Below header

କେନ୍ଦୁଝର ଜିଲ୍ଲାରେ କିସର ନୂତନ ଶାଖା ‘ଏସ୍‌ ଏନ୍‌ ମହାନ୍ତି-କିସ୍‌’ର ହେଲା ଭୂମିପୂଜନ, ୨୦୨୨ ଜୁଲାଇ ମାସଠାରୁ ଶିକ୍ଷାରମ୍ଭ କରିବାକୁ ଲକ୍ଷ୍ୟ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦୁଝର ଜିଲ୍ଲାରେ ଖୋଲିବ କିସର ଏକ ନୂତନ ଶାଖା ‘ଏସ୍‌ ଏନ୍‌ ମହାନ୍ତି-କିସ୍‌’। ଏଥିଲାଗି ଅନୁଷ୍ଠିତ ହୋଇଛି ଭୂମି ପୂଜନ। କେନ୍ଦୁଝର ଜିଲ୍ଲାର ଜନଜାତି ପିଲାଙ୍କ ଶିକ୍ଷା ପାଇଁ ୨୦୦୮ରେ ଜିଲ୍ଲାର ନରଣପୁର ପଞ୍ଚାୟତର ଘୁଟୁକେଶରୀ ଗାଁରେ କିସ୍‌ ପକ୍ଷରୁ କିଣାଯାଇଥିଲା ୨୦ ଏକର ଜମି। ସହୃଦୟ ଓଡ଼ିଆ ଏସ୍‌ ଏନ୍‌ ମହାନ୍ତି ଗ୍ରୁପ୍‌ କିସ୍‌-କେନ୍ଦୁଝର ଶାଖା ପ୍ରତିଷ୍ଠା ନିମନ୍ତେ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇଛନ୍ତି। ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏସ୍‌ ଏନ୍‌ ମହାନ୍ତି ଗୃପକୁ କୃତଜ୍ଞତା ଜଣାଇବା ସହ ପ୍ରଥମ କରି ଜଣେ ଓଡ଼ିଆ କେନ୍ଦୁଝରରେ କିସର ଶାଖା ପାଇଁ ସହଯୋଗର ହାତ ବାଇବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି ବୋଲି କହିଥିଲେ। ଏହା ସହ ଡ. ସାମନ୍ତ ଏସ୍‌ ଏନ୍‌ ମହାନ୍ତି ଗ୍ରୁପର ୩ ଭାଇଙ୍କୁ ସେମାନଙ୍କ ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

kiss2

ଡ. ସାମନ୍ତ କହିଲେ, କେନ୍ଦୁଝରରେ କିସ୍‌ ଶାଖା ପ୍ରତିଷ୍ଠା ସକାଶେ କିସ୍‌ ପକ୍ଷରୁ ଜମି କ୍ରୟ ହୋଇସାରିଥିବା ବେଳେ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ପାଇଁ ଏସ୍‌ ଏନ୍‌ ମହାନ୍ତି ଗ୍ରୁପ୍‌ ସଂପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଓଡ଼ିଶାର ୫ଟି ଜିଲ୍ଲାରେ କିସର ଶାଖା ଖୋଲିଛି । କିସ୍‌-କେନ୍ଦୁଝର ଶାଖା ପ୍ରତିଷ୍ଠା ହେବା ଦ୍ୱାରା କେନ୍ଦୁଝରବାସୀଙ୍କ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲ୍‌ ଖୁଣ୍ଟ ହେବା ସହ ଜିଲ୍ଲାର ଜନଜାତି ଓ ଗରିବ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେବେ। ଏସ୍‌ ଏନ୍‌ ମହାନ୍ତି-କିସରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କିସ୍‌-ଭୁବନେଶ୍ୱର ଢାଞ୍ଚାରେ ପିଲାଙ୍କୁ ସଂପୂର୍ଣ୍ଣ ଆବାସିକ ଓ ବିନାଦେୟରେ ରଖାଯାଇ ପାଠ ପଢାଯିବ । ୨୦୨୨ ଜୁଲାଇ ମାସଠାରୁ କିସ୍‌-କେନ୍ଦୁଝର ଶାଖାରେ ଶିକ୍ଷାରମ୍ଭ କରାଯିବ । ଏହା ସହିତ କେନ୍ଦୁଝର ଜିଲ୍ଲାର ପିଲାଙ୍କୁ ଏଠାରେ ନିଯୁକ୍ତି ଦିଆଯିବ ବୋଲି ଡ. ସାମନ୍ତ ସୂଚନା ଦେଇଛନ୍ତି ।

 ଏସ୍‌ ଏନ୍‌ ମହାନ୍ତି ଗ୍ରୁପର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି, କିସ୍‌ ଏକ ବିଶ୍ୱସ୍ତରର ଅନୁଷ୍ଠାନ । ବିଶ୍ୱରେ କିସ୍‌ ବେଶ୍‌ ନାଁ କମେଇ ଥିବା ବେଳେ ଏହା ଓଡ଼ିଶାର ଗର୍ବ ଓ ଗୌରବ । ବିଗତ ୩୦ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ କିସ୍‌ ତାର ଦକ୍ଷତା, ବିଶ୍ୱସନୀୟତା ଓ ସ୍ୱଚ୍ଛତା ପ୍ରତିପାଦିତ କରିଆସିଛି । କେନ୍ଦୁଝର ଜିଲ୍ଲାରେ କିସର ଏକ ଶାଖା ପ୍ରତିଷ୍ଠା ନିମନ୍ତେ ଆର୍ଥିକ ସହାୟତା ପାଇଁ ଏହାର ପ୍ରତିଷ୍ଠାତା ଡ. ସାମନ୍ତ ଅନୁରୋଧ କରିବା ପରେ ଆମେ ତିନି ଭାଇ ଏଥିରେ ସମ୍ମତି ପ୍ରକାଶ କରିଥିଲୁ ।

kiss3

 ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ କିସର ଶାଖା ପ୍ରତିଷ୍ଠା ପ୍ରୟାସକୁ ଜିଲ୍ଲାର ବୁଦ୍ଧିଜୀବି ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କ ଦୀର୍ଘ ଦିନର ସ୍ୱପ୍ନକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ସାମନ୍ତ ପୂରଣ କରିଥିବାରୁ ଜନଜାତିଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଜନଜାତିଙ୍କ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଡ. ସାମନ୍ତ ନିଜର ସଂପୂର୍ଣ୍ଣ ଜୀବନ ଜନଜାତି ବିକାଶ ପାଇଁ ଉତ୍ସର୍ଗ କରିଦେଇଛନ୍ତି ବୋଲି ଜନଜାତି ନେତୃବର୍ଗ ପ୍ରକାଶ କରିଛନ୍ତି ।

 କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାୟକ ମୋହନ ମାଝୀ, ଜିଲ୍ଲାପାଳ ଆଶିଷ ଠାକରେ, ଏସପି ମିତ୍ରଭାନୁ ମହାପାତ୍ର, ଏସ୍‌ ଏନ୍‌ ମହାନ୍ତି ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି ଓ ନିର୍ଦ୍ଦେଶକ ପ୍ରଗତି କୁମାର ମହାନ୍ତି, କିସ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‌ ତ୍ରିପାଠୀ, ଉପକୁଳାଧିପତି ଉପେନ୍ଦ୍ର ତ୍ରିପାଠୀ, କୁଳପତି ପ୍ରଫେସର ଦୀପକ ବେହେରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ଓ କେନ୍ଦୁଝରର ବହୁ ଜନଜାତି ନେତୃବର୍ଗ ଉପସ୍ଥିତ ଥିଲେ ।

ଜନଜାତି ସମ୍ପ୍ରଦାୟର ପିଲାଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିଷ୍ଠା କରାଯାଇଥିବା କିସ୍‌ରେ ବର୍ତ୍ତମାନ ୩୦ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୩୦ ହଜାର ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇ ସମାଜରେ ବିଭନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏବେ ସୁଦ୍ଧା ମୟୂରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ କିସର ଦୁଇଟି ଶାଖା ଉଦଘାଟିତ ହୋଇସାରିଥିବା ବେଳେ କଟକ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଳାରେ ଆଉ ଦୁଇଟି ଶାଖାର ନିର୍ମାଣ କାମ ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.