Below header

୩ ଦିନିଆ ଓଡ଼ିଶା ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର, ରାଜ୍ୟ ସରକାରଙ୍କ ସହ ହେବ ମାରାଥନ୍‌ ବୈଠକ

ଭୁବନେଶ୍ବର(କେନ୍ଯୁଜ୍): ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର । ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହି ବୈଠକ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ଦାବି ରଖିପାରନ୍ତି । ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦାବିକୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦୋହରାଇ ପାରନ୍ତି ।

ଏହାସହ ନୀତି ଆୟୋଗର ବିକାଶ ତଦାରଖ ଓ ମୂଲ୍ୟାୟନ କାର୍ଯ୍ୟାଳୟ-ଡିଏମଇଓର ଡିଜି ରାଜ୍ୟର ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ସାମ୍ନାରେ ବିଭିନ୍ନ କ୍ଷେତ୍ରରେ ବିକାଶ ସୂଚକାଙ୍କକୁ ନେଇ ଏକ ରିପୋର୍ଟ ଉପସ୍ଥାପନ କରିବେ। ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ଭିତ୍ତି କରି ବୈଠକରେ ଆଲୋଚନା ହେବ ବୋଲି କୁହାଯାଉଛି। ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ନିଯୁକ୍ତି, ଆକାଂକ୍ଷା ଜିଲ୍ଲା ଆଦି କ୍ଷେତ୍ରକୁ ନେଇ ନୀତି ଆୟୋଗ ସାରା ଦେଶରେ ବିଭିନ୍ନ ମାନଦଣ୍ଡ ଆଧାରରେ ରାଜ୍ୟଗୁଡ଼ିକ ପାଇଁ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ପୁରୀ, ଚିଲିକା ଓ କୋଣାର୍କ ପରିଦର୍ଶନ କରିବେ । ଏହି ଗସ୍ତ ସମୟରେ ରାଜ୍ୟର ବିଭିନ୍ନ ସିଭିଲ ସୋସାଇଟି, ଶିଳ୍ପ ସଂଘ, ଶିକ୍ଷାବିତ୍‌ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.