Below header

ଉନ୍ମୋଚିତ ହେଲା ଡ. ଅଚ୍ୟୁତ ସାମନ୍ତଙ୍କ ଲିଖିତ ପୁସ୍ତକ ମାଇଁ ମଦର-ମାଇଁ ହିରୋ’, ଉନ୍ମୋଚନ କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର (କେନ୍ୟୁଜ୍) : ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର – ମାଇଁ ହିରୋ’ ଇଂରାଜୀ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ । ଆଜି ରାଜଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଛି । ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତିଙ୍କର ଆଜି ଏହା ଥିଲା ପ୍ରଥମ କାର୍ଯ୍ୟକ୍ରମ ।

ସେହିପରି ଡ. ସାମନ୍ତଙ୍କ ଦ୍ୱାରା ଏହା ହେଉଛି ସ୍ୱ ଲିଖିତ ପ୍ରଥମ ପୁସ୍ତକ । ମାଆ ନୀଳିମାରାଣୀ ନିଜ ସଂଘର୍ଷମୟ ଜୀବନ ମଧ୍ୟରେ ତାଙ୍କର ପିଲାମାନଙ୍କୁ ସଫଳ ମଣିଷ କରି ଗଢ଼ି ତୋଳିଛନ୍ତି । ମାଆଙ୍କ ଜୀବନାଦର୍ଶ ଓ ମୂଲ୍ୟବୋଧକୁ ଆଧାର କରି ଏହି ପୁସ୍ତକ ଲେଖିଛନ୍ତି ଡ. ଅଚ୍ୟୁତ ସାମନ୍ତ । ମା’ଙ୍କ ପ୍ରେରଣା ଏବଂ ସଂଘର୍ଷକୁ ପାଥେୟ କରି କିଭଳି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ତାହା ହିଁ ଏହି ପୁସ୍ତକରେ ଉଲ୍ଲେଖ ରହିଛି ।

ନିଜ ବକ୍ତବ୍ୟରେ ଡ. ସାମନ୍ତ କହିଛନ୍ତି ସେ ସର୍ବଦା ନାରୀଶକ୍ତିକୁ ସମ୍ମାନ ଦେଇଛନ୍ତି । ନାରୀଶକ୍ତିର ପ୍ରଭାବ ସେ ପିଲାଟି ବେଳୁ ଅନୁଭବ କରି ଆସିଛନ୍ତି । ନାରୀଶକ୍ତି ସର୍ବଦା ସମାଜର ଉନ୍ନତି କରିଆସିଛି । ନାରୀଶକ୍ତିକୁ ଯେତେ ସଶକ୍ତ କରାଯିବ ଦେଶ ଓ ସମାଜର ସେତିକି ଉନ୍ନତି ହେବ ବୋଲି ସେ ବିଶ୍ୱାସ କରନ୍ତି । ତାଙ୍କର ପୁସ୍ତକଟି ନାରୀଶକ୍ତିକୁ କେନ୍ଦ୍ର କରି ଲେଖା ଯାଇଛି । ଏହି ନାରୀଶକ୍ତିକୁ ବ୍ୟାଖ୍ୟା କରିବାକୁ ଯାଇ କନ୍ଧମାଳ ସାଂସଦ ଡ. ସାମନ୍ତ ନିଜ ମାଆଙ୍କ ଉଦାହରଣ ନେଇଛନ୍ତି । ନୀଳିମାରାଣୀ ଦେବୀଙ୍କ ଉଦ୍ୟମ, ଆଦର୍ଶ ଓ ପ୍ରେରଣା ଯୋଗୁଁ କଟକ ଜିଲ୍ଲାର ନିପଟ ମଫସଲ ଗାଁ କଲରାବାଙ୍କ ଦେଶର ପ୍ରଥମ ଆଦର୍ଶ ଗ୍ରାମ ଓ ପରେ ସ୍ମାର୍ଟ ଗ୍ରାମରେ ପରିଣତ ହୋଇଛି । କଲରାବାଙ୍କ ଏବଂ ମାଣପୁର କିଭଳି ଏକ ସ୍ମାର୍ଟ ପଞ୍ଚାୟତରେ ପରିଣତ ହୋଇପାରିଛି ସେ ସମ୍ପର୍କରେ ଏହି ପୁସ୍ତକରେ ବିଶେଷ ଆଲୋଚନା କରାଯାଇଛି । ରୂପା ପବ୍ଲିକେସନ୍‌ ଦ୍ୱାରା ଏହି ପୁସ୍ତକଟି ପ୍ରକାଶିତ ହୋଇଛି ।

ମାତ୍ର ୪୦ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ଅଚ୍ୟୁତଙ୍କ ମାଆ ନୀଳିମାରାଣୀ ଦେବୀ ସଂପୂର୍ଣ୍ଣ ଅସହାୟ, ନିରାଶ୍ରୟ ହୋଇ ପଡିଥିଲେ । ଏକ ଟ୍ରେନ୍ ଦୁର୍ଘଟଣାରେ ଅଚ୍ୟୁତଙ୍କ ପିତା ଅନାଦି ଚରଣଙ୍କ ଅକାଳଙ୍କ ମୃତ୍ୟୁ ପରେ ନୀଳିମାରାଣୀଙ୍କ ଚତୁଃପାର୍ଶ୍ୱ ଅନ୍ଧକାରମୟ ହୋଇଯାଇଥିଲା । ନିଜର ଦୃଢ଼ ମନୋବଳ, ନିଷ୍ଠା, ସଂଘର୍ଷ ମଧ୍ୟରେ ଜୀବନ ଅତିବାହିତ କରି ଶେଷ ଜୀବନ ପର୍ଯ୍ୟନ୍ତ ନିଜ କନିଷ୍ଠ ପୁତ୍ର ଅଚ୍ୟୁତଙ୍କ ମାଧ୍ୟମରେ ସ୍ମାର୍ଟ ଗ୍ରାମ କଲରାବାଙ୍କ ଓ
ସ୍ମାର୍ଟ ପଞ୍ଚାୟତ ମାଣପୁରର ବିଭିନ୍ନ ଉନୟ୍ନ ନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ । ନୀଳିମା ରାଣୀ ଦେବୀଙ୍କ ସଂଘର୍ଷମୟ ଜୀବନ ସହ ଡ. ସାମନ୍ତଙ୍କ ପାଇଁ ତାଙ୍କର ଅବଦାନ ହିଁ ପୁସ୍ତକର ମୁଖ୍ୟ ବିଷୟବସ୍ତୁ ।

ଏହି ଅବସରରେ ଉଭୟ ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତାଙ୍କ ଅଭିଭାଷଣରେ କହିଛନ୍ତି, ସାଧାରଣତଃ ଆମେ ମହାନ୍ ନେତା, ଉଦ୍ୟୋଗପତି ଓ ଉଦ୍ଭାବକଙ୍କ ଜୀବନୀ ପାଠ କରିଥାଉ । ମାତ୍ର ଆଜି ଆମେ ଜଣେ ମାଆର ଜୀବନୀ ଉନ୍ମୋଚନ କରୁଛୁ, କାରଣ ମାଆଟିଏ ତା’ର ଲାଳନ ପାଳନ ଓ ମୂଲ୍ଯବୋଧ ଶିକ୍ଷା ଦ୍ୱାରା ଜଣେ ପୁରୁଷ ବା ମହିଳାକୁ ମହାନ୍ କରି ଗଢି ତୋଳିଥାଏ । ଏହି ପରିପ୍ରେକ୍ଷୀରେ ମୁଁ ଡକ୍ଟର ଅଚ୍ଯୁତ ସାମନ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ସେ ଆହୁରି କହିଛନ୍ତି କି ଯେତେବେଳେ ମୁଁ ବହିର ପୃଷ୍ଠା ଓଲଟାଇଲି, ସେତେବେଳେ ସେଇ ମାଆ ପ୍ରତି ସମ୍ମାନରେ ମୋର ମଥାନତ ହୋଇଗଲା। ଯିଏ ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏକୁଟିଆ ତା’ର ସାତଟି ସନ୍ତାନକୁ ଲାଳନପାଳନ କରିବା ପାଇଁ ସଂଗ୍ରାମ କରିଥିଲା । ଉତ୍କଟ ଦାରିଦ୍ର୍ଯ ଓ ସମ୍ବଳ ଅଭାବ ସତ୍ତ୍ୱେ ସମସ୍ତ ପିଲା ଉତ୍ତମ ଶିକ୍ଷା ପ୍ରାପ୍ତ କରି ସୁନାଗରିକ ହେବା ସୁନିଶ୍ଚିତ କରିଥିଲେ ।

ଶ୍ରୀମତୀ ନୀଳିମା ରାଣୀ ମହୋଦୟା ମାନବିକତାକୁ ପ୍ରାଧାନ୍ଯ ଦେଇ ସମାଜର ଗରିବ ଓ ନିଷ୍ପେସିତଙ୍କ ଉତଥାନ ପାଇଁ କାର୍ଯ୍ଯ କରି ଚାଲିଥିଲେ । ମୁଁ ଜାଣି ଖୁସି ହେଲି ଯେ ସେ ତାଙ୍କ ପିଲାମାନଙ୍କ ସହାୟତାରେ ତାଙ୍କର ନିଜ ଗାଁ କଲରାବାଙ୍କକୁ ଦେଶର ଏକ ସ୍ମାର୍ଟ ଗ୍ରାମରେ ପରିଣତ କରିପାରିଛନ୍ତି । ସେ ଆହୁରି କହିଛନ୍ତି ଯେ ମୋର ସମସ୍ତ ସଫଳ ପୁରୁଷ ଓ ମହିଳାଙ୍କୁ ନିବେଦନ ଯେ ସେମାନେ କେବେ ମଧ୍ୟ ନିଜର ମୂଳକୁ ଭୁଲିବା ଅନୁଚିତ । ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି ଆପଣ ସବୁବେଳେ ଆପଣଙ୍କ ମାଆ, ମାତୃଭୂମି ଓ ଜନ୍ମଭୂମିକୁ ମନେ ରଖିବା ଉଚିତ ।

ପୁସ୍ତକ ଉନ୍ମୋଚନ ଅବସରରେ କାଦମ୍ବିନୀ ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.