Below header

ଶିକ୍ଷକ-ଶିକ୍ଷୟତ୍ରୀ ସାଜିଲେ ପାଚିକା, ପିଲାଙ୍କୁ ନିଜେ ରାନ୍ଧି ଖୁଆଇଲେ ମଧ୍ୟାନ ଭୋଜନ

ପାଚିକା ମାନେ ଗତ କିଛିଦିନ ହେବ ସେମାନଙ୍କ ବିଭିନ୍ନ ଦାବିକୁ ନେଇ ସ୍କୁଲରେ ମଧ୍ୟାନ ଭୋଜନ ପ୍ରସ୍ତୁତିକୁ ବନ୍ଦ କରି ରାଜରାସ୍ତାରେ ଆନ୍ଦୋଳନରେ ବସି ରହିଛନ୍ତି । ଏହି ପରିପେକ୍ଷୀରେ କାକଟପୁର ବ୍ଲକ ର ଗୋପିକାନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ନିଆରା ଚିତ୍ର ।

କାକଟପୁର(କେନ୍ୟୁଜ୍): କିଏ ପରିବା କାଟି ଦେଉଛନ୍ତି ତ ଆଉ କିଏ ହାତରେ ଖଣତା ଧରି ଚୁଲି ଉପରେ ହାଣ୍ଡି ରଖି ମସଲା କଷି ଦେଉଛନ୍ତି। ତା ସହିତ କିଏ ଶ୍ରେଣୀ ଗୃହରେ କଳାପଟାରେ ଅଙ୍କ କଷି ଦେଉଛନ୍ତି ତ କିଏ ହାତରେ ବହି ଧରୀ ପିଲାମାନଙ୍କୁ ପଢାଉଛନ୍ତି ମାତୃଭାଷାର ଗଦ୍ୟ। କେଉଁ କାମରେ ଊଣା କରିନାହାନ୍ତି ଏହି ସ୍କୁଲର ଶିକ୍ଷକ ଆଉ ଶିକ୍ଷୟତ୍ରୀମାନେ। କାହିଁକି ନା ଯେମିତି ପିଲାମାନେ ଉପାସ ରହି ପାଠ ନ ପଢନ୍ତୁ।

teach

ସରକାରଙ୍କ ସ୍ଲୋଗାନ ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ। ସେଥିପାଇଁ ତ ପ୍ରତେକ ସରକାରୀ ସ୍କୁଲରେ ଶିକ୍ଷାଦାନ ସାଙ୍ଗକୁ ମଧ୍ୟାନ ଭୋଜନର ବ୍ୟବସ୍ଥା କରାଯାଇଛି । ଏହି ମଧ୍ୟାନ ଭୋଜନ ର ପ୍ରସ୍ତୁତ ପାଇଁ ସରକାର ଙ୍କ ପକ୍ଷରୁ ପାଚିକା ନିଯୁକ୍ତ ହୋଇଛନ୍ତି। ଏହି ପାଚିକା ମାନେ ସ୍କୁଲରେ ପ୍ରତେକ ଦିନ ପିଲାଙ୍କ ପାଇଁ ମଧ୍ୟାନ ଭୋଜନ ରାନ୍ଧିବା ସହିତ ପିଲାମାନଙ୍କ ଥାଳିକୁ ଧୋଇବା ସହ ଖାଦ୍ୟ ପରଶିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିଥାନ୍ତି । କିନ୍ତୁ ଏହି ପାଚିକା ମାନେ ଗତ କିଛିଦିନ ହେବ ସେମାନଙ୍କ ବିଭିନ୍ନ ଦାବିକୁ ନେଇ ସ୍କୁଲରେ ମଧ୍ୟାନ ଭୋଜନ ପ୍ରସ୍ତୁତିକୁ ବନ୍ଦ କରି ରାଜରାସ୍ତାରେ ଆନ୍ଦୋଳନରେ ବସି ରହିଛନ୍ତି । ଯାହାଫଳରେ ମଧ୍ୟାନ ଭୋଜନ ପ୍ରସ୍ତୁତିରେ ସମସ୍ୟା ଦେଖିବାକୁ ମିଳିଛି ।

school

ଏହି ପରିପେକ୍ଷୀରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ଅନେକ ସ୍କୁଲରେ ମଧ୍ୟାନ ଭୋଜନ ବନ୍ଦ ରହିଛି । ତେବେ କାକଟପୁର ବ୍ଲକ ର ଗୋପିକାନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ନିଆରା ଚିତ୍ର । ଏହି ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ସ୍କୁଲର କୁନି କୁନି ପିଲାମାନଙ୍କ ମୁହଁରେ ଆହାର ଗଣ୍ଡେ ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ଥାଳିକୁ ଧୋଇ ସଫା କରିବା ସହିତ ପରିଷ୍କାର ପରିବେଶରେ ରୋଷେଇ ଘରକୁ ଯାଇ ପରିବା କାଟି ହାତରେ ଖଣତା ଧରି ରୋଷେଇ କରି ଭାତ, ତରକାରୀ ଆଉ ଆଚାର ପରଷି ଦେଇଥିବା ଦେଖିବାକୁ ମିଳିଛି ।

ତେବେ ମଣିଷ ତିଆରି କାରଖାନାରେ ମଣିଷ ଗଢୁଥିବା ଏହି ବିନ୍ଧାଣି ମାନେ ସମସ୍ତ ପିଲାମାନଙ୍କୁ ପଢାଇବା ସହିତ ବଢାଇବା ପାଇଁ ପଣ ନେଇଛନ୍ତି। ଏପଟେ ସରକାରଙ୍କ ଅଧିନରେ ଯେହେତୁ କାମ କରୁଛନ୍ତି ତେଣୁ ନିୟମ ମାନିବା ବି ସେମାନେ ବାଧ୍ୟ । ତେବେ ସେ ଯାହା ହେଉନା କାହିଁକି ଏହି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ କାର୍ଯ୍ୟ ଦକ୍ଷତାକୁ ସ୍ଥାନୀୟ ସ୍ଥାନୀୟ ଲୋକ ଏବଂ ସହକାରୀ ଶିକ୍ଷା ଅଧିକାରୀ ବେଶ୍ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.