ଦିଲ୍ଲୀ ଟାକ୍ସି ଡ୍ରାଇଭରକୁ ଘୋଷାଡି ନେବା ଘଟଣା : କାର ସହିତ ଅଭିଯୁକ୍ତକୁ ଗିରଫ କଲା ପୋଲିସ, ଚାଲିଛି ପଚରାଉଚରା
ଟାକ୍ସି ଡ୍ରାଇଭରକୁ ୨୦୦ ମିଟର ଘୋଷାଡି ନେବା ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । କାରକୁ ମଧ୍ୟ ଜବତ କରିଛି । ପୋଲିସ ଟିମ ତୁରନ୍ତ ସିସିଟିଭି ଫୁଟେଜ ଯାଞ୍ଚ କରି ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ।
ଦିଲ୍ଲୀ ବସନ୍ତ କୁଞ୍ଜ ନର୍ଥ ଥାନା ଅଞ୍ଚଳ ଏନଏଚ ୮ ସର୍ଭିସ ଲାଇନରେ ଟାକ୍ସି ଡ୍ରାଇଭରକୁ ୨୦୦ ମିଟର ଘୋଷାଡି ନେବା ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଏହାସହିତ କାରକୁ ମଧ୍ୟ ଜବତ କରିଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଏହି ଘଟଣାରେ ଟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।
ପୋଲିସ କହିବା ମୁତାବକ, ୧୦ ଅକ୍ଟୋବର ରାତି ୧୧.୩୭ ମିନିଟରେ ଏନଏଚ ୮ର ସର୍ଭିସ ରୋଡ ପାଖରେ ଜଣେ ଅଜ୍ଞାତ ଲୋକର ମୃତଦେହ ପଡିଥିବା ପୋଲିସକୁ ଖବର ମିଳିଥିଲା । ସ୍ଥାନୀୟ ପୋଲିସ ତୁରନ୍ତ କ୍ରାଇମ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଯାଞ୍ଚ କରିଥିଲା ।
ଆଇପିସି ଧାରା ୩୧୩/୨୩, ୟୁ/ଏସ ୩୦୨/୨୦୧ ଅଧିନରେ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଥିଲା । ଟିମ ତୁରନ୍ତ ସିସିଟିଭି ଫୁଟେଜ ଯାଞ୍ଚ କରି ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏମାନେ ଲୁଟ୍ ନେଇଥିବା କାରକୁ ଜବତ କରାଯାଇଛି । ପ୍ରାରମ୍ଭିକ ପଚରାଉଚରା ଚାଲିଛି ।
ଖବର ମୁତାବକ, ମୃତ ବ୍ୟକ୍ତି ହେଲେ ୪୩ ବର୍ଷ ବିଜେନ୍ଦ୍ର । ବିଜେନ୍ଦ୍ର ଫରିଦାବାଦରେ ରହୁଥିଲେ । କାର୍ ଲୁଟିବାକୁ ଆସିଥିବା ଦୁର୍ବୃତ୍ତକୁ ଟାକ୍ସି ଡ୍ରାଭଇର ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ୨୦୦ ମିଟର ଘୋଷାଡି ନେଇଥିଲା ଦୁର୍ବୃତ୍ତ ।
ସୂଚନାଯୋଗ୍ୟ, ଦିଲ୍ଲୀରେ ନୂଆବର୍ଷ ପାଳନ ସମୟରେ କାର ଜଣେ ଯୁବତୀଙ୍କୁ ଧକ୍କା ଦେଇ ୧୨ କିମି ଘୋଷାଡି ନେଇଥିଲା । ପୋଲିସକୁ ଯୁବତୀଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ କରି ଅଭିଯୁକ୍ତକୁ ଗିରଫ କରିଥିଲା ।