Below header

ଲାଞ୍ଚୁଆ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ୫ ଅଧିକାରୀଙ୍କ ପେନସନ ବନ୍ଦ ସହ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଲାଞ୍ଚୁଆ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଓଡ଼ିଶା ବ୍ରିଜ ଆଣ୍ଡ କନ୍‌ଷ୍ଟ୍ରକସନ କର୍ପୋରେସନ, ଓବିସିସିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବ୍ରଜେନ୍ଦ୍ର ନାରାୟଣଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। କେବଳ ଏତିକି ନୁହଁ ଆଜି ୫ ଜଣ ଅଧିକାରୀଙ୍କ ପେନସନ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆଜି ସ୍ଥାୟୀ ଭାବେ ପେନସନ ବନ୍ଦ ଥିବା ଅନ୍ୟ ଲାଞ୍ଚୁଆ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବ୍‌ ଡିଜିଭନ କାମାକ୍ଷାନଗରର ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ ଏବଂ ସମ୍ବଲପୁରର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି ।

CM-Naveen-Patnaik1

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଦୁଇ ଅଧିକାରୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭିନ୍ୟୁ ଇନ୍‌ସ୍ପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହାରଜପୁର ତହସିଲର ରେଭିନ୍ୟୁ ଇନ୍‌ସପେକ୍ଟର ଅରୁଣ କୁମାର ପୁରୋହିତ। ଏହି ସବୁ ଅଧିକାରୀମାନେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରୁଛନ୍ତି। ଏହି ନୀତିରେ ଗତ ଅଗଷ୍ଟ ମାସରୁ ଏ ଯାଏ ୭୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇ ଥିବା ବେଳେ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.