ଆଜି ଦିନ ୨ଟା ସୁଦ୍ଧା ଭୁବନେଶ୍ୱରରେ ରେକର୍ଡ଼ ତାପମାତ୍ରା ୪୩.୨°

ଆଜି ଉଭୟ କଟକ ଭୁବନେଶ୍ୱରରେ ଅସହ୍ୟ ଗରମ ଅନୁଭୂତ ହେଉଛି । ୪ଦିନ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଆଜି ପାଇଁ ଭୁବନେଶ୍ବର ଓ କଟକକୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ବରରେ ପାରଦ ୪ ୩ ଦଶମିକ ୨ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ): ଅସହ୍ୟ ତାତି। ଆକାଶରୁ ବର୍ଷୁଛି ଅଗ୍ନି। ତତଲା କଡ଼େଇ ପାଲଟିଛି ଓଡ଼ିଶା। ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ। ଦିନ ଅଢେଇଟା ସୁଦ୍ଧା ରାଜଧାନୀ ଭୁବନେଶ୍ବର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ରାଜଧାନୀରେ ତାପମାତ୍ରା ୪୩. ୨ଡିଗ୍ରୀ ସେଲସିୟ ରେକର୍ଡ ହୋଇଛି। ଆସନ୍ତାକାଲି ଓ ମଙ୍ଗଳବାର ଆହୁରି ବଢିବ ତାତିର ପରିମାଣ। ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି।

ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଉତ୍ତପ୍ତ ଶୁଷ୍କ ବାୟୁ ପ୍ରବେଶ ଜାରି ରହିଛି। ଏହା ସହ ସୂର୍ଯ୍ୟଙ୍କ ତେଜ ବି ପ୍ରଖର ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇଛି। ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟାରେ ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ଗ୍ରୀଷ୍ମଲହରୀର ପ୍ରଭାବ ଅଧିକ ରହିବ। ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମେ ୧ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି। କିନ୍ତୁ ଉଷ୍ମ ଓ ଆଦ୍ର ବାୟୁ ପ୍ରଭାବ ଦ୍ବାରା ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି କହିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।

You might also like