Below header

ବହୁ ପ୍ରତିକ୍ଷାର ଅନ୍ତ, ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହେଲା ବ୍ରହ୍ମବରଦା ବିଦ୍ୟୁତ ସବଷ୍ଟେସନ

ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହେଲା ବ୍ରହ୍ମବରଦା ବିଦ୍ୟୁତ ସବଷ୍ଟେସନ । ଏହି ସବ ଷ୍ଟେସନ କାର୍ଯ୍ୟକ୍ଷମ ହେବା ଫଳରେ ସ୍ଥାନୀୟ ୧୦ ଗୋଟି ପଞ୍ଚାୟତର ହଜାର ହଜାର ବିଦ୍ୟୁତ ଉପଭୋକ୍ତା ଉପକୃତ ହେବା ସହ ଲୋ ଭୋଲଟେଜ୍ ସମସ୍ୟା ଦୂର ହେବ ।

ଯାଜପୁର (କେନ୍ୟୁଜ): ଗ୍ରାମାଞ୍ଚଳରେ ବିଦ୍ୟୁତ ସେବାକୁ ସୁଗମ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ଏଭଳି ପରିସ୍ଥିତିରେ ଉଦଘାଟନ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନଥିଲା ଯାଜପୁର ଜିଲ୍ଲା ବ୍ରହ୍ମବରଦା ୩୩/୧୧କେଭି ବିଦ୍ୟୁତ ସବଷ୍ଟେସନ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହୋଇଛି ଏହି ବିଦ୍ୟୁତ ସବଷ୍ଟେସନ । ଫଳରେ ଅଞ୍ଚଳରେ ଦେଖାଦେଇଥିବା ବିଦ୍ୟୁତ ସମସ୍ୟା ଦୂର ହେବ ବୋଲି ଆଶା କରାଯାଇଛି ।

ତେବେ ଏହି ବିଦ୍ୟୁତ ସବଷ୍ଟେସନ ଷ୍ଟ୍ରକଚର ନିର୍ମାଣ ସରିଥିଲା । ଉଦଘାଟନ ବି ହୋଇସାରିିଥିଲା କିନ୍ତୁ କାର୍ଯ୍ୟକ୍ଷମ ହୋଇପାରୁନଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ବେଳେ ଏହାର ସମାଧାନ କରାଯାଇ ଯାଜପୁର ଜିଲ୍ଲା କୁଆଖିଆ ବିଦ୍ୟୁତ ଉପଖଣ୍ଡ ଅଧିନ ବ୍ରହ୍ମବରଦା ଠାରେ ଥିବା ୩୩/୧୧କେଭି ବିଦ୍ୟୁତ ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି । ଗତ ଜୁନ ମାସ ୮ ତାରିଖରେ ଏହି ବିଦ୍ୟୁତ ସବଷ୍ଟେସନକୁ ଉଦଘାଟନ କରିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଉଦଘାଟନ ପରେ ବହୁ ପ୍ରତିକ୍ଷାର ଅନ୍ତ ଘଟିବା ସହ ଲୋକଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଥିଲା ।

ତେବେ ଉଦଘାଟନ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କାର୍ଯ୍ୟକ୍ଷମ ହୋଇପାରିନଥିଲା ଏହି ବିଦ୍ୟୁତ ସବଷ୍ଟେସନ । ଦୀର୍ଘ ୨୦କିଲୋମିଟର ଦୂରରେ ଥିବା ବିଦ୍ୟୁତ ଷ୍ଟ୍ରକଚରରୁ ବିଜୁଳି ଯୋଗାଣ ହେଉଥିବାରୁ ଲୋଡ୍ ଅଧିକ ସହ ଘନ ଘନ ବିଦ୍ୟୁତ କାଟ ଯୋଗୁ ଉପଭୋକ୍ତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଦୀର୍ଘ ଦିନ ପରେ ଏହି ବିଦ୍ୟୁତ ସବ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଥିବାରୁ ଅଞ୍ଚଳବାସୀ ବିଦ୍ୟୁତ ସମସ୍ୟାରୁ ମୁକୁଳିବେ ବୋଲି ଆଶା ପ୍ରକଟ କରିଛନ୍ତି ।

କୁଆଖିଆ ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ବ୍ରହ୍ମବରଦା ଏକ ଗୁରୁତ୍ୱତ୍ପୂର୍ଣ୍ଣ ଅଞ୍ଚଳ । ଥାନା, କଲେଜ ଠାରୁ ଆରମ୍ଭ କରି ଏଠାରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟ ରହିଛି । ଦୀର୍ଘ ୨୦କିଲୋମିଟର ଦୂରରେ ଥିବା ସୁଜନପୁର ଷ୍ଟ୍ରକଚର ଉପରେ ଏଠାକାର ଉପଭୋକ୍ତା ବିଦ୍ୟୁତ ପାଇଁ ନିର୍ଭରଶୀଳ । ଅନେକ ସମୟରେ ଲୋ-ଭୋଲଟେଜ ସମସ୍ୟା ସହ ସାମାନ୍ୟ ତ୍ରୁଟି ହେଲେ କିମ୍ବା ବର୍ଷା ପବନ ହେଲେ ବିଦ୍ୟୁତ ସେବା ସଂପୂର୍ଣ୍ଣ ଠପ୍ ହୋଇଯାଉଥିଲା ।

ଏହି ସବ ଷ୍ଟେସନ କାର୍ଯ୍ୟକ୍ଷମ ହେବା ଫଳରେ ସ୍ଥାନୀୟ ୧୦ ଗୋଟି ପଞ୍ଚାୟତର ହଜାର ହଜାର ବିଦ୍ୟୁତ ଉପଭୋକ୍ତା ଉପକୃତ ହେବା ସହ ଲୋ ଭୋଲଟେଜ୍ ସମସ୍ୟା ଦୂର ହେବ । କୁଆଖିଆ ବିଦ୍ୟୁତ ଉପଖଣ୍ଡର ଏସଡିଓ ମେନ୍ ସୁଇଚ୍ ଚାବି ପକାଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଯନ୍ତ୍ରୀ, କର୍ମଚାରୀ, ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଲାଗିରହିଥିବା ବିଦ୍ୟୁତ ସମସ୍ୟାର ସମାଧାନ ଫଳରେ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.