Below header

ସାବତ ମା’ର ନିର୍ଯାତନା ସହିନପାରି ୧୩ ବର୍ଷରେ ଘର ଛାଡିଥିଲେ କାଳୁ, ସାଢେ ଚାରି ଦଶନ୍ଧି ପରେ ଫେରିଲେ

କାଳୁଙ୍କ ମୁହଁରେ ହସ । ସାଢେ଼ ଚାରି ଦଶନ୍ଧି ପରେ ଘରକୁ ଫେରିଛନ୍ତି । ବଦଳି ଯାଇଛି ଗାଁର ଚିତ୍ର । ନୁଆଁଣିଆ ଚାଳଘର ଆଉ ନାହିଁ । ସାଙ୍ଗସାଥୀ ସବୁ ବୟସ୍କ ହୋଇଗଲେଣି । ପରିବାର କହିଲେ , ଆଉ କେହି ନାହାନ୍ତି ।

ଭଞ୍ଜନଗର(କେନ୍ୟୁଜ୍): କାଳୁଙ୍କ ମୁହଁରେ ହସ । ସାଢେ଼ ଚାରି ଦଶନ୍ଧି ପରେ ଘରକୁ ଫେରିଛନ୍ତି । ବଦଳି ଯାଇଛି ଗାଁର ଚିତ୍ର । ନୁଆଁଣିଆ ଚାଳଘର ଆଉ ନାହିଁ । ସାଙ୍ଗସାଥୀ ସବୁ ବୟସ୍କ ହୋଇଗଲେଣି । ପରିବାର କହିଲେ , ଆଉ କେହି ନାହାନ୍ତି । ସାନଭାଇ ଏବଂ ତାଙ୍କ ପିଲାଛୁଆ ସଂସାର । ସାନ ଭାଇ ସିମାଞ୍ଚଳ କୁ ବାଦ୍ ଦେଲେ , ଆଉ କେହି ଚିହ୍ନି ପାରୁନାହାନ୍ତି । ତଥାପି , ଚିହ୍ନା ମୁହଁ କୁ ସେ ଖୋଜୁଛନ୍ତି ।

ବାପା କିମ୍ବା ସାବତ ମା’ ଆଉ ନାହାନ୍ତି । ଜନ୍ମକଲା ମା’ର ଅକାଳ ବିୟୋଗ ପରେ ବାପା ରଘୁନାଥ ଦ୍ୱିତୀୟ ବିବାହ କରିଥିଲେ । ଘରେ ବାପା , ମା’ ଙ୍କୁ ମିଶାଇ , ସେମାନେ ୫ ଭାଇ ଏବଂ ଦୁଇ ଭଉଣୀ ଥିଲେ । ହେଲେ ସାବତ ମା’ର ନିର୍ଯାତନା ଅସହ୍ୟ ହେବାରୁ , ତାହା ସହିନପାରି , ମାତ୍ର ୧୩ ବର୍ଷ ବୟସରେ ଘରଛାଡି ଚାଲିଯାଇଥିଲେ ଦ୍ୱିତୀୟ ପୁଅ କାଳୁ ରଣା ।

ସେଦିନ ଗାଁ ର ଜଣେ ରାଜମିସ୍ତ୍ରୀ ସହ ମିଶି , ମଣିପୁର ଚାଲିଯାଇଥିଲେ । ସେଠାରେ ଶ୍ରମିକ ଭାବେ କାମ କଲେ । ପରେ ମଧ୍ୟପ୍ରଦେଶ ଗଲେ । ସେଠାରେ ଜଣେ ଲୋକଙ୍କ ଘରେ ରହି କାମ କଲେ । ସେଠାରେ ଦୀର୍ଘବର୍ଷ ପର୍ଯ୍ୟନ୍ତ ରହିଲେ । ଧିରେଧିରେ ଓଡ଼ିଆ କହିବା ଭୁଲି ମଣିପୁରୀ ଭାଷାରେ ଅଭ୍ୟସ୍ତ ହୋଇଗଲେ । ଘର କଥା ଓ ଗାଁ କଥା ମନେ ପଡ଼ିଲେ , ଗାଁ କୁ ଆସିବାକୁ ତାଙ୍କର ଭାରି ଇଛା ହେଉଥିଲା । କିନ୍ତୁ ସାବତ ମା’ର ନିର୍ଯ୍ୟାତନା କଥା ମନେ ପଡିଗଲେ , ମନ ପରିବର୍ତ୍ତନ ହୋଇ ଯାଉଥିଲା ।

kalu 1

ଶେଷରେ ବୟସ ଅତିକ୍ରାନ୍ତ ହେଲା । ମଧ୍ୟପ୍ରଦେଶରେ ଯେଉଁ ମାଲିକଙ୍କ ଘରେ ରହି କାଳୁ କାମ କରୁଥିଲେ , ସେଠାରେ ବି କୌଣସି କାରଣରୁ ରହିବା ଅସମ୍ଭବ ହୋଇପଡିଲା । ଶେଷରେ ଗାଁ କୁ ଆସିବାକୁ ନିଷ୍ପତ୍ତି ନେଲେ ଆଉ ଫେରିଆସିଲେ । ଏବେ ସେ ଜନ୍ମ ମାଟିକୁ ଫେରିବା ପରେ ବହୁତ ଖୁସି ଥିବା କହିଛନ୍ତି ।

ହେଲେ ସାନଭାଇ ସିମାଞ୍ଚଳ ଚାଷ କାର୍ଯ୍ୟ ଏବଂ ବେଳେ ବେଳେ ମନ୍ଦିରରେ ପୂଜାରୀ କାମ କରି ପରିବାର ଚଳାନ୍ତି । ସିମାଞ୍ଚଳଙ୍କ ଘରେ ସ୍ତ୍ରୀ ଏ ୪ ଝିଅ । ଗରୀବ ହେତୁ ପରିବାର ଚଳାଇବା କଷ୍ଟକର । ଏ‌ହି ସମୟରେ ଦୀର୍ଘ ବର୍ଷ ପରେ ବଡ଼ଭାଇ ଘରକୁ ଫେରିଛନ୍ତି । ଭାଇ ଫେରିବା ପରେ ସେ ଖୁସି ଅଛନ୍ତି ସତ , ହେଲେ ତାଙ୍କ ଭରଣ ପୋଷଣକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ସାନଭାଇ ସିମାଞ୍ଚଳ ।

ଏଭଳି ପରିସ୍ଥିତିରେ କାଳୁ ଏବଂ ତାଙ୍କ ସାନଭାଇ ସିମାଞ୍ଚଳଙ୍କ ପରିବାରକୁ ସରକାରୀ ସହାୟତା କିମ୍ବା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଉଭୟ ଗ୍ରାମବାସୀ ଏବଂ ପରିବାର ଲୋକେ ନିବେଦନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.