Below header

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ବର : ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ନବୀନ । ଏହି ସମୟରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନବୀନ ତାରାତାରିଣୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ପଞ୍ଚମ ଥର ପାଇଁ ସେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ଏଠାରୁ ଲଗାତର ୪ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ହିଞ୍ଜିଳି ସହ ଚଳିତ ନିର୍ବାଚନରେ ବିଜେପୁର ଆସନରୁ ମଧ୍ୟ ଲଢ଼ିବେ ନବୀନ । ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଖୁବ୍‌ଶୀଘ୍ର ବିଜେପୁର ପାଇଁ ନାମାଙ୍କନ ଦାଖଲ କରିବି। ଚଳିତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେବ।

ନବୀନ ପଟ୍ଟନାୟକ ୨ ହଜାର ମସିହାରୁ ଲଗାତର ଜିତି ଆସୁଛନ୍ତି ହିଞ୍ଜିଳି ଆସନ। ପ୍ରତି ଥର ବିଜୟ ବ୍ୟବଧାନ ବଢିଛି। ୨୦୦୯ରେ ୬୧ ହଜାର ୨୭୩ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ୨୦୧୪ରେ ୭୬ ହଜାର ୫୮୬ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ୨୦୦୦ ମସିହାରେ ଭୋଟ ହାର ୬୫. ୩୫ ପ୍ରତିଶତ ଥିବା ବେଳେ ୨୦୦୪ରେ ୭୨.୭୨ ପ୍ରତିଶତ, ୨୦୦୯ରେ ୭୬.୦୪ ପ୍ରତିଶତ ଓ ୨୦୧୪ରେ ଭୋଟ ହାରଥିଲା ୭୩.୧୪ ପ୍ରତିଶତ।

ଅନ୍ୟପଟେ ଚିକିଟି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଉଷା ଦେବୀ। ଆଗକୁ ଗଞ୍ଜାମ ଜିଲ୍ଲାର ସମସ୍ତ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ଏଥର ବି ବିଜେଡି ଗଞ୍ଜାମ ଜିଲ୍ଲାରେ ବାଜିମାତ କରିବ। ନବୀନ ବି ବିପୁଳ ବ୍ୟବଧାନରେ ଜିତିବେ ବୋଲି ଉଷା ଦେବୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.