Below header

ଜଳଛତ୍ରରେ ପାଣି ଠୋପେ ପାଇଁ ମାଙ୍କଡ ମାନଙ୍କ ଭିଡ, ଭାଇରାଲ୍ ହେଉଛି ଭିଡିଓ

ଖରା ସମୟ ଗୋଟାଏ ପାଖାପାଖି ଏକ ବଡ଼ ମାଟି ହାଣ୍ଡିକୁ ଘେରି ରହିଥାନ୍ତି ଦଶରୁ ଅଧିକ ମାଙ୍କଡ଼। ଦ୍ୱୀପ୍ରହରର ନିର୍ଜନତା ଭିତରେ ମାଙ୍କଡ଼ ମାନଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲି ଥାଏ । କିଏ ଆଗ ପିଇବ ମାଟି ହାଣ୍ଡିରୁ ପାଣି । ମାଙ୍କଡ଼ମାନେ ମଝିରେ ମଝିରେ ଚାରି ଆଡକୁ ମଧ୍ୟ ଅନାଉଥାନ୍ତି ।

କଟକ (କେନ୍ୟୁଜ): କାଲିଠୁ କାଳବୈଶାଖୀ କମାଇଛି ତାତି । ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଶ୍ଵସ୍ତି । କିଛି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି । ଟୁଇନ ସିଟି ସମେତ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କିନ୍ତୁ ଏଇ କାଳବୈଶାଖୀ ପୂର୍ବରୁ ଚାରି ଆଡ଼େ ଟାଇଁ ଟାଇଁ ଖରାରେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ ସଭିଏଁ । ଯେମିତି ଆକାଶରୁ ଖାଲି ବର୍ଷା ହେଉଥିଲା ନିଆଁ । ଏପରି ସ୍ଥିତିରେ ମୁଣ୍ଡ ଉପରେ ଛାଇ ଆଉ ତଣ୍ଟିକୁ ପାଣି ନ ମିଳିଲେ ଅବସ୍ଥା ବେଶ ଶୋଚନୀୟ, ଯନ୍ତ୍ରଣାଦାୟକ ହୋଇ ପଡିବା ସ୍ୱାଭାବିକ ।

ମଣିଷ ଆଉ ପଶୁପକ୍ଷୀଙ୍କ ପାଇଁ ଏହା ଏକ ପ୍ରତିକୂଳ ସମୟ । ବାହାରଜୁ ବାହାରିବା ପୂର୍ବରୁ ଚିନ୍ତା କରିବାକୁ ପଡେ, ଯିବି କି ନାହିଁ । ତେବେ ମଣିଷ ଅପେକ୍ଷା ଏହି ଦାରୁଣ ଗ୍ରୀଷ୍ମ ପଶୁ ପକ୍ଷୀଙ୍କ ପାଇଁ ବେଶି ଦୁଃଖ ନେଇ ଆସିଲା ପରି ଲାଗେ । କାରଣ ଆଉ ନଦୀ ନାଳରେ ଆଗ ଭଳି ପାଣି ନାହିଁ । ବେଶ କମି ଗଲାଣି କୂଅ ପୋଖରୀ ସଂଖ୍ୟା, ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ । ଏହି କଥା ପ୍ରମାଣ କରୁଛି ଆପଣ ଦେଖୁଥିବା ଏହି ଦୃଶ୍ୟ ।

ଏହି ଦୃଶ୍ୟଟି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର । ଦେଖନ୍ତୁ ଉଦୁଉଦିଆ ଖରା ସମୟ ଗୋଟାଏ ପାଖାପାଖି ଏକ ବଡ଼ ମାଟି ହାଣ୍ଡିକୁ ଘେରି ରହିଥାନ୍ତି ଦଶରୁ ଅଧିକ ମାଙ୍କଡ଼। ଦ୍ୱୀପ୍ରହରର ନିର୍ଜନତା ଭିତରେ ମାଙ୍କଡ଼ ମାନଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲି ଥାଏ । କିଏ ଆଗ ପିଇବ ମାଟି ହାଣ୍ଡିରୁ ପାଣି । ମାଙ୍କଡ଼ମାନେ ମଝିରେ ମଝିରେ ଚାରି ଆଡକୁ ମଧ୍ୟ ଅନାଉଥାନ୍ତି । ବୋଧେ ସେମାନେ ବୁଝି ସାରିଥିଲେ ଏ ହେଉଛି ଜଳଛତ୍ର ପାଣି । ଯାହା ଦୁଇ ଗୋଡ଼ିଆ ବାଟୋଇ ମଣିଷ ମାନଙ୍କ ପାଇଁ ଉଦିଷ୍ଟ । ସେମାନଙ୍କ ଭିତରେ ବି ଚାଲିଥାଏ ଛକା ପଞ୍ଝା । ଗୋଟିଏ ବଡ଼ ମାଙ୍କଡ଼ କୁଣ୍ଢେଇ ଧରି ରହେ ମାଟି ପାତ୍ର ଟିକୁ । ଯେପରି ସବୁ ପାଣି ଉପରେ କେବଳ ତାର ହିଁ ରହିଛି ଅଧିକାର ।

ଆପଣଙ୍କୁ ଏହି ଦୃଶ୍ୟ ଦେଖାଇବା ପଛର ଉଦ୍ଧେଶ୍ୟ ହେଉଛି ଖାଲି ମନୁଷ୍ୟକୁ ଭୋକ ଶୋଷ ପରି ପ୍ରାକୃତିକ କ୍ରିୟା ହୁଏ ନାହିଁ । ପଶୁ ପକ୍ଷୀଙ୍କୁ ମଧ୍ୟ ଭୋକ ଲାଗେ ଆଉ ଶୋଷ ବି ହୁଏ । ଏମାନଙ୍କ ପାଇଁ ମଧ୍ୟ ଆପଣ ଖରା ଦିନରେ କିଛି ନା କିଛି ବ୍ୟବସ୍ଥା କରି ପାରିବେ । ଖାଲି ଟିକେ ଇଛା ଶକ୍ତି ଆଉ ଭଲ ପାଇବା ଥିବା ଦରକାର । ଯେମିତି ଏହି ବ୍ୟକ୍ତି ଜଣକ ତାଙ୍କ ଘର ଆଗରେ କରିଛନ୍ତି । ପେଜ ହେଉ ବା ପରିବା ଚୋପା କିମ୍ବା ପାଣି ସବୁ କିଛି କାହାର ଭୋକ ଶୋଷ ମେଣ୍ଟାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଆଶା ଆପଣ ଏହି ରିପୋର୍ଟଟି ଦେଖି ସାରି ଭୁଲି ଯିବେ ନାହିଁ କି ଚୁପ ବସିବେ ନାହିଁ । ନିଜ ସାଧ୍ୟ ଅନୁଯାୟୀ କିଛି ନା କିଛି ନିଶ୍ଚୟ କରିବେ ଏଭଳି କଥା କହି ପାରୁ ନ ଥିବା ପଶୁପକ୍ଷୀଙ୍କ ପାଇଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.