶ୍ୱର (କେନ୍ୟୁଜ୍) : ଆଜିକାଲି ଜୀବନ ହାରିବାର ବହୁତ ଘଟଣା ସାମ୍ନାକୁ ଆସୁଛି । ହେଲେ ଆଜି ଏମିତି ଏକ କାହାଣୀ ଆପଣମାନଙ୍କୁ ଜଣାଉଛୁ ତାହା ଯେତିକି କୌତୁହଳପୂର୍ଣ୍ଣ ସେତିକି ରୋଚକ ମଧ୍ୟ ଝାରପଡା ଜେଲ ଭିତରେ ସଜା କାଟୁଥିବା ଜଣେ ଅନ୍ତେବାସିନୀ ସୁକାନ୍ତି ଦାସ ଆଜି ସକାଳେ ଜେଲ ଭିତରେ ଜୀବନ ହାରି ଦେଇଥିଲେ । ଘଟଣାଟି ଘଟିଥିଲା ମହିଳା ୱାର୍ଡ ଭିତରେ । ତାଙ୍କ ବାପ ଘର ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗାଁରେ । ଚାରି ଭଉଣୀରେ ସୁକାନ୍ତି ବଡ଼ । ପ୍ରାୟ ବାର ବର୍ଷ ତଳେ ସୁକାନ୍ତିକୁ ବଡ କଷ୍ଟରେ ବାପା ମା ବାହା କରାଇଥିଲେ ଜଙ୍କିଆ ଅଂଚଳରେ ।
ଅଭିଯୋଗ ହୋଇଥିଲା କି ସାବିତ୍ରୀ ଭାର ଆଣିଥିବା ଲୋକଙ୍କ ସହଯୋଗରେ ନିଜ ପ୍ରେମିକ ସହିତ ମିଶି ନିଜ ସ୍ୱାମୀଙ୍କୁ ଶାଶୁ ଘରେ ହତ୍ୟା କରିଥିଲଶ ସୁକାନ୍ତି । ଏକଥା କୋର୍ଟରେ ପ୍ରମାଣିତ ହେଲା ପରେ ୨୯.୧୧.୨୦୧୩ରେ ସୁକାନ୍ତିଙ୍କୁ ଜେଲ୍ ଦଣ୍ଡ ହେଲା । ସେହି ଦିନ ଠାରୁ ସେ ଗତ ୧୧ ବର୍ଷ ହେଲାଣି ସଜା କାଟୁଥିଲେ ଝାରପଡ଼ା ଜେଲ୍ରେ ।
ସ୍ୱାମୀ ହତ୍ୟା ଅଭିଯୋଗରେ ଦଣ୍ଡ ଭୋଗୁଥିବା ଏହି ମହିଳା ଆଜି ସକାଳେ ଆତ୍ମହତ୍ୟା କରିଛନ୍ତି । ଜେଲ ୱାର୍ଡ ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ଜେଲ୍ କର୍ତ୍ତୃପକ୍ଷ । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ତାପରେ ସୁକାନ୍ତିଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ଶବଗୃହକୁ ନିଆଗଲା । ହେଲେ ଯେତେବେଳେ ଘର ଲୋକ ହିସାବରେ ଝିଅର ମୃତଦେହ ନେବା କଥା ଉଠିଲା ବାପା ମନା କରି ସେଠାରୁ ଚାଲି ଗଲେ । ଶେଷରେ ସୁକାନ୍ତିଙ୍କ ଶବକୁ ଜେଲ ପୋଲିସ ଓ ଲକ୍ଷ୍ମୀ ସାଗର ଥାନା ପୋଲିସ ମିଳିତ ଭାବେ ଶେଷକୃତ୍ୟ କରାଇଲେ ।