ଡ୍ୟାନ୍ସରଙ୍କୁ ଛୁରା ମାଡ଼, ପ୍ରେମିକାକୁ ଅନ୍ଧାରକୁ ଡାକି ଛୁରି ଭୁସି ଫେରାର୍‌ ହୋଇଗଲା ପ୍ରେମିକ

କାଳୀ ପୂଜାରେ ଡ୍ୟାନ୍ସ କରୁଥିଲା ପ୍ରେମିକା । ଛୁରା ମାଡ଼ କରି ଚାଲିଗଲା ପ୍ରେମିକ ।

ନବରଙ୍ଗପୁର : କାଳୀ ପୂଜାରେ ଡ୍ୟାନ୍ସ କରୁଥିଲା ପ୍ରେମିକା । ଛୁରା ମାଡ଼ କରି ଚାଲିଗଲା ପ୍ରେମିକ । ହସ୍ପିଟାଲରେ ପଡ଼ି ରହିଛି ପ୍ରେମିକା । ଖୋଜୁଛି ପୋଲିସ । ଫେରାର୍‌ ହୋଇଯାଇଛି ପ୍ରେମିକ । ନୃତ୍ୟ କଳାକାରଙ୍କୁ ଛୁରା ମାଡ଼ କରି ଚାଲିଗଲା ତାଙ୍କ ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ (UV 52) ନମ୍ବର ଗ୍ରାମରେ।

ସୂଚନା ମୁତାବିକ୍‌ , ସେହି ଗାଁରେ ଚାଲିଥିବା କାଳୀ ପୂଜାରେ ନୃତ୍ୟ ପରିବେଷଣ କରିବାକୁ ପୁରୀରୁ ଆସିଥିଲେ ଜୟ ମାଁ କାଲୀ ନାମକ ଏକ ଡ୍ୟାନ୍ସ ଗ୍ରୁପ। ଏହି ଡ୍ୟାନ୍ସଗ୍ରୁପ ରାତିରେ ରାଇଘର ଅଞ୍ଚଳର ପୂଜାରେ ନୃତ୍ୟ ସରିବା ପରେ ଆଜି ଉମରକୋଟରେ ଥିବା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛପଟ ଏକ ଘରେ ରହୁଥିଲେ । ଏହି ସମୟରେ ଲିପ୍ସା ନାୟକ ନାମକ ଜଣେ ଡ୍ୟାନ୍ସରକୁ ତା ପ୍ରେମିକ ରୋହିତ ସିଂ ଘର ଭିତରେ ପଶି ଲିପ୍ସାକୁ ଛୁରା ମାଡ଼ କରି ଫେରାର ହୋଇଯାଇଛି। ତେବେ ଲିସ୍ପାଙ୍କୁ ତାଙ୍କ ପ୍ରେମିକ ଅଚାନକ୍‌ ଏପରି ଆକ୍ରମଣ କରିବା ପଛରେ କଣ ରହିଛି କାରଣ ତାହା ସ୍ପଷ୍ଟ ହୋଇନାହିଁ । ଏବେ ଲିପ୍ସା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଲିପ୍ସାଙ୍କ ପ୍ରେମିକର ନାଁ ହେଉଛି ରୋହିତ ସିଂ । ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି । ଦୁଇ ବର୍ଷ ପୂର୍ବରୁ ସେ ଲିପ୍ସାଙ୍କୁ ଉତ୍ତର ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଦେଖିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେବେଠାରୁ ଲିପ୍ସା ଯୁଆଡେ ଯାଆନ୍ତି ରୋହିତ ସେଠାକୁ ଯାଉଥାଏ।ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ପୁରୀର ୫ ଜଣ ଯୁବତୀ ବର୍ତ୍ତମାନ ଉମରକୋଟରେ ବିଭିନ୍ନ ସ୍ଥାନରେ ଷ୍ଟେଜ ପ୍ରୋଗ୍ରାମରେ ନୃତ୍ୟ ପରିବେଷଣ କରୁଥିଲେ। ସେମାନେ ଉମରକୋଟ ସହର ସ୍ଥିତ ଏକ ଭଡା ଘରେ ରହୁଥିଲେ। ହେଲେ ରୋହିତ ସିଂ ପାଚେରି ଡେଇଁ ଲିପ୍ସା ରହୁଥିବା ରୁମ୍‌ କୁ ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରୋହିତ ତାଙ୍କ ପାଖରେ ରଖିଥିବା ଧାରୁଆ ଅସ୍ତ୍ରରେ ତାଙ୍କ ଶରୀରକୁ ଆଘାତ କରିଥିଲେ । ଛୁରାମାଡ଼ରେ ଯୁବତୀଙ୍କୁ ଗଭୀର ଆଘାତ ହୋଇଥିବା ବେଳେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର୍‌ ଅଛନ୍ତି । ସେପଟେ ପୋଲିସ୍‌ ଗୁରୁତର ଯୁବତୀଙ୍କ ବୟାନ ରେକର୍ଡ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.